ବୁଦ୍ଧ ପାର୍କ ଡଷ୍ଟବିନ୍‌ରୁ ବ୍ୟାପିଛି ଡେଙ୍ଗୁ

ସବୁ ପାର୍କରେ ଡଷ୍ଟବିନ୍‌ ଓଲଟାଇ ରଖିବାକୁ ପରାମର୍ଶ ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ବର : ରାଜଧାନୀରେ ବେଶ୍ କଛିଦିନ ଧରି ଆତଙ୍କ ସୃଷ୍ଟି କରିଥିବା ‘ଡେଙ୍ଗୁ’ ବୁଦ୍ଧ ପାର୍କରୁ ବ୍ୟାପିଥବା ଜାଣିବାକୁ ପାଇଛି ସ୍ବାସ୍ଥ୍ୟ ବିଭାଗ। ପାର୍କ ଦୀର୍ଘ ଦିନ ଧରି ବନ୍ଦ ରହିବା ଫଳରେ ଡଷ୍ଟବିନ୍‌ରେ ପାଣି ଜମିବା ସହିତ ଏଡିସ୍‌ ମଶାର ଉତ୍ସ ପାଲଟି ଯାଇଥିଲା। ତେଣୁ ରାଜଧାନୀରେ ଥିବା ସମସ୍ତ ପାର୍କରେ ଡଷ୍ଟବିନ୍‌କୁ ଓଲଟାଇ ରଖିବା ଲାଗି ବିଏମ୍‌ସିକୁ କୁହାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ରାଜଧାନୀର ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର ଅଞ୍ଚଳରେ ଡେଙ୍ଗୁ ଆତଙ୍କ ଖେଳାଇଛି। ଚଳିତବର୍ଷ ଖୋର୍ଧା ଜିଲ୍ଲାରେ ସମୁଦାୟ ୯୮ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରୁ ୮୮ଜଣଙ୍କୁ ଗତ କିଛି ଦିନ ଭିତରେ ଚିହ୍ନଟ କରାଯାଇଛି। ତେଣୁ ରାଜଧାନୀରେ ଏହି ସଂଖ୍ୟା ୭୦ ଛୁଇଁବ ବୋଲି ଅନୁମାନ କରାଯାଉଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ପରେ ସ୍ଥାନୀୟ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏ ସମୟରେ ନୀଳାଦ୍ରିବିହାର ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଘରୁ ଡେଙ୍ଗୁ ଚାରିଆଡ଼କୁ ବ୍ୟାପିଥିବା ପ୍ରଥମେ କୁହାଯାଇଥିଲା। ମାତ୍ର ସଂପୃକ୍ତ ପରିତ୍ୟକ୍ତ ଘର ନୁହେଁ, ବରଂ ବୁଦ୍ଧ ପାର୍କରୁ ବ୍ୟାପିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବନ୍ଦ ହୋଇ ରହିଥିବା ବୁଦ୍ଧ ପାର୍କରେ ବହୁ ସଂଖ୍ୟାରେ ଡଷ୍ଟବିନ୍‌ ରହିଛି। ବିଭାଗର ଟିମ୍‌ ଡେଙ୍ଗୁ ରୋଗର ଉତ୍ସ ଖୋଜିବା ପାଇଁ ବିଭିନ୍ନ ଅଞ୍ଚଳକୁ ଯାଇଥିବା ବେଳେ ଏ ସଂପର୍କରେ ଜଣାପଡ଼ିଥିଲା। ପାର୍କରେ ଥିବା ବହୁ ଡଷ୍ଟବିନ୍‌ରେ ବର୍ଷା ଯୋଗୁଁ ଏଡିସ୍‌ ମଶାର ଲାର୍ଭା ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ ସ୍ବାସ୍ଥ୍ୟ ଅଧିକାରୀ। ତେଣୁ ସେହିଠାରୁ ହିଁ ଚାରିଆଡ଼କୁ ବ୍ୟାପିଥିବା ସ୍ପଷ୍ଟ‌ ହୋଇଥିଲା। ପାର୍କରେ ଥିବା ଡଷ୍ଟବିନ୍‌କୁ ଓଲଟା ଯିବା ସହ ରାଜଧାନୀରେ ଥିବା ଅନ୍ୟ ପାର୍କଗୁଡ଼ିକରେ ଏଭଳି କରିବା ଲାଗି ବିଏମ୍‌ସିକୁ କୁହାଯାଇଛି। ଅନେକ ପାର୍କରେ ଡଷ୍ଟବିନ୍‌କୁ ଓଲଟାଇ ରଖିବା କାର୍ଯ୍ୟ ଶେଷ ‌ହୋଇଗଲାଣି। ରାଜଧାନୀ କିମ୍ବା ରାଜ୍ୟରେ ଏ ପର୍ଯ୍ୟନ୍ତ ଡେଙ୍ଗୁ ମହାମାରୀ ରୂପ ନେଇନାହିଁ। ଏଡିସ୍‌ ମଶା ଅତି କମ୍‌ରେ ୧ମାସ ପର୍ଯ୍ୟନ୍ତ ରହିଥାଏ। ତେଣୁ ଖୁବ୍‌ଶୀଘ୍ର ରାଜଧାନ‌ୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିବ। ତେବେ ମଇଳା କିମ୍ବା ଡ୍ରେନ୍‌ ପାଣି ସହ ‌ଏଡିସ୍‌ ମଶାର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷରେ ଆରଏମ୍‌ଆର୍‌ସି ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କ୍ୟାମ୍ପ ଜରିଆରେ ଲୋକଙ୍କ ପରୀକ୍ଷା ହେଉଥିବା ବେଳେ ତାହା ଏବେ ବନ୍ଦ ହୋଇଯାଇଛି। ଫଳରେ ଲୋକମାନଙ୍କୁ ଘ‌ରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। କିନ୍ତୁ ଅଧିକାଂଶ ଲୋକ ଡେଙ୍ଗୁର ଲକ୍ଷଣ ରହିଥିଲେ ମଧ୍ୟ ପରୀକ୍ଷା ପାଇଁ ଯାଉ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର