୨ ହଜାର ଡେଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ଶନିବାର ଭୁବନେଶ୍ବରରେ ୭୩ ଜଣ ‌ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ନୂଆ ରୋଗୀଙ୍କୁ ମିଶାଇ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ଟପିଯାଇଛି। ବିଏମ୍‌ସି ତଥ୍ୟ ମୁତାବକ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩୨ରେ ପହଞ୍ଚିଛି। ସରକାରୀ ଭାବେ ଘୋଷିତ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାକୁ ବିଚାରକୁ ନେଲେ ଚଳିତ ମାସ ୧୦ ତାରିଖରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହଜାରେ ଛୁଇଁଥିଲା। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧ହଜାର ୯। ଆଜିର ଦିନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩୨। ଅର୍ଥାତ୍‌ ୧୮ ଦିନରେ ନୂଆ ୧ହଜାର ୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଏମ୍‌ସି ନିୟମିତ ସଚେତନ କରିବା ସହ ମଶାଙ୍କ ଉତ୍ପତ୍ତିସ୍ଥଳ ଓ ଲାର୍ଭା ନଷ୍ଟ କରୁଛି। ଆଜି ସୁଦ୍ଧା ବିଏମ୍‌ସି ୩୧ ହଜାର ୯୧୦ ଘର ବୁଲି ୧ ଲକ୍ଷ ୩୧ ହଜାର ୪୭୧ ଲୋକଙ୍କୁ ସଚେତନ କରାଇଛି। ୮୧ହଜାର ୪୨୫ ଉତ୍ପତ୍ତିସ୍ଥଳ ନଷ୍ଟ କରାଯାଇ ଥିବା ବେଳେ ୮୩ ହଜାର ୯୪୫ ଉତ୍ସରୁ ଲାର୍ଭା ଚିହ୍ନଟ କରିଛି। ବିଏମ୍‌ସିର ଅଧିକାରୀଙ୍କୁ ନେଇ ସ୍ବତନ୍ତ୍ର ଦଳ ସହ ସ୍ବୟଂସହାୟକ ଗୋଷ୍ଠୀ ମଧ୍ୟ ଏହି କାମରେ ଲାଗିଛନ୍ତି। ହେଲେ ପ୍ରଥମ ଏକ ହଜାର ଡେଙ୍ଗୁ ରୋଗୀ ଆକ୍ରାନ୍ତ ହେବାକୁ ୫ମାସରୁ ଅଧିକ ସମୟ ଲାଗିଥିବା ବେଳେ ମାତ୍ର ୧୮ଦିନରେ ୧ ହଜାର ଆକ୍ରାନ୍ତ ହେବା ଚିନ୍ତାଜନକ ହୋଇଛି। ତେବେ ଡେଙ୍ଗୁ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ବିଏମ୍‌ସି। ଏଯାବତ୍‌ ଡେଙ୍ଗୁରେ ମୃତ୍ୟୁ ହୋଇ ନଥିବା ବେଳେ ଚିକିତ୍ସା ମଧ୍ୟ ସହଜଲବ୍ଧ ହୋଇଛି।

ଅନ୍ୟପଟେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁନାହିଁ। ଗତ ୧୮ଦିନରେ ୧ ହଜାର ୨୩ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ହଜାର ୩ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜଧାନୀରେ ୨୨୩ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର