ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣାଧୀନ: କ୍ୟାପିଟାଲ ହସ୍‌ପିଟାଲରେ ରୋଗୀ ସଂଖ୍ୟା ବଢ଼ୁଛି

ଭୁବନେଶ୍ୱର ବାହାରୁ ଅଧିକ ରୋଗୀ ଆସୁଛନ୍ତି: ବିଏମ୍‌ସି

ଭୁବନେଶ୍ୱର : ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣାଧୀନ ବୋଲି କୁହାଯାଉଛି। କିନ୍ତୁ କ୍ୟାପିଟାଲ ହସ୍‌ପିଟାଲରେ ଗତ କିଛି ଦିନ ହେଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୈନିକ ୧୨୦ ନମୁନା ପରୀକ୍ଷା ହେଉଥିବା ବେଳେ ୨୫ ରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା.ଲକ୍ଷ୍ମୀଧର ସାହୁଙ୍କ ସୂଚନା ଅନୁସାରେ ଦୈନିକ ହରାହାରି ୨୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଏଠାରେ ଚିକିତ୍ସିତ ହେଉଛନ୍ତି। ଆଜି ୧୮ ଜଣ ରୋଗୀ ରହିଛନ୍ତି। ଲଗାଣ ବର୍ଷା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଆଶଙ୍କା କରାଯାଉଛି। ପୂର୍ବ ଅପେକ୍ଷା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଡେଙ୍ଗୁ ସଂପୂର୍ଣ୍ଣ ଯାଇନାହିଁ। ବର୍ତ୍ତମାନ ପୁଣି ବର୍ଷା ଲାଗି ରହିଛି। ତେଣୁ ସମସ୍ତଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ମଶାରି ବ୍ୟବହାର ନ କଲେ, ଡେଙ୍ଗୁ ଆହୁରି ବଢ଼ିବ ଏବଂ ଆଇସିୟୁ‌ରେ ରହିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ଡା. ସାହୁ।

ଅନ୍ୟପଟେ ଭୁବନେଶ୍ବରରେ ଡେଙ୍ଗୁ ନିୟନ୍ତ୍ରଣାଧୀନ ଥିବା କହିଛି ବିଏମ୍‌ସି। ଅତିରିକ୍ତ ସ୍ବାସ୍ଥ୍ୟାଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି, ଏବେ ଦୈନିକ ୧୨ରୁ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କୌଣସି ଆକ୍ରାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ନାହିଁ। ବିଏମ୍‌ସି ପକ୍ଷରୁ ସଚେତନତା ଅଭିଯାନ ସହ ମଶାଙ୍କ ଉତ୍ପତ୍ତିସ୍ଥଳ ନଷ୍ଟ କରାଯାଉଛି। ନିୟମିତ ଏଭଳି କାର୍ଯ୍ୟ ଚାଲିବାରୁ ଡେଙ୍ଗୁ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି। ତେବେ କ୍ୟାପିଟାଲ ହସ୍‌ପିଟାଲରେ ଭୁବନେଶ୍ବର ବାହାରୁ ଆସୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ବର ଠାରୁ ଅଧିକା ରହିଛି। ବର୍ତ୍ତମାନ ଯେଉଁ ଆକ୍ରାନ୍ତ କ୍ୟାପିଟାଲ୍‌ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ପିପିଲି, ଉତ୍ତରା, ନୟାଗଡ଼ ପ୍ରଭୃତି ଅଞ୍ଚଳର। ଭୁବନେଶ୍ବରରେ ୪ଟି ଜାଗାରେ ଦିନକୁ ବିଏମ୍‌ସି ପକ୍ଷରୁ ପ୍ରାୟ ୬୦ରୁ ଶହେ ନମୁନା ପରୀକ୍ଷା କରାଯାଉଛି। ସେଥିରେ ହାରାହାରି ୧୨ରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ସପ୍ତାହର ଆକ୍ରାନ୍ତଙ୍କ ତଥ୍ୟକୁ ହିସାବକୁ ନେଲେଏହା ସ୍ପଷ୍ଟ ବୋଲି ଡା.ମିଶ୍ର କହିଛନ୍ତି। ଗତ ୧୪ ତାରିଖରେ ସଂଗୃହୀତ ୬୦ ନମୁନାରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ତାରିଖରେ ୪୭ ନମୁନାରୁ ୮ ଜଣ, ୧୬ରେ ୧୦୦ ନମୁନାରୁ ୧୮ ଜଣ, ୧୭ରେ ୩୫ ନମୁନାରୁ ୭ ଜଣ, ୧୮ରେ ୮୦ ନମୁନାରୁ ୧୬ ଜଣ, ୧୯ ତାରିଖରେ ୬୦ ନମୁନାରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଅର୍ଥାତ୍‌ ଜୁନ୍‌, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ଆରମ୍ଭରେ ପ୍ରତିଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଉପରେ ରହୁଥିଲା।

ସମ୍ବନ୍ଧିତ ଖବର