ସାଲିଆସାହିରେ ଘରେ ଘରେ ଡେଙ୍ଗୁ

୧୫ ଦିନରେ ୩ ମୃତ, ଶହେରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର : ସାଲିଆସାହିର ଘରେ ଘରେ ଏବେ ଡେଙ୍ଗୁ ମାତିଛି। ୧୫/୨୦ଦିନ ଭିତରେ ୩ ଜଣଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବାବେଳେ ବସ୍ତିର ଶହେରୁ ଅଧିକ ବ୍ୟକ୍ତି  ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏପରିକି କେତେକ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅପରପକ୍ଷରେ ସାଲିଆସାହିରେ ଡେଙ୍ଗୁରେ କେହି ପ୍ରାଣ ହରାଇଥିବା କଥାକୁ ଅସ୍ୱୀକାର କରିଛି ସ୍ୱାସ୍ଥ୍ୟ ବିଭାଗ। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଉଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି।

ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସାଲିଆସାହିରେ ଡେଙ୍ଗୁ ନିଜର କାୟା ବିସ୍ତାର କରିଛି।  ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ,  ସାଲିଆସାହିରେ ଶହେରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିଶେଷ କରି ଗତ ୧୫ଦିନ ମଧ୍ୟରେ  ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ପ୍ରତ୍ୟେକ ଦିନ କେହି ନା କେହି ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ଖବର ଆସୁଛି। ଏପରିକି ଡେଙ୍ଗୁରେ ଆକ୍ରାନ୍ତ ସାହିର ୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଡେଙ୍ଗୁରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି। ସମସ୍ତେ ମେ’ଫେୟାର ବସ୍ତିର ବାସିନ୍ଦା। ଏଥିରେ ଜଣେ ନାବାଳକ ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ଆକ୍ରାନ୍ତ ମଧ୍ୟରେ ଅଧିକାଂଶ ମେ ଫେୟାର ବସ୍ତି, ଝରଣା ପଲ୍ଲୀ, ନୀଳଚକ୍ର ନଗର ଓ ପାଇକ ନଗର ଅଞ୍ଚଳରେ ରହୁଛନ୍ତି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ନିଆଯାଇଥିଲେ ହେଁ ପରବର୍ତୀ ସମୟରେ ଅନେକ ଆକ୍ରାନ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର କରାଯାଉଛି। ସେହିପର କେତେକ ଆକ୍ରାନ୍ତ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହେଉଛନ୍ତି।

ତେବେ ଡେଙ୍ଗୁରେ ସାଲିଆସାହିରେ କେହି ମରିଥିବା କଥାକୁ ସ୍ୱାସ୍ଥ୍ୟ ବିଭାଗ ମାନିବାକୁ ପ୍ରସ୍ତୁତ ନୁହେଁ। ଏ ନେଇ ପଚରାଯିବାରୁ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସାଲିଆସାହିରେ ଏ ପର୍ଯ୍ୟନ୍ତ ୪୯ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଗତମାସ ୨୦ତାରିଖ ସୁଦ୍ଧା ସାଲିଆସାହିରେ ଏହି ସଂଖ୍ୟା ୨୦ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୪୯ରେ ପହଞ୍ଚିଛି। ରାଜଧାନୀରେ ଚଳିତବର୍ଷ ଏ ପର୍ଯ୍ୟନ୍ତ ୧୭୧ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ପରୀକ୍ଷା ଲାବୋରେଟାରି କ୍ୟାପିଟାଲ ହସ୍ପିଟାଲରେ ରହିଛି। ସରକାରୀ ହସ୍ପିଟାଲ ସହିତ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ଡେଙ୍ଗୁ ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ କରାଯାଇଥାଏ। ତେଣୁ କ୍ୟାପିଟାଲ ହସ୍ପିଟାଲରୁ ଏ ପର୍ଯ୍ୟନ୍ତ କୌଣସି ମୃତ୍ୟୁ ରିପୋର୍ଟ ଆସିନାହିଁ।  ଏହାଛଡ଼ା ଡେଙ୍ଗୁ ସଚେତନତା ପାଇଁ ଡେଙ୍ଗୁ ସ୍ୱେଚ୍ଛାସେବୀ ପ୍ରତ୍ୟେକ ଦିନ ସ୍ଥାନୀୟ ଅଞ୍ଚଳକୁ ଗସ୍ତ କରୁଛନ୍ତି। ଲିଫଲେଟ ବଣ୍ଟାଯାଉଛି। ନିକଟରେ ନୀଳଚକ୍ର ନଗରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଗତବର୍ଷ ଅପେକ୍ଷା ଚଳିତବର୍ଷ ସାଲିଆସାହିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି। ନଭେମ୍ବର ଓ ଡିସେମ୍ବର ମାସ ପର୍ଯ୍ୟନ୍ତ ଡେଙ୍ଗୁ ବ୍ୟାପିବାର ସମୟ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଏଡିଏମ୍‌ଓ(ଜନସ୍ୱାସ୍ଥ୍ୟ) ରାଜ ଜେନାଙ୍କ ସୂଚନା ମୁତାବକ, ସାଲିଆସାହିରେ ଗତ କିଛିଦିନ ହେବ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟାରେ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ତେବେ ଡେଙ୍ଗୁରେ ସ୍ଥାନୀୟ ଅଞ୍ଚଳରେ କାହାର ମୃତ୍ୟୁ ହୋଇଥିବା ଖବର ସ୍ୱାସ୍ଥ୍ୟ ବିଭାଗ ନିକଟରେ ନାହିଁ। ସଂପୂର୍ଣ୍ଣ ପୋଷାକ ଓ ମଶାରି ଟାଙ୍ଗି ଶୋଇବା ପାଇଁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।

ବିଜେପି ବସ୍ତି ଉନ୍ନୟନ ସେଲ୍‌ ପକ୍ଷରୁ ଡେଙ୍ଗୁ ସଚେତନତା

ଭୁବନେଶ୍ୱର : ବିଜେପି ବସ୍ତି ଉନ୍ନୟନ ସେଲ୍‌ ପକ୍ଷରୁ ଆଜି ସାଲିଆସାହିରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଡେଙ୍ଗୁରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେଉଁ ଉପାୟ ଅବଲମ୍ବନ କରିବାକୁ ପଡ଼ିବ ତାହା ସୂଚନା ଦିଆଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ବସ୍ତି ଉନ୍ନୟନ ସେଲର ସଭାପତି ଅଞ୍ଜନ ନାଥ, ଦିଲ୍ଲୀପ ମହାନ୍ତି, ସୁଶାନ୍ତ ସାବତ, ଅନଙ୍ଗ ବିକ୍ରମ ବିଶ୍ୱାଳ, ମାନସୀ ପାଢ଼ୀ, ପ୍ରସନ୍ନ କୁମାର ସାହୁ, ମାଳତୀ ହେମ୍ବ୍ରମ୍‌, ପ୍ରୀତିରାଣୀ ବେହେରା, ସୁଚିତ୍ରା ବେହେରା, ପୁଷ୍ପଲତା ନାଥ, ଗଦାଧର ସାହୁ, ଶରତ ବେହେରା, ଅଭୟ ପରିଡ଼ା, ବିକ୍ରମ ମହାପାତ୍ର, ସୂର୍ଯ୍ୟମଣି ଗୁରୁ ଓ ବହୁ ସଂଖ୍ୟାରେ ବିଜେପି କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର