‌ମୌସୁମୀ ଆସିନି: ମାଡ଼ିଲାଣି ଡେଙ୍ଗୁ

ଡମଣା, ଶ୍ରୀବିହାର ଅଞ୍ଚଳରୁ ବାହାରି‌ଲେଣି ୧୨ରୁ ଅଧିକ

ଚନ୍ଦ୍ରଶେଖରପୁର : ମୌସୁମୀ ଓଡ଼ିଶା ଛୁଇଁନି। ଲଗାଣ ବର୍ଷା ଆରମ୍ଭ ହୋଇନି। ଟାଣ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ସହରବାସୀ। ଏଭଳି ସମୟରେ ରାଜଧାନୀରେ କାୟା ମେଲାଇଲାଣି ଡେଙ୍ଗୁ। ୫ରୁ ୭ ଦିନ ମଧ୍ୟରେ ଡମଣା ଓ ଶ୍ରୀବିହାର ଅଞ୍ଚଳରେ ୧୨ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି। ତହିଁରୁ ଗୋଟିଏ ପରିବାରର ୫ଜଣ ଆକ୍ରାନ୍ତ ରହିଛି। ଏହାସହ ଆଉ ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାରୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଆକ୍ରାନ୍ତମାନେ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି। ପ୍ରଥମେ ଡମଣା ଓ ତା’ପରେ ଶ୍ରୀବିହାର ଅଞ୍ଚଳରେ ଡେଙ୍ଗୁ ମାଡ଼ୁଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲାଣି। ସ୍ଥିତି ସଙ୍ଗିନ ଆଡ଼କୁ ଯାଉଥିବା ବେଳେ ଏନେଇ ବିଏମ୍‌ସି ପାଖରେ କୌଣସି ଖବର ନାହିଁ। ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ବି କିଛି ଜାଣି ନ ଥିବା କହିଛନ୍ତି।

ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସମସ୍ତଙ୍କ ନିକଟରେ ଡେଙ୍ଗୁର ଲକ୍ଷଣ ରହିଛି। ଜ୍ବର ଲାଗିରହୁଛି। ଦେହହାତ, ଗଣ୍ଠି, ମାଂଶପେସୀ ଆଦି ପ୍ରବଳ ବିନ୍ଧା ଛିଟିକା ହେଉଛି। ଅନେକଙ୍କର ବାନ୍ତି ବି ହେଉଛି। ସପ୍ତାହେ ହେଲା ଡମଣା ଗାଁରେ ଏଭଳି ସ୍ଥିତି ଉପୁଜିଥିବା ବେଳେ ଏବେ ଶ୍ରୀବିହାରରେ ଡେଙ୍ଗୁ କାୟା ମେଲାଉଛି। ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଘରୋଇ ହସ୍ପିଟାଲ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରରେ ପରୀକ୍ଷା କରିବା ସହ ରିପୋର୍ଟ ହାତେଇଛନ୍ତି। ଯେଉଁଥିରେ ଡେଙ୍ଗୁ ପଜିଟିଭ୍ ରହିଛି। ପଜିଟିଭ୍‌ ଚିହ୍ନଟ ହେବା ପରେ ମଧ୍ୟ ଆକ୍ରାନ୍ତମାନେ ସରକାରୀ ଡାକ୍ତରଖାନାକୁ ଯାଇ ନାହାନ୍ତି କି ସେଠାରୁ ଔଷଧ ଆଣିନାହାନ୍ତି। ବରଂ ଘରୋଇ ଡାକ୍ତରଙ୍କୁ ଦେଖାଇ ଔଷଧ ଖାଉଛନ୍ତି।

ଆରମ୍ଭ ହୋଇନି ବିଏମ୍‌ସିର ସ୍ପେସାଲ୍‌ ଡ୍ରାଇଭ୍
ରୋଇ ଡାଏଗ୍ନୋଷ୍ଟିକ୍ ରିପୋର୍ଟକୁ ସ୍ବାସ୍ଥ୍ୟ ବିଭାଗ ଗ୍ରହଣ କରିବ ତ?

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ପ୍ରତିଦିନ ସେମାନଙ୍କ ଅଞ୍ଚଳରୁ ଜଣେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ବରରେ କେବଳ ସରକାରୀ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲ ଓ ଆରଏମ୍‌ଆରସିରେ ଡେଙ୍ଗୁ ପରୀକ୍ଷା କରାଯାଉଛି। ଏତେ ବାଟ ଆସି ପରୀକ୍ଷା କରାଇବା ସେମାନଙ୍କ ପାଖରେ ସମ୍ଭବପର ନୁହେଁ। ତେଣୁ ନିକଟରେ ଥିବା ଡାଇଗ୍ନୋଷ୍ଟିକ୍‌ ସେଣ୍ଟରରେ ସେମାନେ ପରୀକ୍ଷା କରୁଛନ୍ତି ଏବଂ ରିପୋର୍ଟ ପଜିଟିଭ୍‌ ଆସୁଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ନା ଲୋକ ସଚେତନ ହେଉଛନ୍ତି ନା ବିଏମ୍‌ସି ‌କିଛି ଆଖିଦୃଶିଆ ପଦକ୍ଷେପ ନେଉଛି। ଡେଙ୍ଗୁ ପ୍ରବଣ ରାଜଧାନୀରେ ପ୍ରତିବର୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ହେଁ ବିଏମ୍‌ସି ଏଥର ସ୍ପେସାଲ ଡ୍ରାଇଭ୍ ହୋଇନାହିଁ। ଦୁଇ ଅଞ୍ଚଳ ମଝିରେ ପ୍ରମୁଖ ଡ୍ରେନ୍‌ ଯାଇଥିବାରୁ ଡେଙ୍ଗୁ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ସେମାନେ ଅଭିଯୋଗ କରିଛନ୍ତି।

କିଛି ଦିନ ତଳେ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ସ୍ବାଇନ୍‌ ଫ୍ଲୁ ଚିହ୍ନଟ ହୋଇଥିଲା। ଆଉ ଏବେ ଡେଙ୍ଗୁ ବ୍ୟାପିବା ପ୍ରଶାସନ ଲାଗି ଆହ୍ବାନ ସୃଷ୍ଟି କରିଛି। ଗତବର୍ଷ ଭୁବନେଶ୍ବରରେ ଡେଙ୍ଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ଜୁନ୍‌ ଓ ଜୁଲାଇ ମାସରେ ସ୍ଥିତି ଏମିତି ହୋଇଥିଲା ଯେ ସରକାରୀ ଭାବେ ଦୁଇ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବେସରକାରୀ ଭାବେ ସଂଖ୍ୟା ଆହୁରି ଅଧିକ ରହିଥିଲା। ଏମିତିକି ଜଣେ ଆକ୍ରାନ୍ତଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଡ଼ାଇ ଦିଆଯାଇଥିଲା। ଅନ୍ୟ କାରଣ ଲାଗି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା। ଏ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀର ସବୁ ଘରୋଇ ହସ୍ପିଟାଲ/କ୍ଲିନିକ୍/ଡା‌ଏଗ୍ନୋଷ୍ଟିକ୍ ସେଣ୍ଟରକୁ ଚିଠି ଜାରି ହେବା ସହିତ ଆକ୍ରାନ୍ତଙ୍କ ନମୁନା ସରକାରୀ ପରୀକ୍ଷା କେନ୍ଦ୍ରକୁ ପଠାଇବାକୁ କୁହାଯାଇଥିଲା। ତେଣୁ ଡମଣା ଓ ଶ୍ରୀବିହାର ଅଞ୍ଚଳରେ ଥିବା ଲୋକମାନେ ଘରୋଇ ଡାଏଗ୍ନୋଷ୍ଟିକ ସେଣ୍ଟର ଉପରେ ଡେଙ୍ଗୁ ପରୀକ୍ଷା ପାଇଁ ନିର୍ଭର କରୁଥିବାରୁ ସ୍ବାସ୍ଥ୍ୟ ବିଭାଗ ଏସବୁ ରିପୋର୍ଟକୁ ଗ୍ରହଣ କରିବ କି ନାହିଁ ତାହା ସନ୍ଦେହରେ ରହିଛି। ଏହାସହ ଘରୋଇ ହସ୍ପିଟାଲ/ଡାଏଗ୍ନୋଷ୍ଟିକ୍ ସେଣ୍ଟରମାନେ ମଧ୍ୟ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ବିଭାଗକୁ ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ଦେଉନଥିବାରୁ ଅନେକ ମାମଲା ସରକାରୀଭାବେ ରେକର୍ଡକୁ ଆସିପାରୁନାହିଁ।

ରାଜଧାନୀର ଅନେକ ଅଞ୍ଚଳ ଡେଙ୍ଗୁ ପ୍ରବଣ ରହିଛି। ଏସବୁ ଅଞ୍ଚଳରେ ପ୍ରତିବର୍ଷ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିଲେ ହେଁ ବି ପ୍ରଶାସନ କିଛି ଶିଖିଲା ନାହିଁ। ମୌସୁମୀ ଆସିବା ପୂର୍ବରୁ ପ୍ରତିବର୍ଷ ସ୍ବାସ୍ଥ୍ୟ ବିଭାଗ/ବିଏମ୍‌ସି ପକ୍ଷରୁ ସ୍ପେସାଲ ଡ୍ରାଇଭ୍ ଗ୍ରହଣ କରାଯାଇଥାଏ। ଚଳିତବର୍ଷ ଏ ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ତାହାର ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ। ଗତବର୍ଷ ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାର ଅଞ୍ଚଳରେ ଡେଙ୍ଗୁ ସଂକ୍ରମଣ ଅଣାୟତଃ ହୋଇଥିଲା। ଡମଣା ଓ ଶ୍ରୀବିହାର ଅଞ୍ଚଳରେ ଅନେକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥର ସମାନ ସ୍ଥିତି ଉପୁଜିଥିବାରୁ ଆଗକୁ ପରିସ୍ଥିତି କ’ଣ ହେବ ସେନେଇ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି।

ସମ୍ବନ୍ଧିତ ଖବର