ସାଲିଆସାହିରେ ଡେଙ୍ଗୁ ଅଣାୟତ୍ତ : ଆଉ କେତେ ମଲେ ଚେତିବେ?

ତିନି ମୁଣ୍ଡ ଗଲାଣି, ଶତାଧିକ ଆକ୍ରାନ୍ତ

ଚନ୍ଦ୍ରଶେଖରପୁର (ରାଜକିଶୋର ଦାଶ): ସାଲିଆସାହିରେ ତିନି ତିନିଟି ମୁଣ୍ଡ ନେଇ ସାରିଲାଣି ଡେଙ୍ଗୁ। ଗତ ଦୁଇ ଦିନ ମଧ୍ୟରେ ମରିଛନ୍ତି ଦୁଇ ଜଣ। ଶତାଧିକ ଆକ୍ରାନ୍ତ। ସ୍ଥିତି ଅଣାୟତ୍ତ ହେଲାଣି। ତଥାପି ସ୍ୱାସ୍ଥ୍ୟ ବିଭାଗର ଚେତା ପଶୁନି। ବିଭାଗୀୟ ଅଧିକାରୀମାନେ ସାଲିଆସାହିରେ ଡେଙ୍ଗୁ ମୃତ୍ୟୁକୁ ମାନୁ ନ ଥିବାବେଳେ ସ୍ଥିତି ନିୟନ୍ତ୍ରଣରେ ଅଛି କହିବାକୁ ପଛାଉ ନାହାନ୍ତି। ନାଁକୁ ମାତ୍ର ଚାଲିଛି ଡେଙ୍ଗୁ ସଚେତନତା ଅଭିଯାନ। ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ବି କରିନାହାନ୍ତି।

ଡେଙ୍ଗୁ ଜ୍ୱରରେ କମ୍ପୁଛି ଦଶମ ଶ୍ରେଣୀର ଛାତ୍ର ସୌରଭ ସାହୁ (୧୫)। ଉଠିବାକୁ ବଳ ପାଉନି। ପରିସ୍ଥିତି ଏପରି ଯେ ତାଙ୍କୁ ଦେଖି ବାପା ଦୁର୍ଗା ଚରଣଙ୍କ ଆଖିରୁ ଲୁହ ବହୁଛି। ପାଞ୍ଚ ବର୍ଷର ଶିଶୁ ଲକ୍ଷ୍ମୀପ୍ରିୟା ବି ଡେଙ୍ଗୁରେ କଲବଲ ହେଉଛି। ଖାଇବାକୁ ଦାନା ରୁଚୁନି। କେବଳ ମା’ କୋଳରେ ବସି ରାହାଧରି କାନ୍ଦୁଛି। ଏହା ହେଉଛି ସାଲିଆସାହିର ନୟାଗଡ଼ ସାହିର ବିକଳ ଚିତ୍ର। କେବଳ ସୌରଭ କି ଲକ୍ଷ୍ମୀପ୍ରିୟା ନୁହନ୍ତି ବିଏମ୍‌ସିର ଓ୍ଵାର୍ଡ଼ ନଂ-୨୬ରେ ଯାଉଥିବା ଏହି ସାହିରେ ଘରେ ଘରେ ଡେଙ୍ଗୁ ବ୍ୟାପିଛି। ରଶ୍ମିତା ସାମଲ (୨୮), ଗୀତାଞ୍ଜଳି ନାୟକ (୩୦) ଲିଜା ମାଝୀ (୨୩) ଡେଙ୍ଗୁରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ଏମାନଙ୍କୁ ଛାଡ଼ି ଆହୁରି ଅନେକ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ନୟାଗଡ଼ସାହି ସମେତ ମେଫେୟାର ବସ୍ତି, ନୀଳଚକ୍ରନଗର, ଶରଣାପଲ୍ଲୀ ଆଦି ସାହିଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା। ଘରେ ଘରେ ଡେଙ୍ଗୁ ରୋଗୀ ଭର୍ତ୍ତି। ମାତ୍ର ବିଡ଼ମ୍ବନା ହେଲା ପରିସ୍ଥିତିର ମୁକାବିଲା କରିବା ଓ ଏହି ରୋଗକୁ ନିୟନ୍ତ୍ରଣ କରିବା ନିମନ୍ତେ କେହି ମଧ୍ୟ ଆନ୍ତରିକତା ଦେଖାଉନାହାନ୍ତି। ପ୍ରଶାସନିକ ସ୍ଥାଣୁତା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ନିଷ୍କ୍ରିୟତା ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଡେଙ୍ଗୁରେ ତିନି ତିନିଟି ମୁଣ୍ଡ ଗଡ଼ିବା ପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସି ପରସ୍ପର ଉପରେ ଦୋଷ ଲଦିବାରେ ବ୍ୟସ୍ତ। ଉଭୟ ବିଭାଗର ଅଧିକାରୀ ନିଜ ଦାୟିତ୍ୱ ଠିକ୍‌ ଭାବରେ ତୁଲାଇଥିବା ଦାବି କରୁଛନ୍ତି। ସମସ୍ତେ ରାତି ଅନିଦ୍ରା, ମାତ୍ର ମୁଗୁରା ମୁହଁ ମୁକୁଳା। ଜନପ୍ରତିନିଧିଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ। ଓ୍ଵାର୍ଡ଼ ନଂ-୧୬,୨୦,୨୧ ଓ ୨୬କୁ ନେଇ ଗଠିତ ଏହି ଅଞ୍ଚଳକୁ କୌଣସି କର୍ପୋରେଟର ମଧ୍ୟ ନିଜର ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି। ବର୍ତ୍ତମାନ ସାଲିଆସାହିକୁ କେବଳ ଭଗବାନ ଭରସା। ଏପରି ମତଦେଉଛନ୍ତି ସ୍ଥାନୀୟ ଅଧିବାସୀ।

ବ୍ୟବସ୍ଥା ଉପରୁ ଭରସା ତୁଟୁଛି

ସାଲିଆସାହି ଡେଙ୍ଗୁରେ କମ୍ପୁଥିବା ଖବର ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗର ଜାଗି ଉଠିଥିଲା। ଡେଙ୍ଗୁ ମୃତ୍ୟୁକୁ ମାନିବାକୁ ଆଦୌ ପ୍ରସ୍ତୁତ ନଥିବା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ସାଲିଆସାହିର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲା। ବିଏମ୍‌ସି ମଶା ଧୂଆଁ ପ୍ରୟୋଗ ଆରମ୍ଭ କରିଥିଲା। ମାତ୍ର ଡେଙ୍ଗୁ ନିୟନ୍ତ୍ରଣ କେବଳ ଏତିକିରେ ସୀମିତ ରହିଲା। ଭୋଟ୍‌ ବେଳେ ଅହରହ ମୁହଁ ଦେଖାଉଥିବା ଜନପ୍ରତିନିଧିମାନଙ୍କର ମଧ୍ୟ ଦେଖା ମିଳୁନି। ମଶାତେଲ ପ୍ରୟୋଗର ଅବସ୍ଥା ମଧ୍ୟ ବଡ଼ ଦୟନୀୟ। ଡେଙ୍ଗୁରୋଗୀ ଚିକିତ୍ସା ପାଇଁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଯାଉଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସାର ଅଭାବ ସାଙ୍ଗକୁ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଡାକ୍ତର ନଦେଖିବା ରୋଗୀଙ୍କୁ ସରକାରୀ ବ୍ୟବସ୍ଥାରୁ ମୁହଁ ଫେରାଇବାକୁ ବାଧ୍ୟ କରୁଛି। ଅର୍ଥ ଅଭାବ ସତ୍ତ୍ୱେ ସମସ୍ତେ ଘରୋଇ ହସ୍ପିଟାଲ୍‌କୁ ଯିବାକୁ ଉଚିତ୍‌ ମଣୁଛନ୍ତି।

ଗରିବଗୁରୁବା କରିବେ କଣ?

ଡେଙ୍ଗୁର ପ୍ରକୃତ ଚିତ୍ର ପରଖିବାକୁ ‘ସମ୍ବାଦ’ ପକ୍ଷରୁ ନୟାଗଡ଼ସାହି ଗସ୍ତ ବେଳେ ୭୬ବର୍ଷୀୟ ବୃଦ୍ଧା ଦୂର ସାମଲଙ୍କ ଉକ୍ତି ସମସ୍ତଙ୍କୁ ପ୍ରଭାବିତ କରିଥିଲା। ନିଜର ପାଞ୍ଚ ବର୍ଷର ନାତୁଣୀ ଡେଙ୍ଗୁରେ କମ୍ପୁଥିବା ବେଳେ ସେ ବେଶ୍‌ ବେଦନାଭରା ପ୍ରଶ୍ନ କରିଥିଲେ। ଗରିବ ଦିନ ମଜୁରିଆ ପେଟ ପୋଷିବାକୁ କାମ କରିବେ ନା ଡେଙ୍ଗୁ ସହିତ ଲଢ଼ିବେ? ସରକାରୀ ହସ୍ପିଟାଲ୍‌ରେ ସର୍ବନିମ୍ନ ସୁବିଧା ନମିଳିବା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିବା ପରେ ମଧ୍ୟ ସରକାରୀ ଅଧିକାରୀ ଓ ଜନପ୍ରତିନିଧିଙ୍କ ଖାମଖିଆଲି ମନୋଭାବ ଉପରେ ଭୀଷଣ ବର୍ଷିଥିଲେ ଦୂର। ଗଣମାଧ୍ୟମ ଜରିଆରେ ବ୍ୟବସ୍ଥା ଉପରେ ନିଜର ରାଗ ଶୁଝାଇଥିଲେ ସେ।

ସ୍ୱାମୀ ଯାଇଥିଲେ , ଏବେ ମା’ ଚାଲିଗଲା

ଚାରି ମାସ ତଳେ ସ୍ୱାମୀ ଆରପାରିକୁ ବାଟ କାଟି ଚାଲିଯାଇଥିଲେ। ଦୁଇଦିନ ତଳେ ଏକମାତ୍ର ସାହା ମା’ ମଧ୍ୟ ଚାଲିଗଲା। ଏତେବଡ଼ ଦୁନିଆରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଏକଲା ହୋଇପଡ଼ିଛି ପିଙ୍କି। ନିଜର ଦୁଇ କୁନି କୁନି ପୁଅ ଶୁଭମ୍‌ ଓ ଶିବ ସହିତ ସାଲିଆସାହି ଶ୍ରୀରାମନଗରର ଭଡ଼ା ଘରେ ପିଙ୍କି ଏବେ ସାହାରା ଖୋଜୁଛି।

ଦୁଇଦିନ ତଳେ ଡେଙ୍ଗୁରେ ପ୍ରାଣ ହରାଇଥିବା ସାଲିଆସାହିର କଳାବତୀ ବେହେରାଙ୍କ ଝିଅ ପିଙ୍କି ବେହେରା (୧୯) ଆଖିରୁ ଲୁହ ଶୁଖୁନି। ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ପିଙ୍କି ଓ ତା’ର ଦୁଇ ଭଉଣୀଙ୍କୁ ମା’ କଳାବତୀ ଲାଳନପାଳନ କରିଥିଲେ। କଳାବତୀ ଦିନ ମଜୁରିଆ ଭାବରେ କାମ କରି ତିିନି ଝିଅଙ୍କୁ ବଡ଼ କରିଥିଲେ। ପିଙ୍କି ହେଉଛି ସବା ବଡ଼ ଝିଅ। ଉତ୍କଟ ଦାରିଦ୍ର୍ୟ କାରଣରୁ କମ୍‌ ବୟସରୁ ପିଙ୍କିର ବିବାହ ଗଞ୍ଜାମ ପୋଲସରା କଙ୍କଳବାଡ଼ିରେ ହୋଇଥିଲା। ଦୁଇ ପୁଅଙ୍କ ଜନ୍ମ ପରେ ସ୍ୱାମୀ ଚାରିମାସ ତଳେ ମୃତ୍ୟୁବରଣ କରିଛନ୍ତି। ବଡ଼ ପୁଅ ଶୁଭମ୍‌ର ବୟସ ୬ବର୍ଷ ହୋଇଥିବାବେଳେ ସାନପୁଅ ଶିବର ବୟସ ୩ବର୍ଷ।

ସ୍ୱାମୀଙ୍କ ମୃତ୍ୟୁପରେ ଶାଶୂଘର ଲୋକଙ୍କ ଗଞ୍ଜଣା ସହିନପାରି ସାଲିଆସାହିରେ ରହୁଥିବା ନିଜ ମା’ଙ୍କ ପାଖକୁ ଫେରିଆସିଥିଲା ପିଙ୍କି। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର। ମା’ ପାଖରେ ରହି ନିଜର ଦୁଇ ପୁଅଙ୍କୁ ମଣିଷ କରିବାର ଲକ୍ଷ୍ୟ ରଖିଥିବା ପିଙ୍କି ପାଇଁ ଡେଙ୍ଗୁ ବଇରୀ ସାଜିଲା। ମା’ କଳାବତୀଙ୍କର ଦୁଇଦିନ ତଳେ ଡେଙ୍ଗୁରେ ମୃତ୍ୟୁ ଘଟିଛି। ଏହାମଧ୍ୟରେ ଦୁଇ ଭଉଣୀଙ୍କର ମଧ୍ୟ ବିବାହ ହୋଇସାରିଛି। ତେଣୁ ବର୍ତ୍ତମାନ ପିଙ୍କିର ପରିବାର କହିଲେ କେବଳ ଦୁଇ ଶିଶୁ ପୁତ୍ର। ନା ଅଛି ମୁଣ୍ଡ ଉପରେ ଛାତ ନା ଅଛି ବଞ୍ଚିବାର ସାହାରା। ଭଡ଼ା ଘରେ ବସି ନିଃସ୍ୱ ପିଙ୍କି ଭଗବାନଙ୍କ ଏଭଳି ବିଚାର କଥା ଭାବି ଅନବରତ ଲୁହ ଗଡ଼େଇ ଚାଲିଛି।

ମା’ର ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ପାଖରେ ସମ୍ବଳ ନାହିଁ। ସରକାରୀ ବାବୁମାନେ ଆସି ସବୁ ଲେଖି ନେଇଛନ୍ତି। ମାତ୍ର ଏଯାବତ୍‌ କୌଣସି ସରକାରୀ ସହାୟତା ମିଳିନାହିଁ। ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ମା’ର ଶେଷକୃତ୍ୟ କେବଳ ସମ୍ପନ୍ନ ହୋଇଛି। ହରିଶ୍ଚନ୍ଦ୍ର ଯୋଜନା କଣ ସେ ଜାଣିନାହିଁ। କିପରି ମା’ର ଶୁଦ୍ଧିକ୍ରିୟା କରିବ, କେମିତି ନିଜର ଦୁଇ ପୁଅଙ୍କୁ ମଣିଷ କରିବ, ଏମିତି ସବୁ ଭାବିଲେ ଛାତିରେ ଛନକା ପଶିଯାଉଛି। କେଉଁଠି ଯଦି କିଛି କାମ ମିଳିବ ତେବେ ଦୁଇ ପୁଅଙ୍କୁ ମଣିଷ କରିବା ସହିତ ଦୁନିଆରେ ବଞ୍ଚି ପାରନ୍ତା ବୋଲି ଛଳଛଳ ଆଖିରେ ପ୍ରକାଶ କରିଛିି ପିଙ୍କି। ମା’ ବଞ୍ଚିଥିବାବେଳେ ସାହି ଭାଇ ପର କରିଦେଇଥିଲେ, ସ୍ୱାମୀ ମଲା ପରେ ଶାଶୂଘର ଲୋକ ପର କରିଦେଲେ। ଆଉ ଏବେ ଡେଙ୍ଗୁ ଯେ ଏମିତି ବଇରୀ ସାଜିବ, ଏ କଥା ସ୍ୱପ୍ନରେ ବି ଭାବିନଥିଲା ପିଙ୍କି। ଏବେ କେବଳ ଭଗବାନ ହିଁ ଭରସା ବୋଲି ବାହୁନି ବାହୁନି କହୁଛି ସେ।

ଏ ଓ୍ଵାର୍ଡ଼ ଆମର ନୁହେଁ!

ନୟାଗଡ଼ସାହି, ମେଫେୟାର ନଗର, ନୀଳଚକ୍ର ନଗର ଆଦି ଅଞ୍ଚଳରେ ଡେଙ୍ଗୁ ରୋଗ ଅଣାୟତ୍ତ ହୋଇପଡ଼ିଛି। ଏହି ବିଷୟରେ ସଂପୃକ୍ତ ଅଞ୍ଚଳର କର୍ପୋରେଟରଙ୍କୁ ଜଣାଇବାରୁ ଏ ଓ୍ଵାର୍ଡ଼ ଆମର ନୁହେଁ ଉତ୍ତର ଶୁଣିବାକୁ ମିଳୁଛି। ଏ ସାହି ଅମୁକ ଓ୍ଵାର୍ଡ଼ରେ ଆସୁଛି, ସେ ସାହି ସମୁକ ଓ୍ଵାର୍ଡ଼ରେ ଆସୁଛି ଆଦି ଶୁଣିବାକୁ ମିଳୁଛି। ବ୍ଲିଚଂ ପାଉଡର୍‌ ମାଗିଲେ ଆମ ଘରେ କଣ ଗୋଦାମ୍‌ ବୋଲି ମଧ୍ୟ ଉତ୍ତର ମିଳୁଛି। ନିର୍ବାଚନବେଳେ ବେଶ୍‌ ନରମ କଥା କହୁଥିବା ଏ ନେତାମାନଙ୍କର ଉତ୍ତର ଆମକୁ ବିସ୍ମିତ କରୁଛି।
ଜି ସନ୍ନ୍ୟାସୀ ରାଓ, ଡେଙ୍ଗୁ ରୋଗୀ, ଶ୍ରୀରାମ ନଗର

ଅଞ୍ଚଳକୁ ପାଶୋରି ଦେଇଛି ସ୍ୱାସ୍ଥ୍ୟ ବିଭାଗ

ଡେଙ୍ଗୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି। ପାଞ୍ଚ ଦିନ ତଳେ ହିଁ ମଶା ଧୂଆଁ ପ୍ରୟୋଗ ଆରମ୍ଭ ହୋଇଛି। ମଶା ତେଲ ପ୍ରୟୋଗ କଥା ନକହିବା ଭଲ। କେଉଁଠି ପଡ଼ୁଛି ତ କେଉଁଠି ନାହିଁ। ଏହି ଅଞ୍ଚଳ ପ୍ରତି ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ବୈମାତୃକ ମନୋଭାବ ବିଚଳିତ କରୁଛି। ତିନି ତିନିଟି ମୁଣ୍ଡ ଗଲାପରେ ମଧ୍ୟ ପ୍ରଶାସନିକ ସ୍ଥାଣୁତା ବେଶ୍‌ ଦୁର୍ଭାଗ୍ୟଜନକ।
ଅଞ୍ଜନ ନାଥ, ସମାଜସେବୀ

ପୋଷ୍ଟରରେ ସୀମିତ ସଚେତନତା କାର୍ଯ୍ୟକ୍ରମ

ଡେଙ୍ଗୁକୁ ଜାଣିବା ଡେଙ୍ଗୁକୁ ତଡ଼ିବା ସ୍ଳୋଗାନ୍‌ କେବଳ ପୋଷ୍ଟରରେ ସୀମିତ ରହିଛି। ସାଲିଆସାହି ଭଳି ସ୍ପର୍ଶକାତର ଅଞ୍ଚଳରେ ଡେଙ୍ଗୁ ନୂଆ ନୁହେଁ। ଗତବର୍ଷ ମଧ୍ୟ ଏହି ସମୟରେ ଡେଙ୍ଗୁ ହୋଇଥିଲା। ମାତ୍ର ପ୍ରଶାସନ ଚଳିତ ବର୍ଷ ସମାନ ଭୁଲ୍‌ ଦୋହରାଇଲା। ସମୟ ଥାଉ ଥାଉ ଉପଯୁକ୍ତ ପଦକ୍ଷେପ ନିଆଗଲା ନାହିଁ। ଡେଙ୍ଗୁକୁ ପ୍ରତିରୋଧ କରିବା ନିମନ୍ତେ ବସ୍ତିବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ କୌଣସି ପଦକ୍ଷେପ ନିଆଗଲା ନାହିଁ। ବିଏମ୍‌ସି, ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର ସବୁ ବ୍ୟବସ୍ଥାର ବେପରୁଆ ମନୋଭାବ ଯୋଗୁଁ ଡେଙ୍ଗୁ ଏବେ ଅଣାୟତ୍ତ । ଏବେ ମଧ୍ୟ ଠିକ୍‌ ସମୟରେ ଅଳିଆ ଉଠଯାଉନାହିଁ। ଡ୍ରେନ୍‌ରେ ବ୍ଲିଚିଂ ପାଉଡର୍‌ ପଡ଼ିବା ତ ସ୍ୱପ୍ନ। ନିଧି ମଉସା ଗାଡ଼ିକୁ ଦୀର୍ଘ ଦିନ ହେବ ଆମେ ଦେଖିନୁ।
ଦୁର୍ଗାଚରଣ ସାହୁ, ସ୍ଥାନୀୟ ବାସିନ୍ଦା

ସଫେଇ କାର୍ଯ୍ୟ ଠିକ୍‌ଠାକ୍‌ ହେଉଛି

ସାଲିଆ ସାହିର ବିଭିନ୍ନ ଅଞ୍ଚଳରେ ସଫେଇ କାର୍ଯ୍ୟ ଠିକ୍‌ଠାକ୍‌ ହେଉଛି। ନିଧି ମଉସା ଗାଡ଼ି ବୁଲି ସଚେତନତା ସୃଷ୍ଟି କରୁଛି। ଲୋକପ୍ରତିନିଧି ହିସାବରେ ଯାହା କରିବା କଥା କରୁଛୁ। ଲୋକମାନେ ଏନେଇ ସଚେତନ ହେବା ଆବଶ୍ୟକ।
ଝୁନୁବାଳା ଦେଇ, କର୍ପୋରେଟର, ଓ୍ଵାର୍ଡ଼ ନଂ-୨୬

ମଶାଧୂଆଁ ପ୍ରୟୋଗ ହେଉଛି

ଡେଙ୍ଗୁକୁ ପ୍ରତିରୋଧ କରିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ହୋଇଛି। ମଶାଧୂଆଁ ପ୍ରୟୋଗ ସହିତ ମଶାତେଲ ପକା ହେଉଛି। ସବୁ ମୃତ୍ୟୁ ଡେଙ୍ଗୁ ଜନିତ ନୁହେଁ।
ଭାରତୀ ମାଝି, କର୍ପୋରେଟର, ଓ୍ଵାର୍ଡ଼ ନଂ-୧୬

ସମ୍ବନ୍ଧିତ ଖବର