ଗାଈଗୋରୁଙ୍କ ପାଇଁ ଥିବା କୁଣ୍ଡରୁ ଡମଣା ଓ ଶ୍ରୀବିହାର ଅଞ୍ଚଳରେ ଡେଙ୍ଗୁ ବ୍ୟାପିଛି!

ସ୍ବାସ୍ଥ୍ୟ ବିଭାଗ ଟିମ୍‌ର ଘଟଣାସ୍ଥଳ ପରିଦର୍ଶନ

ଭୁବନେଶ୍ବର : ଡମଣା ଓ ଶ୍ରୀବିହାର ଅଞ୍ଚଳରେ କେଉଁ ପରିସ୍ଥିତିରେ ‌ଡେଙ୍ଗୁ ବ୍ୟାପିଲା ତାହାର ଅନୁଧ୍ୟାନ ଲାଗି ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ସେସବୁ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଯେଉଁସବୁ ସ୍ଥାନରୁ ଡେଙ୍ଗୁ ବ୍ୟାପିବାର ଆଶଙ୍କା ରହିଛି ‌ସେ ସଂପର୍କିତ ରିପୋର୍ଟ ବିଭାଗକୁ ଜଣାଇଛନ୍ତି। ଆଗକୁ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ଘରୋଇ ହସ୍ପିଟାଲ/ଡା‌ଏଗ୍ନୋଷ୍ଟିକ ସେଣ୍ଟରଗୁଡ଼ିକରେ କୌଣସି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଲେ, ତାହାର ନମୁନା ରାଜ୍ୟ ସରକାରଙ୍କ ସେଣ୍ଟିନାଲ ସାଇଟ୍‌କୁ ପଠାଇବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ ରହିଛି। ମାତ୍ର ଏହି ନିର୍ଦେଶାନାମାକୁ ଘରୋଇ ଟେଷ୍ଟିଂ କେନ୍ଦ୍ର ପାଳନ କରୁ ନ ଥିବାରୁ ରାଜଧାନୀରେ ପ୍ରକୃତରେ ଡେଙ୍ଗୁ କିଭଳି ବ୍ୟାପିଲାଣି ତାହା ଜାଣିବା କଷ୍ଟକର ହୋଇପଡ଼ିବ।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଅଞ୍ଚଳ ଡେଙ୍ଗୁ ପାଇଁ ସମ୍ବେଦନଶୀଳ ଥିବାରୁ ବିଭାଗର ୨ଜଣିଆ ଟିମ୍ ଆଜି ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିଥିଲେ। କେତେକ ସ୍ଥାନରେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଗାଈଗୋରୁଙ୍କ ପାଇଁ କିଛି କୁଣ୍ଡ ରଖିଥିବା ବେଳେ ତହିଁରୁ ଡେଙ୍ଗୁ ବ୍ୟାପିଥିବା ସେମାନେ ସନ୍ଦେହ ପ୍ରକଟ କରିଛନ୍ତି। ତେଣୁ ଦୀର୍ଘଦିନ ଧରି ଏସବୁ କୁଣ୍ଡରେ ପାଣି ନ ରଖିବା ଲାଗି ସଂଗଠନର କର୍ମକର୍ତାମାନଙ୍କୁ ବୁଝାଇଛନ୍ତି। ଆଗକୁ ବିଭାଗ ପକ୍ଷରୁ ସର୍ଭେଲାନ୍‌ସ ପରେ ଚିତ୍ର ଆହୁରି ସ୍ପଷ୍ଟ ହୋଇପାରିବ। ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଡେଙ୍ଗୁ ପାଇଁ ଗଣ ପରୀକ୍ଷାର ଜରୁରୀ ନୁହେଁ। କେବଳ ଫିଭର ସର୍ଭେଲାନ୍‌ସ ଜରିଆରେ ଡେଙ୍ଗୁକୁ ଚିହ୍ନଟ କରାଯାଇଥାଏ। ଯେଉଁ ଘରୋଇ ହସ୍ପିଟାଲ/ଡାଏଗ୍ନୋଷ୍ଟିକ ସେଣ୍ଟର ଡେଙ୍ଗୁ ଚିହ୍ନଟ କରୁଛନ୍ତି, ସେମାନେ ନମୁନା ସ୍ବାସ୍ଥ୍ୟ ବିଭାଗର ସେଣ୍ଟିନାଲ ସାଇଟ୍‌କୁ ପଠାଇବାର ନିର୍ଦେଶ ରହିଛି। ମାତ୍ର ଏହାକୁ କେହି ମାନୁନାହାନ୍ତି। ‌ଯାହାଫଳରେ ସେଠାରେ ଚିହ୍ନଟ ହେଉଥିବା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀଭାବେ ଗଣନା ହେବ ନାହିଁ। ତେଣୁ ନମୁନାକୁ ସରକାରୀ ସେଣ୍ଟିନାଲ ସାଇଟ୍‌କୁ ପଠାଇବାକୁ ଖୁବଶୀଘ୍ର ଆଉଥରେ ଚିଠି ଜାରି କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ବିଭାଗର ରାଜ୍ୟବ୍ୟାପୀ ୪୦ଟି ସେଣ୍ଟିନାଲ ସାଇଟ୍‌ ରହିଛି। ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍, ଆରଏମ୍‌ଆରସି ଓ ୭ଟି ମେଡିକାଲ କଲେଜରେ ଡେଙ୍ଗୁ ପରୀକ୍ଷାର ସୁବିଧା ରହିଛି। ଗତବର୍ଷ ମଧ୍ୟ ରାଜଧାନୀର ଏକ ଡେଙ୍ଗୁ ମୃତ୍ୟୁକୁ ନେଇ ବିବାଦ ଦେଖା ଯାଇଥିଲା। ମୃତକ ଜଣକ ଘରୋଇ ହସ୍ପିଟାଲରେ ନିଜର ଡେଙ୍ଗୁ ପରୀକ୍ଷା କରିଥିବାରୁ ସ୍ବାସ୍ଥ୍ୟ ବିଭାଗ ଏହାକୁ ଗ୍ରହଣ କରି ନ ଥିଲା।

ସମ୍ବନ୍ଧିତ ଖବର