ଭୁବନେଶ୍ବର : ବୋଲ ମାନୁନି ଡେଙ୍ଗୁ। ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଡେଇଁ ଚାଲିଛି। ପ୍ରଥମେ ଡମଣାରେ ମାଡ଼ିଲା। ତା’ପରେ ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର ଦେଇ ଏବେ ୟୁନିଟ୍‌-୮ରେ ପ୍ରବେଶ କଲାଣି। ପୁରୁଣା ଭୁବନେଶ୍ବରରେ ବି ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଧୀରେ ଧୀରେ ସହରରେ ଡେଙ୍ଗୁ ମାଡ଼ୁଥିଲେ ମଧ୍ୟ ପ୍ରଶାସନ ସତେଯେମିତି ନିରବ ବସିଛି। ନା ସବୁ ଅଞ୍ଚଳରେ ମଶା ଧୂଆଁ ପହଞ୍ଚିଛି, ନା ସଫେଇ ହେଉଛି। କେବେ ବିଏମ୍‌ସିର ବାବୁମାନଙ୍କ କୃପାଦୃଷ୍ଟି ପଡ଼ିବ ଏବଂ ମଶା ତେଲ ସିଞ୍ଚନ ହେବ, ତାହାକୁ ଲୋକେ ଚାହିଁ ରହିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ କଥା ନ କହିବା ଭଲ। ଭୁବନେଶ୍ବରରୁ ପ୍ରତିଦିନ କେତେ ରୋଗୀ ଚିହ୍ନଟ ହେଉଛନ୍ତି, ସେନେଇ କୌଣସି ତଥ୍ୟ ଦେଉନାହାନ୍ତି। ବିଏମ୍‌ସି ଅଧିକାରୀମାନେ ବି ଡେଙ୍ଗୁ ସଂକ୍ରମଣଙ୍କ ତଥ୍ୟ ରଖିବାକୁ ତ ଆଦୌ ଇଚ୍ଛା ପ୍ରକାଶ କରୁନାହାନ୍ତି। ପଚାରିଲେ, ସେହି ଚିରାଚରିତ ଉତ୍ତର, ଆମେ ପଦକ୍ଷେପ ନେଉଛୁ। ଲୋକେ ସଚେତନ ହୁଅନ୍ତୁ।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ଚିହ୍ନଟଙ୍କ ସଂଖ୍ୟା ଏବେ ହୁ’ ହୁ’ ହୋଇ ବଢ଼ି ଚାଲିଛି। କେଉଁ ଅଞ୍ଚଳରୁ ଡେଙ୍ଗୁ ସଂକ୍ରମିତ ବାହାରୁଛନ୍ତି, ସେନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ ଖବର ନାହିଁ। ମାତ୍ର ଗତ କିଛି ଦିନ ମଧ୍ୟରେ ହସ୍ପିଟାଲରେ ଡେଙ୍ଗୁ ଚିହ୍ନଟଙ୍କ ସଂଖ୍ୟା ବଢ଼ି ଶହେ ପାର୍‌ ହୋଇଗଲାଣି। ମାସେ ଭିତରେ ପରୀକ୍ଷା ହୋଇଥିବା ନମୁନାଗୁଡ଼ିକ ମଧ୍ୟରୁ ୧୨୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିସହ ଆଜି ଜଣେ ଗୁରୁତର ରୋଗୀ ହସ୍ପିଟାଲର ଡ‌େଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଛନ୍ତି। ସମ୍ପୃକ୍ତ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରମାନେ ତାଙ୍କ ଚିକିତ୍ସା କରୁଛନ୍ତି।

କ୍ୟାପିଟାଲ ହସ୍ପିଟାଲ ପରୀକ୍ଷା କେନ୍ଦ୍ରରୁ ୧୨୫ ଚିହ୍ନଟ
ଆଜିର ବର୍ଷା ବଢ଼ାଇଲା ସହରବାସୀଙ୍କ ଚିନ୍ତା
ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ନମୁନା‌ ପରୀକ୍ଷା କରିବାକୁ ଦାବି

publive-image

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା, ଏବେ ପ୍ରତିଦିନ ହାରାହାରି ୨୦ ଜଣ ଡେଙ୍ଗୁ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ହେଉଛି। ଆଜି ରବିବାର ଛୁଟି ଦିନରେ ବି ୧୩ ଜଣ ସନ୍ଦିଗ୍ଧଙ୍କ ଟେଷ୍ଟ କରାଯାଇଥିଲା। ସେଥିରୁ ଜଣଙ୍କର ନମୁନା ପଜିଟିଭ୍‌ ଆସିଛି। ଡେଙ୍ଗୁ ରୋଗୀଙ୍କ ସୁବିଧା ପାଇଁ ମେଡିକାଲରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଡେଙ୍ଗୁ ପରୀକ୍ଷା ପାଇଁ ଏକ ସ୍ବତନ୍ତ୍ର କାଉଣ୍ଟର୍‌ ଖୋଲା ଯାଇଛି। ଭୁବନେଶ୍ବର ବ୍ୟତୀତ ପୁରୀ, ପିପିଲି, ନୟାଗଡ଼, ଖୋର୍ଦ୍ଧା ଆଦି ଅଞ୍ଚଳରୁ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ଓ ଡେଙ୍ଗୁ ପରୀକ୍ଷା କରୁଛନ୍ତି। ଯେଉଁଥିପାଇଁ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବ‌ା କର୍ତୃପକ୍ଷ କହିଛନ୍ତି।

ଅପରପକ୍ଷେ, ଆଜି ଭୁବନେଶ୍ବରରେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ସହରବାସୀଙ୍କ ଚିନ୍ତା ବଢ଼ିଯାଇଛି। ଆଗକୁ ଆହୁରି ଭୟଙ୍କର ପରିସ୍ଥିତି ଉପୁଜିବା ନେଇ ଆଶଙ୍କା‌ ପ୍ରକାଶ ପାଇଛି। ଏମିତିକି ୨୦୨୧ ତୁଳନାରେ ଏଥର ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ ରହିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ସେମାନଙ୍କ କହିବା କଥା, ଏବେ ଜୁନ୍‌ ମାସ ଆରମ୍ଭ ହୋଇଛି। ଏବେଠାରୁ ଯଦି ଶତାଧିକ ଆକ୍ରାନ୍ତ ବାହାରୁଛନ୍ତି, ଆଗକୁ ପରିସ୍ଥିତି କିଭଳି ହେବ, ତାହା ଅନୁମେୟ। ତେଣୁ ପ୍ରଶାସନ ଏବେଠାରୁ ସଜାଗ ହେବା ଆବଶ୍ୟକ। ଲୋକଙ୍କୁ ବାରମ୍ବାର ସଚେତନ କରିବା ସହ ସେମାନଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାର ଦାୟିତ୍ବ ସ୍ବାସ୍ଥ୍ୟ ବିଭାଗର। ଏବେ କେବଳ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ନମୁନା ପରୀକ୍ଷା ହେଉଛି। ଗତବର୍ଷ ପରି ଏଥର ମଧ୍ୟ ଅନ୍ୟାନ୍ୟ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ନମୁନା ପରୀକ୍ଷା ବ୍ୟବସ୍ଥା କରାଯାଉ। ଯେଉଁ ଅଞ୍ଚଳରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଠାରେ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ଅଧିକାରୀ, ଆଶାକର୍ମୀଙ୍କୁ ପଠାଯାଇ ବିହିତ ପଦକ୍ଷେପ ନିଆଯାଉ। ସର୍ବୋପରି ବିଏମ୍‌ସି ମଧ୍ୟ ସଫେଇ ଉପରେ ଅଧିକ ଗୁରୁତ୍ବ ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି।