ରାଜଧାନୀରେ ଡେଙ୍ଗୁ ବେକାବୁ: ଶହେ ଡେଇଁଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା

ଦ୍ରୁତ ସଂକ୍ରମଣ ପଛରେ ଡି-୨ ଭାରିଏଣ୍ଟ୍

ଭୁବନେଶ୍ବର : କରୋନା ମହାମାରୀ ସହ ଯୁଝି ଯୁଝି ରାଜଧାନୀବାସୀ ଅଣ୍ଟା ସଳଖିବା ବେଳେ ଡେଙ୍ଗୁ ଡରାଇବା ଆରମ୍ଭ କରିଛି। ସଚେତନତା ସୃଷ୍ଟି କରିବା ସହ ନିରାକରଣ ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଯଥାସାଧ୍ୟ ଉଦ୍ୟମ କରୁଥିଲେ ହେଁ ଡେଙ୍ଗୁ ବେକାବୁ ହେବାରେ ଲାଗିଛି। ଅଗଷ୍ଟ ଆରମ୍ଭରୁ ୩୫ରୁ ୬୦ ଭିତରେ ସୀମିତ ରହୁଥିବା ଦୈନିକ ଆକ୍ରାନ୍ତ ଗତ ୧୭ ତାରିଖରେ ଶହେ ଡେଇଁଛି। ସେବେଠାରୁ ଆଉ ୫୦ ତଳକୁ ଖସୁ ନାହିଁ। ବିଏମ୍‌ସିର ସ୍ବତନ୍ତ୍ର ଦଳ ଦିନକୁ ୨ଶହରୁ ଊର୍ଦ୍ଧ୍ବ ଘର ବୁଲିବା ସହ ହଜାରେରୁ ଊର୍ଦ୍ଧ୍ବ ଲୋକଙ୍କୁ ସଚେତନ କରାଉଛି ଓ ୨ ହଜାରରୁ ଊର୍ଦ୍ଧ୍ବ ମଶାଙ୍କ ଉତ୍ପତ୍ତିସ୍ଥଳ ନଷ୍ଟ କରୁଛି। ଏସବୁ ସତ୍ତ୍ବେ ଡେଙ୍ଗୁର ଏଭଳି ଆକ୍ରମଣ ଲୋକଙ୍କୁ ଆତଙ୍କିତ କରିଛି।

ଗତ ଜାନୁଆରି ଶେଷ ଆଡ଼କୁ ଶୈଳଶ୍ରୀବିହାରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏହାକୁ ନେଇ ବିଏମ୍‌ସି ତତ୍ପର ହୋଇଥିଲା। ଅନ୍ୟ ଅଞ୍ଚଳ‌ରେ ଯେପରି କେହି ଡେଙ୍ଗୁରେ ଆକ୍ରାନ୍ତ ନ ହୁଅନ୍ତି, ସେଥିପାଇଁ ମିସନ୍‌ ମୋଡ୍‌ରେ ନିରାକରଣ ପ୍ରକ୍ରିୟା ଆରମ୍ଭ କରିଥିଲା। ହେଲେ କିଛି ପ୍ରଭାବ ପଡ଼ି ନଥିଲା। ବସ୍ତିରୁ କଲୋନି, କଲୋନିରୁ ୱାର୍ଡ ଓ ୱାର୍ଡରୁ ସାରା ସହରକୁ କବଳିତ କରିଥିଲା ଡେଙ୍ଗୁ। ଅଗଷ୍ଟ ୧ ତାରିଖରେ ୫୯୮ ଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଆଜି ୧୬୨୦ରେ ପହଞ୍ଚିଛି। ଅର୍ଥାତ୍‌ ୨୦ ଦିନରେ ରାଜଧାନୀରେ ୧୦୨୮ ଡେଙ୍ଗୁ ଆକ୍ରାନ୍ତ ହୋଇଛନ୍ତି। ଯେଉଁ ଧାରାରେ ଡେଙ୍ଗୁ ଉପରମୁହାଁ ହେଉଛି, ତାହା ଆଗକୁ ଅଧିକ ବିପଦ ଆଣିବା ଆଶଙ୍କା ପ୍ରକାଶ ପାଇଛି।

ଏଭଳି ଉଦ୍‌ବେଗଜନକ ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ନେଇ କାହା ପାଖରେ ଉତ୍ତର ନାହିଁ। ଡେଙ୍ଗୁ ନ ବ୍ୟାପିବା ପାଇଁ ବିଏମ୍‌ସି ସଚେତନତା ସୃଷ୍ଟି କରିବା ସହ ମଶା ଉତ୍ସ ନଷ୍ଟ କରିବା, ଲାର୍ଭା ଚିହ୍ନଟ କରି ନଷ୍ଟ କରିବା ପାଇଁ ସ୍ବତନ୍ତ୍ର ଟିମ୍‌ ନିୟୋଜିତ କରିଛି। ପ୍ରଶାସନ ପ୍ରସ୍ତୁତ ରହିଛି, କାହାର ମୃତ୍ୟୁ ହେବ ନାହିଁ ବୋଲି ବରିଷ୍ଠ ଅଧିକାରୀମାନେ କହୁଛନ୍ତି। ଅନ୍ୟପଟେ ଆକ୍ରାନ୍ତ ବଢ଼ିବା ପଛରେ ‘ଡି-୨’ ଭାରିଏଣ୍ଟ ରହିଥିବା କୁହାଯାଉଛି। ନିକଟ ଅତୀତରେ ଆର୍‌ଏମ୍‌ଆର୍‌ସି ପକ୍ଷରୁ ହୋଇଥିବା ଗବେଷଣାରେ ଭୁବନେଶ୍ବରରୁ ଡେଙ୍ଗୁର ଏହି ଭାରିଏଣ୍ଟ ଚିହ୍ନଟ କରାଯାଇଥିଲା। ଏହି ଭାରିଏଣ୍ଟ ନୂଆ ନୁହେଁ ବରଂ ପୂର୍ବରୁ ପୂର୍ବରୁ ଅଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଥିଲା। ତେବେ ପୁଣି ଥରେ ଏହି ଭାରିଏଣ୍ଟ ରାଜଧାନୀରୁ ଚିହ୍ନଟ ହେବା ଜନସାଧାରଣଙ୍କୁ ଭୟଭୀତ କରିଛି। ଚଳିତ ମାସର ଡେଙ୍ଗୁର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି କି ନିରାକରଣ ବ୍ୟବସ୍ଥା ଏକ ପ୍ରକାର ଫେଲ୍‌ ମାରିଛି। ଏକ ସପ୍ତାହ ଧରି ଡେଙ୍ଗୁ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଗତ ୧୩ତାରିଖ ଦିନ ଦୈନିକ ସଂକ୍ରମଣ ୪୯ ଥିଲା। ଏହା ପରଠାରୁ ସଂକ୍ରମଣ ୫୦ ଉପରେ ରହୁଛି। ୧୪ ତାରିଖରେ ୬୭ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ରେ ୫୭ ଜଣ, ୧୬ରେ ୬୮ଜଣ, ୧୭ରେ ସର୍ବାଧିକ ୧୧୬ଜଣ, ୧୮ରେ ୭୧ଜଣ, ୧୯ରେ ୮୨ଜଣ ଓ ଆଜି ୬୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୧୬୨୦ରେ ପହଞ୍ଚିଥିବା ବେଳେ ଆଜି ପର୍ଯ୍ୟନ୍ତ ୧୧୧୩ଜଣ ସୁସ୍ଥ ହୋଇଛନ୍ତି ଓ ୪୯୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ହଠାତ୍‌ ଦୈନିକ ସଂକ୍ରମଣ ଶହେ ଡେଇଁବା ପଛର କାରଣ ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୁବନେଶ୍ବରରେ ସରକାରୀ ଭାବରେ ଆର୍‌ଏମ୍‌ଆରସି ଓ କ୍ୟାପିଟାଲ ହସ୍‌ପିଟାଲରେ ନମୁନା ପରୀକ୍ଷା ହେଉଛି। ନିୟମିତ ୨ଶହରୁ ୨୫୦ ନମୁନା ପରୀକ୍ଷା ହେଉଥିବା ବେଳେ ୧୭ ତାରିଖରେ ୪ଶହରୁ ଊର୍ଦ୍ଧ୍ବ ପରୀକ୍ଷା ହୋଇଛି। ଏଥିପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହୋଇଛି। ତେବେ ଏଥିରୁ ଅନେକ ରୋଗୀ ଭୁବନେଶ୍ବର ବାହାରୁ ମଧ୍ୟ ଅଛନ୍ତି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଏମ୍‌ସିର ସ୍ବତନ୍ତ୍ର ଦଳ ଏଯାବତ୍‌ ୨୨ହଜାର ୭୪୮ ଘର ବୁଲି ୯୮ହଜାର ୨୨୪ ଲୋକଙ୍କୁ ସଚେତନ କରିଥିବା ବେଳେ ୫୭ ହଜାର ୯୩୪ ମଶାଙ୍କ ଉତ୍ପତ୍ତିସ୍ଥଳରୁ ୫୯ ହଜାର ୭୮୯ ଲାର୍ଭା ଚିହ୍ନଟ କରିଛନ୍ତି।

ସମ୍ବନ୍ଧିତ ଖବର