ରୁଦ୍ରପୁରରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ, ସ୍ବାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ରୁଦ୍ରପୁର ଗ୍ରାମରେ ଜଣେ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସଂପୃକ୍ତ ବ୍ୟକ୍ତି ଜଣକ ଭୁବନେଶ୍ବର ସିଆରପି ଛକ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୁଖ୍ୟ କଥା ହେଉଛି ଉକ୍ତ ଗ୍ରାମରେ ରୋଗୀ ଚିହ୍ନଟ ହେବାର ଏହା ମଧ୍ୟରେ ଦୁଇଦିନ ବିତିଗଲାଣି। ହେଲେ ଏଯାଏ ଦାୟିତ୍ବରେ ଥିବା ଅଧିକାରୀ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଖରେ ଖବର ନଥିବା ଜଣାପଡ଼ିଛି। ଏ ସଂପର୍କରେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ କୁହନ୍ତି, ସେ ଦାୟିତ୍ବରେ ଥିବା ସୁପରଭାଇଜରଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବେ। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ବିଭାଗର ଅବହେଳା ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂପୃକ୍ତ ବ୍ୟକ୍ତିଜଣକ ଏକ ସପ୍ତାହେ ହେବ ଜ୍ବରରେ ଆକ୍ରାନ୍ତ ଥିଲେ। ଚିକିତ୍ସା ଲାଗି ପରିବାର ଲୋକେ ତାଙ୍କୁ ହାଇଟେକ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଗତ ୧୧ ତାରିଖ ରାତିରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା ସେଠାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରକ୍ତ ନମୂନା ପରୀକ୍ଷା ହେବା ପରେ ସେ ଡେଙ୍ଗୁରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର