ଭୁବନେଶ୍ବର : ଆସନ୍ତା ହକି ବିଶ୍ବକପ୍କୁ ନଜରରେ ରଖି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ହୋଇଥିବା ସର୍ବେକ୍ଷଣରେ ଡେଙ୍ଗୁ ସୃଷ୍ଟିକାରୀ ଏଡିସ୍ ମଶାକୁ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାର ସେଣ୍ଟର ଫର କ୍ରସ୍ ଚେକିଂ ଅର୍ଗାନାଇଜେସନ୍ ବା ସିସିଓ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଡେଙ୍ଗୁ ମଶାର ଉପସ୍ଥିତି ଜଣାପଡ଼ିବା ପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ଯାହାଫଳରେ ହକି ବିଶ୍ବକପ୍ ପୂର୍ବରୁ ବିମାନ ବନ୍ଦରରେ ଫଗିଂ ସହିତ ଡେଙ୍ଗୁ ମଶାକୁ ହଟାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
ଗତ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିମାନ ବନ୍ଦରରେ ମଶାଙ୍କ ଉପସ୍ଥିତି ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଦେହରେ ଯଦି ମଶାବାହିତ ଭୂତାଣୁ ଆସିଥାଏ ଓ ବିମାନ ବନ୍ଦର ପରିସରରେ ଥିବା ମଶା ସେହି ବ୍ୟକ୍ତିଙ୍କୁ କାମୁଡ଼ନ୍ତି ତେବେ ରାଜ୍ୟରେ ଏହି ରୋଗ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ମଶାର ଉପସ୍ଥିତି ଜାଣିବା ପାଇଁ ସର୍ବେଣକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଣେ ଏଣ୍ଟୋମୋଲୋଜିଷ୍ଟ ବା କୀଟବିଜ୍ଞାନୀ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କୀଟବିଜ୍ଞାନୀ ମିଳିତଭାବେ ଯାଞ୍ଚ କରିଥିଲେ। ପ୍ରଥମରୁ ଏହି ସର୍ବେକ୍ଷଣରେ ସେଭଳି କୌଣସି ମଶାର ଉପସ୍ଥିତି ନ ଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଥିଲେ। ତେବେ ସଂପୃକ୍ତ ସଂସ୍ଥା ପକ୍ଷରୁ ଅଗଷ୍ଟ ୨୪ତାରିଖରେ ସ୍ବାସ୍ଥ୍ୟ ବିଭାଗକୁ ଲେଖାଯାଇଥିବା ଚିଠିରେ ବିମାନ ବନ୍ଦରରେ ଏଡିସ୍ ମଶାର ଉପସ୍ଥିତି ଥିବା ଉଲ୍ଲେଖ ରହିଛି। ତେବେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍ଭିବିଡିସିପି ପକ୍ଷରୁ ଚଳିତମାସରେ ହିଁ ଏ ସଂପର୍କରେ ବିଭାଗକୁ ଅବଗତ କରିଥିବା ସୂଚନା ମିଳିଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଆଗକୁ ହକି ବିଶ୍ବକପ୍କୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବେକ୍ଷଣ ପାଇଁ କୁହାଯାଇଥିଲା। ଏକ କେନ୍ଦ୍ରୀୟ ଅନୁଷ୍ଠାନ ସହାୟତାରେ ଏହି ସର୍ବେକ୍ଷଣ ହୋଇଛି। ଅଗଷ୍ଟ ମାସରେ ହୋଇଥିବା ସର୍ବେକ୍ଷଣରେ ବିମାନ ବନ୍ଦରରେ ଏଡିସ୍ ମଶାର ଉପସ୍ଥିତି ମିଳିଥିଲା। ତେବେ ଗତ ୨ମାସରେ ଏଥିରେ କେଉଁ ପରିବର୍ତନ ହୋଇଛି ତାହା ଜାଣିବା ପାଇଁ ଆଉଥରେ ସର୍ବେକ୍ଷଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ମଶାର ଉପସ୍ଥିତି ସଂପର୍କରେ ଜଣା ପଡ଼ିଲେ ହକି ବିଶ୍ବକପ୍ ପୂର୍ବରୁ ବିମାନ ବନ୍ଦରରେ ସ୍ବତନ୍ତ୍ରଭାବେ ଫଗିଂ କରାଯିବ। ରାଜଧାନୀରେ ଏବେ ଡେଙ୍ଗୁ ନିୟନ୍ତ୍ରଣରେ ରହିଛି। ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଏ ସଂପର୍କରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/den-1.jpg)