ରାଜଧାନୀର୪ ଅଞ୍ଚଳଡେଙ୍ଗୁପ୍ରବଣ

ଡେଙ୍ଗୁ ଓ ମ୍ୟାଲେରିଆରେ ଆଇଆରସି ଭିଲେଜ ଆଗରେ

ଭୁବନେଶ୍ୱର : ରାଜଧାନୀର ୪ ଅଞ୍ଚଳ ସର୍ବାଧିକ ଡେଙ୍ଗୁ ପ୍ରବଣ। ଜୟଦେବ ବିହାର, ଆଚାର୍ଯ୍ୟବିହାର, ଆଇଆରସି ଭିଲେଜ ଓ ନୂଆପଲ୍ଲୀ ଅଞ୍ଚଳ ଡେଙ୍ଗୁ କବଳରେ ରହିଛି। ଏହି ୪ଟି ଅଞ୍ଚଳରୁ ପ୍ରତିବର୍ଷ ୫୦ପ୍ରତିଶତ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡ଼ିଛି। ଅସ୍ୱାସ୍ଥ୍ୟକର ପରିବେଶ ଓ ଦେଶାନ୍ତରଣ ଯୋଗୁଁ ଏଠାରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ମ୍ୟାଲେରିଆରେ ମଧ୍ୟ ରାଜଧାନୀ ପଛରେ ପଡ଼ିନାହିଁ।

ଆଇଆରସି ଭିଲେଜ ଅଞ୍ଚଳରୁ ସର୍ବାଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି।  ଖୋର୍ଧା ଜିଲ୍ଲା ଭିବିଡିସିପି ସେଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୫ ମସିହାରେ ରାଜଧାନୀରେ ୧୨୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୬ରେ ଏହା ବୃଦ୍ଧି ପାଇ ୩୨୭ରେ ପହଞ୍ଚିଥିଲା। ସେହିପରି ଚଳିତବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ୧୪୭ଜଣ ଡେଙ୍ଗୁ ରୋଗୀ କେବଳ ରାଜଧାନୀରେ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ୨୦୧୫ ମସିହାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫୬ଥିବା ବେଳେ ୨୦୧୬ରେ ଏହା କମି ୧୮୨ରେ ପହଞ୍ଚିଛି। ଚଳିତବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଏହା ୧୫୨ରେ ରହିଛି।

ଉଭୟ ଡେଙ୍ଗୁ ଓ ମ୍ୟାଲେରିଆରେ ଆଇଆରସି ଭିଲେଜ ଅଞ୍ଚଳ ଆଗରେ ରହିଛି। ଏହିସବୁ ଅଞ୍ଚଳରେ ଅଧିକ ସଂଖ୍ୟକ ବସ୍ତି ରହିଥିବାରୁ ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା କୁହାଯାଉଛି।ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗତ କିଛିବର୍ଷ ଧରି ରାଜଧାନୀରେ ଯେତିକି ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି, ତାହିଁରୁ ଏହି ୪ଟି ଅଞ୍ଚଳରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ସାଲିଆସାହି ଭଳି ଏକ ବିରାଟ ବସ୍ତି ଏହି ଅଞ୍ଚଳରେ ରହିଛି। ଏଠାକୁ କେନ୍ଦୁଝର, ଯୋଡ଼ା, ଗଞ୍ଜାମ ଓ ଫୁଲବାଣୀ ଭଳି ଅଞ୍ଚଳରୁ ଲୋକ ସବୁବେଳେ ଯିବା ଆସିବା କରୁଛନ୍ତି। ଯିବା ଆସିବା ଲାଗି ରହିଥିବାରୁ ସେମାନଙ୍କୁ ଠିକ୍‌ ଭାବେ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଏହି ଅନୁପାତରେ ବଢ଼ୁଛି।

ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ସାଲିଆସାହିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ରହିଛି। ଏହାସହ ସେସବୁ ଅଞ୍ଚଳରେ ଅନେକ ଛୋଟ ବଡ଼ ଜଳାଶୟ ରହିଛି। ଏସବୁ ଜଳାଶୟରେ ଡେଙ୍ଗୁ ମଶା ଅଣ୍ଡା ଦେଉଛନ୍ତି।  ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଚଳିତବର୍ଷ ସାଲିଆସାହିରେ ଡେଙ୍ଗୁ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦ରୁ ଅଧିକ ସଚେତନତା ଶୋଭାଯାତ୍ରା କରାଯାଇଥିବା ଦାବି କରିଛି ସ୍ୱାସ୍ଥ୍ୟ ବିଭାଗ। ଏହାସହ ଡେଙ୍ଗୁ ରଥ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ବୁଲାଯାଉଛି। ସ୍ଥାନୀୟ  ଅଞ୍ଚଳକୁ ପରିଷ୍କାର ରଖିବା ଦାୟିତ୍ୱ ବିଏମ୍‌ସିର। ତେଣୁ ବିଏମ୍‌ସି କର୍ତୃପକ୍ଷଙ୍କୁ ମଧ୍ୟ ଏ ସଂପର୍କରେ ସୂଚନା ଦିଆଯାଇଛି। ଗତ ୨ ଦିନ ହେବ ସାଲିଆସାହିରେ ଫଗିଂ କରାଯାଉଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଆସନ୍ତା ୭/୧୦ ଦିନ ମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କମିଯିବ ବୋଲି ଆଶା କରାଯାଉଛି।

ଅପରପକ୍ଷରେ ସାଲିଆସାହି ଓ ଅନ୍ୟାନ୍ୟ ବସ୍ତି ଅଞ୍ଚଳରେ ଔଷଧୀୟ ମଶାରି ବଣ୍ଟନ କରିବାକୁ ମଧ୍ୟ ଦାବି ହୋଇଛି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳ ପାଇଁ ଔଷଧୀୟ ମଶାରି ବଣ୍ଟନ ପାଇଁ କୌଣସି ଯୋଜନା ନାହିଁ। ଏ ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳର ୨୦ହଜାର ଲୋକଙ୍କ ମଶାରିକୁ ଔଷଧୀୟ ପାଣିରେ ବୁଡ଼ା ଯାଇଥିଲା। ଚଳିତବର୍ଷ ମଧ୍ୟ ୧୪ହଜାରରୁ ଅଧିକ ମଶାରିକୁ ଏଭଳି ଢଙ୍ଗରେ ଔଷଧୀୟ ପାଣିରେ ବୁଡ଼ାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର