ପୁଣି ୧୪ ଡେଙ୍ଗୁ ରୋଗୀ ଚିହ୍ନଟ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭୟାନକ ରୂପ ନେଉଛି ଡେଙ୍ଗୁ। ବିଏମ୍‌ସିର ଶତ ଚେଷ୍ଟା ପରେ ବି ନିୟନ୍ତ୍ରଣକୁ ଆସିପାରୁନି। ବରଂ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ମାଡ଼ି ଚାଲିଛି। ବୁଧବାର ସୁଦ୍ଧା ସରକାରୀ ଭାବେ ଭୁବନେଶ୍ବରରୁ ୨୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ୪୩ରେ ପହଞ୍ଚିଛି। ଅର୍ଥାତ୍‌ ଗତ ୨୪ ଘଣ୍ଟାରେ ଆଉ ୧୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆରଏମ୍‌ଆରସି ପକ୍ଷରୁ ନୀଳାଦ୍ରି ବିହାର ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ୨୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୪ ଜଣଙ୍କ ନମୁନା ପଜିଟିଭ୍‌ ଆସିଛି। ସତର୍କତା ଅବଲମ୍ବନ କରିବାକୁ ରୋଗୀଙ୍କୁ ପରାମର୍ଶ ଦିଆଯାଇଛି। ନିୟମିତ ଔଷଧ ଖାଇବାକୁ କୁହାଯାଇଛି। ବିଏମ୍‌ସି ପକ୍ଷରୁ ସଫେଇ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଉଥିଲେ ମଧ୍ୟ ତଳସ୍ତରରେ ତାହା ଠିକ୍‌ ଭାବେ କାର୍ଯ୍ୟକରୀ ହେଉ ନ ଥିବା ଦେଖିବାକୁ ମିଳିଛି।

ଆଜି ବି ଏହି ଅଞ୍ଚଳର ବିଭିନ୍ନ ୱାର୍ଡରେ କୁଢ଼କୁଢ଼ ଆବର୍ଜନା ରାସ୍ତାପାର୍ଶ୍ବରେ ଜମା ହୋଇଛି। ୱାର୍ଡ ଅଧିକାରୀ ମଧ୍ୟ ଠିକ୍‌ ସମୟରେ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। ଏମିତିକି ରାସ୍ତାର ବିଭିନ୍ନ ସ୍ଥାନରେ ବହୁ ଦିନ ଧରି ପାଣି ଜମି ରହିଥିଲେ ମଧ୍ୟ ତାହାକୁ ନିସ୍କାଷନ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଗସ୍ତ କରିବା ସମୟରେ ତଳିଆ କର୍ମଚାରୀ ତତ୍ପରତା ପ୍ରକାଶ କରୁଛନ୍ତି। ଅନ୍ୟ ସମୟରେ କାହାର ଦେଖା ମିଳୁନି। ଶନିବାର ଓ ରବିବାର ସଟ୍‌ଡାଉନ୍‌ ଥିବାରୁ ଡେଙ୍ଗୁ ସଂକ୍ରମଣ ଆହୁରି ବଢ଼ିବା ନେଇ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର