ରାଜଧାନୀରେ ବୁଲିଲା ଡେଙ୍ଗୁ ସଚେତନତା ରଥ
କ୍ୟାପିଟାଲ ହସ୍ପିଟାଲରେ ପର୍ଯ୍ୟାପ୍ତ ଶଯ୍ୟା: ନିର୍ଦ୍ଦେଶକ
ଭୁବନେଶ୍ବର : ଭୁବନେଶ୍ବରରେ ଡେଙ୍ଗୁ ଉଦ୍ବେଗଜନକ ଭାବେ ବଢ଼ିବାରେ ଲାଗିଛି। ଗତ ରବିବାର ଦିନ ୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ୬୬ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ସୋମବାର ଦିନ ମୋଟ ଆକ୍ରାନ୍ତ ସଂଖ୍ୟା ୬୬୪ରେ ପହଞ୍ଚିଛି। ପ୍ରତିଦିନ ଏଭଳି ଦ୍ରୁତ ଗତିରେ ଡେଙ୍ଗୁ ବୃଦ୍ଧି ପାଉଥିବାରୁ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ବିଏମ୍ସିର ପ୍ରସ୍ତୁତିକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଶ୍ନ ଉଠାଇଥିବା ବେଳେ ଡେଙ୍ଗୁ ରୋଗୀଙ୍କର ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲର ପ୍ରସ୍ତୁତିକୁ ନେଇ ମଧ୍ୟ ଆଙ୍ଗୁଠି ଉଠିଛି।
ତେବେ କ୍ୟାପିଟାଲ ହସ୍ପିଟାଲ ଏ ନେଇ ପ୍ରସ୍ତୁତ ଥିବା କର୍ତ୍ତୃପକ୍ଷ ଆଜି ସ୍ପଷ୍ଟ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲଷ୍ମୀଧର ମହାପାତ୍ର କହିଛନ୍ତି, ହସ୍ପିଟାଲରେ ଯଥେଷ୍ଟ ଡେଙ୍ଗୁ ବେଡ୍ ରହିଛି। ନିୟମିତ ଡେଙ୍ଗୁ ପରୀକ୍ଷା ଚାଲିଛି। ଗତକାଲି ୮୭ ଜଣ ସନ୍ଦିଗ୍ଧଙ୍କର ଡେଙ୍ଗୁ ପରୀକ୍ଷା ହୋଇଥିଲା। ପ୍ରତିଦିନ ୧୦ ରୁ ୧୫ ଜଣ ରୋଗୀ ଆଡ୍ମିଟ୍ ହେଉଥିବାବେଳେ ଏବେ ୫୬ ଜଣ ଡେଙ୍ଗୁ ରୋଗୀ ଆଡ୍ମିଟ ଅଛନ୍ତି। ଡେଙ୍ଗୁ ଚିକିତ୍ସା ପାଇଁ ପ୍ରତ୍ୟେକ ଦିନ ପ୍ରାୟ ୧୫ ଜଣଙ୍କୁ ପ୍ଲେଟଲେଟ୍ ଦିଆଯାଉଛି। ଅଧିକ ପ୍ଲେଟଲେଟ୍ ପାଇଁ ବ୍ୟବସ୍ଥା ହେଉଥିବା ସେ କହିଛନ୍ତି।
ଅନ୍ୟପଟେ ବିଏମ୍ସି ଡେଙ୍ଗୁକୁ ନେଇ ସଚେତନତା ଅଭିଯାନ ଜୋରଦାର କରିଛି। ଆଜି ପର୍ଯ୍ୟନ୍ତ ୫ ହଜାର ୯୧୩ଲୋକଙ୍କ ଘରେ ବିଏମ୍ସିର ସଚେତନତା ଟିମ୍ ପହଞ୍ଚି ୨୪ ହଜାର ୪୧୩ ଜଣଙ୍କୁ ସଚେତନତା ଅଭିଯାନରେ ସାମିଲ କରାଯାଇ ପାରିଛି। ୨୫୭୪ ମଶାଙ୍କ ଉତ୍ପତ୍ତିସ୍ଥଳ ନଷ୍ଟ କରାଯାଇ ୭୨୭ ଜାଗାରୁ ଡେଙ୍ଗୁ ମଶାଙ୍କ ଲାର୍ଭା ଚିହ୍ନଟ ହୋଇଛି। ବିଏମ୍ସିର ସ୍ବତନ୍ତ୍ର ଟିମ୍ ଘରଘର ବୁଲି ସଚେତନ କରୁଥିବା ବେଳେ ଆଜି ସ୍ବେଚ୍ଛାସେବୀ ସଂଗଠନ ଜୟ ଓଡ଼ିଶା ସହଯୋଗରେ ବିଏମ୍ସି ଏକ ଡେଙ୍ଗୁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ମୋ ପରିବାର ଆବାହକ ଓ ଜୟ ଓଡ଼ିଶାର ମୁଖ୍ୟ ଉପଦେଷ୍ଟା ଅରୂପ ପଟ୍ଟନାୟକ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ପୂର୍ବତନ ମେୟର ଜଗନ୍ନାଥ ମହାପାତ୍ର, ବିଏମ୍ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ, ସହକାରୀ କମିସନର ଲିଲନ ସାହୁ, ଜୟ ଓଡ଼ିଶା ସଭାପତି ରୁଦ୍ର ସାମନ୍ତରାୟ ପ୍ରମୁଖଙ୍କ ଉପସ୍ଥିତିରେ ଏହି ରଥର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରକୁ ଡେଙ୍ଗୁ ମୁକ୍ତ କରିବା ଅଭିଯାନରେ ଏଭଳି ସଂଗଠନଙ୍କ ଭଳି ଅନ୍ୟମାନେ ଆଗେଇ ଆସିବା ଜରୁରୀ ବୋଲି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ କହିଥିଲେ। ସହରର ବସ୍ତି ଅଞ୍ଚଳରେ ଜୟ ଓଡ଼ିଶାର ସ୍ବେଚ୍ଛାସେବୀମାନେ ସଚେତନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/dengue.jpg)