ଡେଙ୍ଗୁ ସଂକ୍ରମଣ ଥମିବା ନାଁ ନେଉନାହିଁ: ଏଡିସ୍‌ ମଶା ଖୋଜୁଛି ବିଏମ୍‌ସି

ପୁରୁଣା କୋଠା, ଗୁହାଳ, ପାର୍କରେ ମଶା ଭଣଭଣ
ଧୂଆଁ ଗାଡ଼ିର ଦେଖା ନାହିଁ, ପଡ଼ୁନି ମଶା ତେଲ

ଚନ୍ଦ୍ରଶେଖରପୁର : ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଥମିବା ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ଅଞ୍ଚଳ ଯୋଡ଼ି ହୋଇଯାଉଛି। ଡମଣା, ଶ୍ରୀବିହାର, ନୀଳାଦ୍ରିବିହାର ପରେ ଏବେ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ବି ମାଡ଼ି ଗଲାଣି। ପ୍ରାଚୀ ଏନ୍‌କ୍ଲେଭ୍‌, ନୀଳମାଧବ ବସ୍ତିରୁ ବି ଆକ୍ରାନ୍ତ ଚିହ୍ନଟ ହେଲେଣି। ଦୁଇ ଦିନ ତଳେ ସରକାରୀ ଭାବେ ଦୁଇଜଣ ଚିହ୍ନଟ ହୋଇଥିବା ବିଏମ୍‌ସି ମେୟର ସୁଲୋଚନା ଦାସ କହିଥିଲେ। ମାତ୍ର ସ୍ବାସ୍ଥ୍ୟ ବିଭାଗ ହିସାବ କହୁଛି ଯେ ଏବେ ସୁଦ୍ଧା ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଘରୋଇ ହସ୍ପିଟାଲ ଓ ପାଥୋଲ୍ୟାବ୍‌ରେ ଟେଷ୍ଟ ହୋଇ ପଜିଟିଭ୍‌ ବାହାରୁଥିବା ଆକ୍ରାନ୍ତଙ୍କ ନମୁନାକୁ ଗ୍ରହଣ କରାଯାଉନାହିଁ। ନ ହେଲେ ଆକ୍ରାନ୍ତଙ୍କ ସଂଖ୍ୟା କେତେ ଶହ ହେବ, ତାହା ଆକଳନ କରିବା ମୁସ୍କିଲ୍‌ ହୋଇପଡ଼ିବ।

ଡେଙ୍ଗୁ ମୃତ୍ୟୁର ତିନି ଦିନ ପରେ ବି ବିଏମ୍‌ସି ପକ୍ଷରୁ ଏପର୍ଯ୍ୟନ୍ତ ସଚେତନତା ଗାଡ଼ି ବୁଲି ନାହିଁ। କିଛି ଅଞ୍ଚଳରେ ସ୍ଥାନୀୟ କର୍ପୋରେଟର୍‌ଙ୍କ ହସ୍ତକ୍ଷେପ ପରେ ସଫେଇ ହେଉଛି। ମାତ୍ର ମଶା ତେଲ କିମ୍ବା ମଶା ଧୂଆଁ ଏପର୍ଯ୍ୟନ୍ତ ସବୁ ଅଞ୍ଚଳରେ ପହଞ୍ଚି ପାରିନାହିଁ। ଗୋଟିଏ ଦୁଇ ଦିନ କିଛି ୱାର୍ଡରେ ମଶା ଧୂଆଁ ଛାଡ଼ି ବାବୁମାନେ ବସି ପଡ଼ିଛନ୍ତି। ମଶା ତେଲ ପକାଇବାକୁ ଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଆଜି ଡମଣା, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତେ ସବୁ ପରେ ବି ଘରକୁ ଘର ବୁଲି ବୁକ୍‌ଲେଟ୍‌, ଲିଫ୍‌ଲେଟ୍‌ ବାଣ୍ଟି ସଚେତନତା କାର୍ଯ୍ୟ ଆରମ୍ଭ ହୋଇନି। ସେପଟେ ଡେଙ୍ଗୁ ସଂକ୍ରମଣ ବଢ଼ାଉଥିବା ଏଡିସ୍‌ ମଶା ଉତ୍ପତ୍ତିସ୍ଥଳ ଖୋଜିବାକୁ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ତିନି ଦିନ ହେଲା, ବସ୍ତି ଓ କଲୋନି ବୁଲିବୁଲି ମଶା ବଢ଼ୁଥିବା ସ୍ଥାନ ଖୋଜିଖୋଜି ଅପରେସନ୍ ଚଳାଇଛି। ପାର୍କ, ଅବ୍ୟବହୃତ କୋଠା, ଗୁହାଳ, ବସ୍ତି ଅଞ୍ଚଳରେ ମଶା ଖୋ‌ଜି ଲାର୍ଭା ନଷ୍ଟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ପାର୍କ ଭିତରେ ଥିବା ଡଷ୍ଟବିନ୍‌ଗୁଡ଼ିକ ଦୀର୍ଘ ଦିନ ହେଲା ସଫା ହେଉ ନଥିବା ନଜରକୁ ଆସିଛି। ସେଥିରେ ମଶା ଭଣଭଣ ହେଉଛନ୍ତି। କିଛି ପାର୍କରେ ୱାଟର୍‌ ଫାଉଣ୍ଟେନ୍‌ର ପାଣି ବଦଳା ଯାଇନଥିବାରୁ ପଚି ଗନ୍ଧେଇଲାଣି। ତେଣୁ ସେସବୁ ସ୍ଥାନରେ ଡେଙ୍ଗୁ ମଶାଙ୍କ ବଂଶ ବଢ଼ୁଥିବା ଆଶଙ୍କା କରାଯାଉଛି। କିନ୍ତୁ ବିଏମ୍‌ସି ପକ୍ଷରୁ ସେସବୁ ସ୍ଥାନ ସଫେଇ କରାଯାଉନାହିଁ। ପାର୍କ ଭିତରେ ମଶାଙ୍କ ପ୍ରାଦୁର୍ଭାବ ଯୋଗୁଁ ଲୋକେ ଭୟରେ ବୁଲିଯିବାକୁ ମନ ବଳାଉ ନାହାନ୍ତି।

Shutterstock

ଏଡିସ୍‌ ମଶାଙ୍କ ଉତ୍ପତ୍ତିସ୍ଥଳ ଖୋଜିବା ସମୟରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ବିଚିତ୍ର ପରିସ୍ଥିତି ଦେଖିବାକୁ ପାଉଛି। କେତେକ ଲୋକ ସଉକ୍‌ରେ ଲଗାଇଥିବା ଫୁଲକୁଣ୍ଡରେ କଣା ନଥିବାରୁ ସେଗୁଡ଼ିକ ମଶାଙ୍କ ବଂଶବୃଦ୍ଧିରେ ସାହାଯ୍ୟ କରୁଛି। ସେହିଭଳି କେତେକ ଗ୍ୟାରେଜ୍‌ରେ ପଡ଼ିଥିବା ଦଦରା ଟାୟାର୍‌ ଭିତରେ ବହୁ ଦିନ ଧରି ପାଣି ଜମିଥିବାରୁ ମଶା ଲାର୍ଭା ଚିହ୍ନଟ ହୋଇଛନ୍ତି। କିଛି ଲୋକ ନିଜ ବାଡ଼ିରେ ପକାଇଥିବା ପଇଡ଼ ଖୋଳରୁ ମଧ୍ୟ ମଶା ଲାର୍ଭା ଚିହ୍ନଟ ହୋଇଛି। ପ୍ରାଚୀ ଏନ୍‌କ୍ଲେଭ୍‌ରେ ଥିବା ଏକ ନିର୍ମାଣଧୀନ କୋଠାରୁ ଏଡିସ୍‌ ମଶା ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁର, ଡମଣା ଓ ଶ୍ରୀବିହାରରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମିତ ବା ଲକ୍ଷଣ ଥିବା ଅଧିକାଂଶ ବ୍ୟକ୍ତି ଘରୋଇ ହସ୍ପିଟାଲରେ ପରୀକ୍ଷା କରୁଥିବାରୁ ବିଏମ୍‌ସି କିମ୍ବା ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ପହଞ୍ଚି ପାରୁନାହିଁ। ଘରୋଇ ହସ୍ପିଟାଲଗୁଡ଼ିକରେ କେବଳ କାର୍ଡ ଟେଷ୍ଟ କରାଯାଉଥିବାରୁ ଠିକ୍‌ ରିପୋର୍ଟ ମଧ୍ୟ ମିଳୁନାହିଁ। ସରକାରଙ୍କ ଦ୍ୱାରା କ୍ୟାପିଟାଲ ହସ୍ପିଟାଲ ଏବଂ ଆର୍‌ଏମ୍‌ଆର୍‌ସିରେ ଡେଙ୍ଗୁ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଥିବାରୁ ଏଠାରେ ଠିକ୍‌ ରିପୋର୍ଟ ମିଳିଥାଏ। ଯେଉଁ ଘରୁ ସଂକ୍ରମିତ ଚିହ୍ନଟ ହୋଇଥା’ନ୍ତି, ତାହାର ପାଖାପାଖି ୩୦ରୁ ୪୦ଘର ପର୍ଯ୍ୟନ୍ତ ଆଣ୍ଟି ଲାର୍ଭା ଆକ୍ଟିଭିକ୍ଟି କରାଯିବାର ନିୟମ ରହିଛି। ପାଣି ନ ଜମିବା ପାଇଁ ପ୍ରତି ୭ଦିନରେ ଥରେ ସଫେଇ କରାଯିବା ସହ ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି ବୋଲି ଅଧିକାରୀଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର