ଭୁବନେଶ୍ୱର: ବର୍ଷା ଋତୁ ଆସିବା ପୂର୍ବରୁ ଡେଙ୍ଗୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସକାଳେ କମିସନର ରାଜେଶ ପ୍ରଭାକର ପାଟିଲ ଓ ସଂଧ୍ୟାରେ ମେୟର ସୁଲୋଚନା ଦାସ ଡେଙ୍ଗୁ ସ୍ଥିତିର ସମୀକ୍ଷା କରିଛନ୍ତି। ଅଧିକାରୀଙ୍କ ସହ ଏ ସଂପର୍କରେ ବିସ୍ତୃତ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡେଙ୍ଗୁ ରୋଗୀ ସଂଖ୍ୟା ହ୍ରାସ ଦିଗରେ ସମନ୍ୱୟ ରକ୍ଷା ପୂର୍ବକ କାମ କରିବାକୁ କୁହାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଶୂନ୍ୟ ଵାର୍ଡକୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।
ନିଷ୍ପତ୍ତି ଅନୁଯାୟୀ, ଡେଙ୍ଗୁ ଦୂରୀକରଣ ପାଇଁ ବିଏମ୍ସିର ୧୦୦ କର୍ମଚାରୀଙ୍କୁ ନେଇ ୨୦ଟି ଟିମ୍ ଗଠନ କରାଯିବ। ପ୍ରତି ଟିମ୍ରେ ୫ଜଣ କର୍ମଚାରୀ ରହିବେ। ଏମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଡେଙ୍ଗୁ ବଂଶବୃଦ୍ଧି କାରଣର ଡେମୋନ୍ଷ୍ଟ୍ରେସନ୍ କରିବେ। ଲୋକଙ୍କୁ ଡେଙ୍ଗୁ ରୋଗ ସଂପର୍କରେ ଜଣାଇବେ। ରେଡିଓ, ସମସ୍ତ ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ବିଶେଷଜ୍ଞଙ୍କର ସଚେତନତାମୂଳକ ବାର୍ତ୍ତା, ବୃତ୍ତଚିତ୍ର, ସ୍ଥିରଚିତ୍ର ଆଦି ଜରିଆରେ ଜନ ସଚେତନତା ସୃଷ୍ଟି କରାଯିବ। ଡାକବାଜି ଜରିଆରେ ସମସ୍ତ ଆବାସିକ ଓ ବ୍ୟବସାୟିକ ଅଞ୍ଚଳରେ ପ୍ରଚାର କରାଯିବ।
ପୁରସ୍କୃତ ହେବେ ଡେଙ୍ଗୁ ଶୂନ୍ୟ ୱାର୍ଡ
ପ୍ରତି ୱାର୍ଡରେ ପାଳନ ହେବ ‘ଜିରୋ ଡେଙ୍ଗୁ ଡେ’
ନିୟମ ଭାଙ୍ଗିଲେ ମହାମାରୀ ଆଇନରେ ତଣ୍ଡ
ସମସ୍ତ କର୍ପୋରେଟର, ଆବାସିକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ବଜାର ସଂଘ, ହୋଟେଲ, ରେଷ୍ଟୁରାଣ୍ଟ, ବସ୍ତି ସଂଘ, ଉଠାଦୋକାନୀ ସଂଘ ଆଦିଙ୍କୁ ନେଇ ସଚେତନତା ସଭା ଓ ଶୋଭାଯାତ୍ରା କରାଯିବ। ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟର୍ସ, ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ ଓ ଶିଳ୍ପାଞ୍ଚଳ, ଇଡ୍କୋ ଆଦି ଅଞ୍ଚଳରେ ସ୍ୱତନ୍ତ୍ର ନଜର ରଖାଯିବ। ନିୟମିତ ମଶା ଧୂଆଁ ଓ ମଶା ତେଲ ସିଞ୍ଚନ କରିବା, ମଶା ଅଣ୍ଡା ଦେଉଥିବା ସ୍ଥାନ ବା ଉତ୍ସଗୁଡିକୁ ନଷ୍ଟ ଆଦି କାର୍ଯ୍ୟ ଜାରି ରହିବ। ପ୍ରତି ଵାର୍ଡରେ ‘ଜିରୋ ଡେଙ୍ଗୁ ଡେ’ ପାଳନ କରାଯିବ। ଯେଉଁମାନେ ନିୟମ ଭଙ୍ଗ କରିବେ, ମହାମାରୀ ରୋଗ ଆଇନ ଅନୁଯାୟୀ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। ଯଦି କୌଣସି ଅଞ୍ଚଳରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୁଅନ୍ତି, ସେଠାରେ ସ୍ବତନ୍ତ୍ର ନଜର ରଖାଯିବ। ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ କମିସନର ରତ୍ନାକର ସାହୁ, ଶୁଭେନ୍ଦୁ କୁମାର ସାହୁ, କୈଳାସ ଚନ୍ଦ୍ର ଦାସ, ସହକାରୀ କମିସନର ଶ୍ରୀ ଏନ୍. ଗଣେଶ ବାବୁ, ଅତିରିକ୍ତ ନିର୍ଦ୍ଦେଶକ(ଜନସ୍ୱାସ୍ଥ୍ୟ) ତଥା ଅର୍ବାନ ମେଟ୍ରୋପଲିଟାନ ସର୍ଭେଲାନ୍ସ ୟୁନିଟର ନୋଡାଲ ଅଫିସର ଡା. ପ୍ରମିଳା ବରାଳ ପ୍ରମୁଖ ଉପସ୍ଥିତ ଥିଲେ।