ଆଉ ୩୪ ଡେଙ୍ଗୁ ରୋଗୀ ଚିହ୍ନଟ, ଜିଲ୍ଲା ବିଜେପିର ସଚେତନତା ଅଭିଯାନ

ଭୁବନେଶ୍ବର : କିଛି ଦିନ ଧରି ଦିନକୁ ୪୦ ଉପରେ ରହୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଆଜି କିଛି ପରିମାଣରେ କମିଛି। ଗତ ୨୪ ଘଣ୍ଟାରେ ୩୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୭୯୫ରେ ପହଞ୍ଚିଛି। ଅନ୍ୟପକ୍ଷରେ ବିଏମ୍‌ସି ପକ୍ଷରୁ ଚାଲିଥିବା ଡେଙ୍ଗୁ ମୁକାବିଲା ଅଭିଯାନରେ ଆଜି ସୁଦ୍ଧା ବିଏମ୍‌ସି ପକ୍ଷରୁ ୬ ହଜାର ୮୯୦ ପରିବାରର ୨୮ ହଜାର ୯୩୬ ଲୋକଙ୍କୁ ସଚେତନ କରା‌ଯାଇଛି। ୨୧ ହଜାର ୨୭୭ ମଶା ଉତ୍ସ ନଷ୍ଟ କରାଯାଇଥିବା ବେଳେ ୨୦ ହଜାର ୭୯୧ ଲାର୍ଭା ଚିହ୍ନଟ ହୋଇଛି ବୋଲି ସୂଚନା ଦିଆଯାଇଛି।

ଡେଙ୍ଗୁକୁ ନେଇ ରାଜନୀତି ଥମୁନାହିଁ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଡେଙ୍ଗୁ ନିରାକରଣରେ ବିଏମ୍‌ସି ଫେଲ ମାରିଥିବା ଅଭିଯୋଗ ହୋଇଛି। ଗୁରୁବାର ଦିନ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀର ରାଜାରାଣୀ ମଣ୍ଡଳ ଅଞ୍ଚଳରେ ଥିବା ବିଜେବି ନଗର, ମହିଁଷାଖାଲ ବସ୍ତି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ବିଭିନ୍ନ ଉତ୍ସରେ ମଶା ତେଲ ପକାଯିବା ସହ ଜମି ରହୁଥିବା ପାଣିକୁ ସଫା କରାଯାଇଛି। ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁସିଂଙ୍କ ନେତୃତ୍ବରେ ରାଜାରାଣୀ ମଣ୍ଡଳ ସଭାପତି ଅମରଜ୍ୟୋତି ଜଗଦ୍ଦେବ, ଜିଲ୍ଲା ସମ୍ପାଦକ ତାପସ ଦଳେଇ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ବିନ୍ଦୁଲତା ବଳିଆରସିଂ, ସବିତା ପଟ୍ଟନାୟକ, କଲ୍ୟାଣୀ ପଣ୍ଡା, ନାରାୟଣ ତ୍ରିପାଠୀ, ମୁରଲୀଧର ନାୟକ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର