ଆଳ ଦେଖାଇ ଫାଙ୍କୁଛନ୍ତି ଡେଙ୍ଗୁ ମୃତ୍ୟୁ

ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେଲା ବିଶେଷଜ୍ଞ ଟିମ୍‌
ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିଲା
କାର୍ଡ ‌ଟେଷ୍ଟରେ ପଜିଟିଭ୍‌ ରିପୋର୍ଟ ଭୁଲ୍ ଥାଇପାରେ
ଆଉ ୩୦ ପଜିଟିଭ୍‌; ଆକ୍ରାନ୍ତ ସଂଖ୍ୟା ୪୫୩ ଛୁଇଁଲା

ଚନ୍ଦ୍ରଶେଖରପୁର : ଡେଙ୍ଗୁରେ ଜଣେ ନାବାଳିକାଙ୍କ ମୃତ୍ୟୁକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ପରିବାର ଲୋକଙ୍କଠୁ ନେଇ ବିଏମ୍‌ସି ଯାଏ କେହି ମାନିବାକୁ ନାରାଜ। ଦୁଇ ଦିନ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ଦୁଇଟି ଟିମ୍‌ ମୃତ ନାବାଳିକାଙ୍କ ପରିବାରକୁ ଭେଟି ପଚରାଉଚରା କରିବା ସହ ଡେଙ୍ଗୁ ପରୀକ୍ଷା ହୋଇଥିବା ଡାଇଗ୍ନୋଷ୍ଟିକ୍‌କୁ ଯାଇ ଅନୁଧ୍ୟାନ କରିଛନ୍ତି। ଏତେସବୁ ପରେ ବି ବିଶେଷଜ୍ଞ ଟିମ୍‌ କିଛି ସ୍ପଷ୍ଟ ଚିତ୍ର ଦେଇନାହାନ୍ତି। ପଜିଟିଭ୍‌ ରିପୋର୍ଟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇବା ସହ ପରିବାର ଲୋକଙ୍କ କଥାକୁ ଆଧାର କରି ଡେଙ୍ଗୁ ମୃତ୍ୟୁକୁ ଫାଙ୍କି ଦେଇଛନ୍ତି ଏବଂ ଅନ୍ୟ କାରଣ ପାଇଁ ନାବାଳିକାର ମୃତ୍ୟୁ ହୋଇଥିବା ଦର୍ଶାଇଛନ୍ତି।

ଖୋର୍ଧାର କୀଟବାହିତ ରୋଗ(ଭେକ୍ଟର ବର୍ଣ୍ଣ ଡିଜିଜ୍‌)ର ବିଶେଷଜ୍ଞ ଟିମ୍ ବୁଧବାର ପୂର୍ବାହ୍ନରେ ମୃତ ନାବାଳିକାଙ୍କ ଘରେ ପହଞ୍ଚି ପ୍ରଥମେ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ। ନାବାଳିକାଙ୍କୁ କେବେଠାରୁ ଜ୍ବର ହୋଇଥିଲା, ସେ କେଉଁଠୁ ‌ଔଷଧ ଆଣି ଖାଇଥିଲେ, ତାଙ୍କଠାରେ ଆଉ କୌଣସି ରୋଗ ଥିଲା କି ନାହିଁ, ସରକାରୀ ମେଡିକାଲରେ କାହିଁକି ଡେଙ୍ଗୁ ପରୀକ୍ଷା କଲେ ନାହିଁ, ଏଭଳି ବିଭିନ୍ନ ବିଷୟରେ ପଚରିଥିଲେ। ଆଉ ଗତକାଲି ପରି ଆଜି ମଧ୍ୟ ନାବାଳିକାଙ୍କ ବାପା ଡେଙ୍ଗୁରେ ଝିଅର ମୃତ୍ୟୁ ହୋଇଥିବା କଥାକୁ ଅସ୍ବୀକାର କରିଥିଲେ। ଏହାପରେ ବି‌ଶେଷଜ୍ଞ ଟିମ୍‌ ଡେଙ୍ଗୁ ପରୀକ୍ଷା ହୋଇଥିବା ଘରୋଇ ଡାଇଗ୍ନୋଷ୍ଟିକ୍‌ କେନ୍ଦ୍ରକୁ ଯାଇ କେଉଁ ପଦ୍ଧତିରେ ଡେଙ୍ଗୁ ପରୀକ୍ଷା କରାଯାଇଛି, ରି‌ପୋର୍ଟର କେତେ ସତ୍ୟତା ରହିଛି, ଏବେ ସୁଦ୍ଧା କେତେଜଣଙ୍କର ପରୀକ୍ଷା ହୋଇଛି, ଆଦି ବିଷୟରେ ପଚାରିଥିଲେ। ଏଥିସହ ବିଶେଷଜ୍ଞ ଟିମ୍ ନାବାଳିକାର ମୃତ୍ୟୁ ହୋଇଥିବା ହସ୍ପିଟାଲକୁ ମଧ୍ୟ ଯାଇ ଅନୁଧ୍ୟାନ କରିଥିଲେ।

ସନ୍ଧ୍ୟାରେ ବିଶେଷଜ୍ଞ ଟିମ୍‌ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ରିପୋର୍ଟ ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ପରେ ନାବାଳିକାଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇ ନ ଥିବା କହିଛନ୍ତି। ପଜିଟିଭ୍‌ ରିପୋର୍ଟର ସତ୍ୟତା ନେଇ ସନ୍ଦେହ ରହିଛି ବୋଲି ଦର୍ଶାଇଛନ୍ତି। ନାବାଳିକା ଜଣକ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ମୃତ୍ୟୁ ହୋଇଥିବା ନେଇ ବିଶେଷଜ୍ଞ ଟିମ୍‌ ସ୍ବାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନାବାଳିକାର କାର୍ଡ ଟେଷ୍ଟ ହୋଇଛି। ସେଥିରେ ବହୁ କମ୍‌ ପରିମାଣର ସଫଳତା ମିଳିଥାଏ। ଭୁଲ୍‌ ପଜିଟିଭ୍‌ ରିପୋର୍ଟ ବି ଆସିପାରେ। ଏହି ପରୀକ୍ଷା ପରେ ଏନ୍‌ଏସ୍‌-୧ ପରୀକ୍ଷା କରିବା କଥା। ଏହା ଏକ ସ୍କ୍ରିନିଂ ଟେଷ୍ଟ, କନ୍‌ଫରମେଟିଭ୍‌ ଟେଷ୍ଟ ନୁହେଁ। ଡେଙ୍ଗୁ ମୃତ୍ୟୁ ସମୟରେ ରୋଗୀଙ୍କ ପ୍ଲାଟିଲେଟ୍‌ କମିଥାଏ, ବ୍ଲିଡିଂ ହୁଏ। ନାବାଳିକାଙ୍କ କ୍ଷେତ୍ରରେ ସେଭଳି କିଛି ହୋଇ ନ ଥିବା ବାପା, ମା’ କହିଛନ୍ତି। କୌଣସି ଡାକ୍ତରଖାନାରେ ନାବାଳିକା ଚିକିତ୍ସିତ ହୋଇ ନ ଥିବାରୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରୁ ନାହିଁ। ଡେଙ୍ଗୁ ପରୀକ୍ଷା କରିବା ପୂର୍ବରୁ ‌ନାବାଳିକାର ‌ଜ୍ବର ଭଲ ହେବା ଲାଗି ହୋମିଓପାଥି ‌ଔଷଧ ଖାଉଥିବା ଅଧିକାରୀ ଜଣକ କହିଛନ୍ତି।

ଅନ୍ୟପକ୍ଷରେ ବୁଧବାର କ୍ୟାପିଟାଲ ହସ୍ପିଟାଲରେ ଆଉ ୩୦ ଜଣଙ୍କ ଡେଙ୍ଗୁ ପଜିଟିଭ୍ ଆସିଥିବାବେଳେ ରାଜଧାନୀରେ ‌ଆକ୍ରାନ୍ତ ସଂଖ୍ୟା ୪୫୩ରେ ପହଞ୍ଚିଛି।

ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଲା
ରାଜଧାନୀରେ ଡେଙ୍ଗୁ କ୍ରମଶଃ କାୟା ବିସ୍ତାର କରୁଥିବାବେଳେ ଏହାର ମୁକାବିଲା ଲାଗି ଏବେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ବିଏମ୍‌ସି ସହ ମିଶି ସଫେଇ ଓ ସ୍ବଚ୍ଛତାକୁ ଅଧିକ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସନ୍ଧ୍ୟାରେ ବସିଥିବା ସମୀକ୍ଷା ବୈଠକ ପରେ କୁହାଯାଇଛି ଯେ ମଶା ଉତ୍ସକୁ ନଷ୍ଟ କରିବାକୁ ଅଧିକ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ସେମାନେ କଲୋନିରୁ କଲୋନିକୁ ବୁଲି ଲୋକଙ୍କୁ ସଚେତନ କରାଇବେ। ଅତି ସମ୍ବେଦନଶୀଳ ଅଞ୍ଚଳରେ ୨୦ ଜଣ ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତ କରାଯିବ। ଅନ୍ୟପକ୍ଷରେ ଡେଙ୍ଗୁ ପରୀକ୍ଷାକୁ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ବର ସହରାଞ୍ଚଳର ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ମାଗଣା ରକ୍ତ ପରୀକ୍ଷା କରାଯିବ। ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ପଟିଆ, ଚକେଇଶିଆଣି, କଳ୍ପନା ଛକ ଅଞ୍ଚଳରେ ଅଧିକ ସଂଖ୍ୟାରେ ଡେଙ୍ଗୁ ଆକ୍ରାନ୍ତ ବାହାରିଥିବାରୁ ସେଠାକାର ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରାଥମିକତା ଦିଆଯିବ। ଏଥିସହ ମେଡିକାଲଗୁଡ଼ିକରେ ଡେଙ୍ଗୁ ସଚେତନତା ପୋଷ୍ଟର ଲଗାଯାଇ ସଚେତନତା କାର୍ଯ୍ୟକ୍ରମ ହେବ। ସହରର କେତୋଟି ସ୍ଥାନରେ କ୍ୟାମ୍ପ ପଡ଼ିବ ସେନେଇ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଡେଙ୍ଗୁ ରୋକିବାକୁ ବିଏମ୍‌ସି ତତ୍ପର, ଘରକୁ ଘର ବୁଲି ସଚେତନା ଓ ତଥ୍ୟ ସଂଗ୍ରହ କରୁଛନ୍ତି ସ୍ବେଚ୍ଛାସେବୀ
ଭୁବନେଶ୍ବର : ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ନେଇ ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ବିଏମ୍‌ସି। ଘରକୁ ଘର ବୁଲି ସଚେତନତା ସୃଷ୍ଟି କରିବା ସହ ରୋଗ ବାବଦରେ ତଥ୍ୟ ସଂଗ୍ରହ କରି ରେକର୍ଡ କରୁଛି। ପ୍ରତ୍ୟେକ ଘରେ ଟିମ୍‌ ପହଞ୍ଚିବା ଲକ୍ଷ୍ୟ ରଖିଛି। ଏଭଳି ସଚେତନତା ସୃଷ୍ଟି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଦିନକୁ ୨୮୦ ଟଙ୍କା ପ୍ରଦାନ କରି ‌ସ୍ବେଚ୍ଛାସେବୀଙ୍କୁ ନିୟ‌ୋଜିତ କରିବାକୁ ଯୋଜନା କରିଛି। ସମ୍ବେଦନଶୀଳ ଅଞ୍ଚଳରେ ଏଭଳି ୨୦ ଜଣ ଲେଖାଏଁ ସ୍ବେଚ୍ଛାସେବୀ ନିୟୋଜିତ ହେବାକୁ ସ୍ଥିର କରାଯାଇଛି। ଅତି କମ୍‌ରେ ଦେଢ଼ମାସ ପର୍ଯ୍ୟନ୍ତ ଏହି ସ୍ବେଚ୍ଛାସେବୀମାନେ ଘରକୁ ଘର ବୁଲିସ କାମ କରିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି।

ତା’ ଛଡ଼ା ମଶା ବଂଶ ବୃଦ୍ଧି ପାଉଥିବା ଉତ୍ସଗୁଡ଼ିକୁ ନିୟମିତ ନଷ୍ଟ କରାଯିବା ସହ ସଚେତନତା ସୃଷ୍ଟି କରାଯାଉଛି। ଏହି କ୍ରମରେ ଆଜି ଏକ ସ୍ବତନ୍ତ୍ର ଟିମ୍‌ ଉତ୍ତର ଜୋନ୍‌ରେ ଥିବା ୱାର୍ଡ ନମ୍ବର ୧୩, ୧୪ ଓ ୭ରେ ଘରକୁ ଘର ବୁଲିଥିଲା। ସଫେଇ କର୍ମଚାରୀମାନେ ଏହି ଅଞ୍ଚଳରେ ଛୋଟଛୋଟ ବୁଦା କାଟିବା ସହ ପାଣି ଜମିଥିବା ଜାଗାରେ ଔଷଧ ସ୍ପ୍ରେ କରିଥିଲେ। ସ୍ବଚ୍ଛ ସାଥୀ ଓ ସ୍ବାସ୍ଥ୍ୟକର୍ମୀ ଲୋକମାନଙ୍କୁ ଡେଙ୍ଗୁ ବାବଦରେ ସଚେତନ କରାଇଥିଲେ। ଉଲ୍ଲେଖଯୋଗ୍ୟ, ଆଜି ପର୍ଯ୍ୟନ୍ତ ୪୫୩ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧୬ ଜଣ ସକ୍ରିୟ ରହିଛନ୍ତି।

ସମ୍ବନ୍ଧିତ ଖବର