ପୁଣି ଡରାଇଲାଣି ଡେଙ୍ଗୁ, ଚାଲିଗଲା ଶିଶୁର ଜୀବନ

କୁଆଡ଼େ ଗଲା ବିଏମ୍‌ସିର ‘ଡ୍ରାଏ ଡେ’?

ଭୁବନେଶ୍ବର: ଡ୍ରାଏ ଡେ, ସଚେତନତା, କାର୍ଯ୍ୟାନୁଷ୍ଠାନ କିଛି ଦିନ ଥମି ଯାଇଥିବାରୁ ରାଜଧାନୀରେ ଡେଙ୍ଗୁ ପୁଣି କାୟା ବିସ୍ତାର କରିଛି। ଆଜି ଡେଙ୍ଗୁରେ ଜଣେ ଶିଶୁର ଜୀବନ ଯାଇଛି। ନୀଳାଦ୍ରିବିହାରର କେନ୍ଦ୍ରୀୟ ବିଦ୍ୟାଳୟ-୪ର ପଞ୍ଚମ ଶ୍ରେଣୀ ଛାତ୍ର ପୂର୍ଣ୍ଣାଂଶୁ ଚୌଧୁରୀ(୧୧)ଙ୍କ ମୃତ୍ୟୁ ଘଟିଛି। ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଗତକାଲି କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ରିପୋର୍ଟରୁ ଡେଙ୍ଗୁ ପଜିଟିଭ୍‌ ଆସିଥିଲା। ପରେ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିବାରୁ ତାଙ୍କୁ ଅନ୍ୟ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୂର୍ଣ୍ଣାଂଶୁଙ୍କ ମୃତ୍ୟୁ ଖବର ଆସିବା ପ‌ରେ କେନ୍ଦ୍ରୀୟ ବିଦ୍ୟାଳୟ-୪ରେ ଶୋକର ଛାୟା ଖେଳିଯାଇଥିଲା। ସେଠାରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯିବା ସହ ନିରବ ପ୍ରାର୍ଥନା କରାଯାଇଥିଲା। ପୂର୍ଣ୍ଣାଂଶୁ ଜଣେ ମେଧାବୀ ଛାତ୍ର ଥିଲେ। ସୁନ୍ଦର ହସ୍ତାକ୍ଷର ଲେଖିବା ଠାରୁ ଆରମ୍ଭ କରି ଚିତ୍ରାଙ୍କନ ପର୍ଯ୍ୟନ୍ତ ସବୁଥିରେ ଆଗରେ ଥିଲେ। ସେଥିପାଇଁ ସେ ସହପାଠୀଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଥିଲେ।

ଗତ ଜୁନ୍‌ରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କର ମୃତ୍ୟୁ ହେବା ପରେ ଡେଙ୍ଗୁକୁ ନେଇ ତନାଘନା ହୋଇଥିଲା। ବିଏମ୍‌ସି ମେୟର ଓ କମିସନରଙ୍କ ମାନସମନ୍ଥନରୁ ରାଜଧାନୀର ୧୦ରୁ ଅଧିକ ୱାର୍ଡରେ ଡେଙ୍ଗୁ ସଂକ୍ରମଣ ବଢ଼ିଥିବା କଥା ଜଣାପଡ଼ିଥିଲା। ସେଥିମଧ୍ୟରୁ ୫ଟି ୱାର୍ଡ ଯଥା ୩, ୮, ୧୩, ୩୪ ଓ ୩୫ ନମ୍ବର ୱାର୍ଡ ଅଧିକ ସମ୍ବେଦନଶୀଳ ବୋଲି ଘୋଷଣା କରାଯିବା ସହ ଏହି ୱାର୍ଡଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଇଥିଲା। ତେଣୁ ପ୍ରତି ସପ୍ତାହର ରବିବାର ଓ ଗୁରୁବାରକୁ ‘ଡ୍ରାଏ ଡେ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ସ୍ବତନ୍ତ୍ର ଟିମ୍‌ ଘରକୁ ଘର ବୁଲି ଡେଙ୍ଗୁ ସଚେତନତା ସୃ‌ଷ୍ଟି କରିବାକୁ ଯୋଜନା ହୋଇଥିଲା। ମଶାଙ୍କ ଉତ୍ପତ୍ତି ସ୍ଥଳ ନଷ୍ଟ କରାଯାଉଥିଲା। ହେଲେ ଏହା କେବଳ ଧର୍ମକୁ ଆଖିଠାର ଥିଲା। ମାତ୍ର କିଛି ଦିନ ପରେ ସବୁ ବନ୍ଦ ହୋଇଯାଇଥିଲା। ଏଣୁ ପୁଣି ଡେଙ୍ଗୁ ବଢ଼ିବାରେ ଲାଗିଥିଲା। ବିଏମ୍‌ସିର ଏସବୁ କେବଳ ପ୍ରଚାର ପ୍ରସାର ପାଇଁ କରାଯାଇଥିଲା ବୋଲି ଆଜି ଛାତ୍ରଙ୍କ ମୃତ୍ୟୁ ଘଟିବା ପରେ ପ୍ରମାଣିତ ହୋଇଛି। ଆଜି ସୁଦ୍ଧା ୨୧୫ ଜଣ ଡେଙ୍ଗୁ ରୋଗୀ ସକ୍ରିୟ ଅଛନ୍ତି।

ତେବେ ଦୁଇ ମାସରେ ଡେଙ୍ଗୁ‌ରେ ଦୁଇଟି ଜୀବନ ଯିବା ପରେ ଏବେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କାରଣ ପୂର୍ବରୁ ଯେଉଁ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ମୃତ୍ୟୁଙ୍କ ହୋଇଥିଲା ସେ ବି ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିଲେ। ଏହି ଅଞ୍ଚଳ ୧୪ ନମ୍ବର ୱାର୍ଡରେ ଆସୁଥିବାରୁ ସେଠାରେ ଡେଙ୍ଗୁ ସଂକ୍ରମଣ ଆହୁରି ଅଧିକ ହୋଇଥିବା ବେଳେ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ୧୩ ନମ୍ବର ୱାର୍ଡ ବିଡିଏ କଲୋନିରେ ବି କିଛି ଦିନ ହେଲା ପ୍ରତି ପରିବାରରେ ଜ୍ବର ମାଡ଼ି ଚାଲିଛି। ଜଣଙ୍କ ପରେ ଜଣେ ଆକ୍ରାନ୍ତ ହେଉଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଭାଲେଣି ପଡ଼ିଲାଣି। ଶୈଳଶ୍ରୀବିହାର, ଡମଣା, ପଟିଆ, କାନନ ବିହାର, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର, ପ୍ରାଚୀ ବିହାର ଅଞ୍ଚଳରେ କିଛି ଜଣ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି।
ଅନ୍ୟପଟେ ଶିଶୁ ଡେଙ୍ଗୁ ମୃତ୍ୟୁକୁ ଫାଙ୍କିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଛାତ୍ରଙ୍କଠାରେ ଡେଙ୍ଗୁ ଚିହ୍ନଟ ହୋଇଥିଲା। ମାତ୍ର ତାଙ୍କର ଅନ୍ୟାନ୍ୟ ରୋଗ ଥିବାରୁ ଅନ୍ୟ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ବଢ଼ୁଛନ୍ତି ରୋଗୀ‌

ଭୁବନେଶ୍ବର: କ୍ୟ‌ାପିଟାଲ୍‌ ହସ୍ପିଟାଲ୍‌କୁ ଆସୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପୁଣି ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଏହି ହସ୍ପିଟାଲରେ ମାତ୍ର ଜଣେ ଦୁଇ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। କିନ୍ତୁ ଚଳିତ ସପ୍ତାହରେ ପ୍ରତିଦିନ ୩/୪ ଜଣ ରୋଗୀ ଏଠାରେ ଭର୍ତ୍ତି ହେଉଥିବା ଦେଖିବାକୁ ମିଳୁଛି। ସୂଚନାନୁସାରେ ଗତକାଲି ଏଠାରେ ଡେଙ୍ଗୁ ୱାର୍ଡରେ ୧୦ଜଣ ରୋଗୀ ଚିକିତ୍ସିତ‌ ହେଉଥିଲେ। ଏଠାରେ ଥିବା ସମସ୍ତ ଶଯ୍ୟାରେ ରୋଗୀ ଥିଲେ। ଆଜି ୨ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି।

ତେଣୁ ଆଜି ଅପରାହ୍ନ ସୁଦ୍ଧା ୮ଜଣ ରୋଗୀ ଚିକିତ୍ସାଧୀନ ଥିଲେ। ଏନେଇ ହସ୍ପିଟାଲ ନିର୍ଦ୍ଦ‌େଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ହସ୍ପିଟାଲ ଉପରେ ଅଧିକ ଚାପ ସୃଷ୍ଟି ହୋଇନାହିଁ। ପ୍ରତିଦିନ ହସ୍ପିଟାଲକୁ ୨ରୁ ୪ ଜଣ ଡେଙ୍ଗୁ ରୋଗୀ ଆସୁଥିଲେ ମଧ୍ୟ ଶଯ୍ୟା ଅଭାବ ଭଳି ସ୍ଥିତି ଆସିନାହିଁ। ଆବଶ୍ୟକ ପଡ଼ିଲେ ଏହି ସ୍ବତନ୍ତ୍ର ୱାର୍ଡ ପାଇଁ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର