ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଡେଇଁଲା

୭ ଓ ୧୪ ନମ୍ବର ୱାର୍ଡରେ ସ୍ଥିତି ସଙ୍ଗିନ, ଘରକୁ ଘର ବୁଲି ଯାଞ୍ଚ କଲା ଡାକ୍ତରୀ ଦଳ

ଚନ୍ଦ୍ରଶେଖରପୁର : ମଶା ଧୂଆଁ ଛଡ଼ାଯାଉଛି। ଗଛ କଟାଯାଉଛି। ଲୋକଙ୍କୁ ସଚେତନ ବି କରାଯାଉଛି। ତା’ପରେ ବି ଡେଙ୍ଗୁରେ ରୋକ୍‌ ଲାଗୁନି। ଜଣଙ୍କ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି। ଏବେ ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଡେଇଁଛି। ଆଜି ସନ୍ଧ୍ୟା ସୁଦ୍ଧା ସହରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି ସୂଚନା ଦେଇଛି। ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି। ବିଏମ୍‌ସି ୭ ଓ ୧୪ ନମ୍ବର ୱାର୍ଡରେ ଆସୁଥିବା ନୀଳାଦ୍ରିବିହାର ଓ ଶୈଳଶ୍ରୀ ବିହାର ଅଞ୍ଚଳରୁ କେବଳ ଶତାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେସରକାରୀ ଭାବେ ଜଣାପଡ଼ିଛି।

ଡେଙ୍ଗୁ ସ୍ଥିତି ଭୟଙ୍କର ରୂପ ନେବା ପରେ ଆଜି ଏକ ଡାକ୍ତରୀ ଦଳ ୭ ଓ ୧୪ ନମ୍ବର ୱାର୍ଡ ଗସ୍ତ କରିଛି। ଲୋକଙ୍କ ଘରକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। କେତେକ ଲୋକଙ୍କଠାରେ ଜ୍ବରର ଲକ୍ଷଣ ଦେଖିବାକୁ ପାଇଛନ୍ତି। ଏଥିସହ ଡେଙ୍ଗୁର ଲକ୍ଷଣ ସମ୍ପର୍କରେ ଲୋକଙ୍କୁ ବୁଝାଇ ଭୟଭିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଅଳ୍ପ କିଛି ଲୋକ ଡେଙ୍ଗୁ ପରୀକ୍ଷା ସମ୍ପର୍କରେ ସଚେତନ ଥିବା ଡାକ୍ତରୀ ଦଳ ଦେଖିବାକୁ ପାଇଥିଲା। ସରକାରୀସ୍ତରରେ କ୍ୟାପିଟାଲ ହସ୍ପିଟାଲ ଓ ଆରଏମ୍‌ଆରସିରେ ବିନା ମୂଲ୍ୟରେ ଡେଙ୍ଗୁ ପରୀକ୍ଷା ଲାଗି ‌ଏଲିସା‌ ଟେଷ୍ଟ ହେଉଥିବା ନେଇ ଅଧିକାଂଶ ଲୋକ ଜାଣି ନାହାନ୍ତି। ତେଣୁ ଡାକ୍ତରୀ ଦଳ କହିଥିଲେ ଯେ ବିନା ପରୀକ୍ଷାରେ ଆମେ କାହାକୁ ବି ଡେଙ୍ଗୁ ହୋଇଥିବା କହିପାରିବା ନାହିଁ। ଏଭଳି ମାନସିକତାରୁ ଦୂରେଇ ରହିବା ସହ ଡେଙ୍ଗୁ ବିରୋଧରେ ଲଢ଼େଇରେ ସାମିଲ ହେବାକୁ ସାଧାରଣ ଲୋକଙ୍କୁ ବୁଝାଇଥିଲେ। ଏବେ ସୁଦ୍ଧା ୫୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବାକି ଯେଉଁମାନଙ୍କଠାରେ ଜ୍ବରର ଲକ୍ଷଣ ରହିଛି ସେମାନଙ୍କ ପରୀକ୍ଷା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂହ କହିଛନ୍ତି ଯେ ଅଧିକାଂଶ ଲୋକ ଏଲିସା ଟେଷ୍ଟ କରୁ ନ ଥିବାରୁ ଆମେ ଉପଯୁକ୍ତ ପଦକ୍ଷେପ ନେଇପାରୁ ନାହୁଁ। ସେମାନେ ନିକଟସ୍ଥ ସ୍ବାସ୍ଥ୍ୟକର୍ମୀ ଓ ବିଏମ୍‌ସି କର୍ମଚାରୀଙ୍କ ସହ ଯୋଗାଯୋଗ କରି ପରୀକ୍ଷା କରାଇବା ଆବଶ୍ୟକ। ଘରକୁ ଘର ବୁଲି ପ୍ରତିଦିନ ଲୋକଙ୍କୁ ସଚେତନ କରାଯିବା ସହ ପ୍ରଚାରପତ୍ର ବଣ୍ଟନ ହେଉଛି। ‌ହେଲ୍‌ଥ ସୁପରଭାଇଜର, ସାନିଟାରି ଇନ୍ସିପେକ୍ଟର, ୱାର୍ଡ ଅଫିସର, ଆଶା, ଅଙ୍ଗନବାଡ଼ି କର୍ମୀ, ସ୍ବଚ୍ଛ ସାଥୀ, ସାନିଟାରି କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବର୍ତମାନ ସୁଦ୍ଧା ଏମାନେ ୧୦ ହଜାର ଜନସଂଖ୍ୟା ଥିବା ଏହି ଅଞ୍ଚଳର ପ୍ରାୟ ଦୁଇ ହଜାର ଘର ବୁଲିସାରିଛନ୍ତି।

ସଚେତନତା ବ୍ୟତୀତ ବିଏମ୍‌ସିର ଏକ ଟିମ୍‌ ଘରକୁ ଘର ବୁଲି ଯାଞ୍ଚ କରୁଛନ୍ତି। ଲୋକଙ୍କ ଘରେ ଥିବା ଟାୟାର, କପ୍‌, ଫୁଲ କୁଣ୍ଡିଆ, ଭଙ୍ଗା ପାତ୍ର, ନଡ଼ିଆ ଷଢ଼େଇ, ଗ୍ଲାସ ଓ କପ୍‌ରେ ଜମି ରହିଥିବା ପାଣି ନିଷ୍କାସନ ଉପରେ ଗୁରୁତ୍ବ ଦେଉଛନ୍ତି। ୮୦୦ରୁ ଅଧିକ ଘରରୁ ଏଭଳି ସାମଗ୍ରୀ ଚିହ୍ନଟ କରାଯିବା ସହ ସେଗୁଡ଼ିକୁ ନଷ୍ଟ କରାଯାଇଛି। ଯେଉଁଥିରେ ଡେଙ୍ଗୁ ବାହାକ ସାଜିଥିବା ଲାଭ୍ରା ମଶା ଚିହ୍ନଟ ହୋଇଛି। ସହରର ବିଭିନ୍ନ ସ୍ଥାନରେ ନିୟମିତ ଭାବେ ଧୂଆଁ ଛଡ଼ାଯାଉଛି। ଯେଉଁମାନଙ୍କୁ ଜ୍ବର ହୋଇଛି ସ୍ବାସ୍ଥ୍ୟ କର୍ମୀମାନେ ସେମାନଙ୍କୁ ନିୟମିତ ଭାବେ ପା‌ରାସିଟାମଲ୍‌ ବଟିକା ଓ ଓଆର୍‌ଏସ୍‌ ପାଉଡର ଯୋଗାଇ ଦେଉଛନ୍ତି ବୋଲି ବିଏମ୍‌ସି ଉତ୍ତର ଜୋନ୍‌ ଡେପୁଟି କମିସନର ପୁରନ୍ଦର ନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର