ଚନ୍ଦ୍ରଶେଖରପୁର: ମାସେ କି ବର୍ଷେ ନୁହେଁ। ଲଗାତାର ୩ ବର୍ଷ ହେଲା ଡେଙ୍ଗୁର ହଟ୍ସ୍ପଟ୍ ପାଲଟିଛି ଶୈଳଶ୍ରୀ ବିହାର ଓ ନୀଳାଦ୍ରିବିହାର। ଅବ୍ୟବହୃତ ଘର, ପାର୍କ, ଆବର୍ଜନା ପାଣି କୁଣ୍ଡ ଆଦି ସାମଗ୍ରୀ ଡେଙ୍ଗୁ ସୃଷ୍ଟିକାରୀ ମଶାଙ୍କ ବାସସ୍ଥଳୀ ହୋଇଥିଲେ ମଧ୍ୟ ତାହାର ମୂଳତ୍ପାଟନ କରିବାରେ ବିଏମ୍ସି ସମ୍ପୂର୍ଣ୍ଣ ବିଫଳ। ବର୍ଷା ଆସିବା ପୂର୍ବରୁ ବିଏମ୍ସି ଯେଉଁ ପଦକ୍ଷେପ ନେବା କଥା, ତାହା ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ଭାବେ ଦେଖିବାକୁ ମିଳୁନି। ଲୋକଙ୍କୁ ସଚେତନ କରାଯାଉ ନାହିଁ କି ମଶାବଂଶ ଲୋପ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ। କେବଳ ଯାହା ଘୋଷଣାରେ ସୀମିତ ରହିଛି ବିଏମ୍ସିର କାମ।
ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବଢ଼ିବା ନେଇ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବିଏମ୍ସି ତତ୍ପରତା ପ୍ରକାଶ କରିଥିଲା। ଘର ଘର ସମ୍ପର୍କ ଅଭିଯାନ କରି ଲୋକଙ୍କୁ ଡେଙ୍ଗୁ ବିଷୟରେ ଅବଗତ କରିବାକୁ ଘୋଷଣା କରାଯାଇଥିଲା। ତାହା ଏବେ ନାମକୁ ମାତ୍ର ହୋଇଛି। କେହି କାହା ଘରକୁ ଯାଉ ନାହାନ୍ତି। ହାତରେ ପ୍ଲାକାର୍ଡ ଧରି ପ୍ରମୁଖ୍ୟ ରାସ୍ତାରେ ଚାଲିଚାଲି ଯାଉଛନ୍ତି। ଗଳିରେ ପଶୁନାହାନ୍ତି କି ଲୋକଙ୍କୁ ବୁଝାଉ ନାହାନ୍ତି। ଯେଉଁ ସମୟରେ ବିଏମ୍ସିର କର୍ମଚାରୀ କିମ୍ବା ସ୍ବାସ୍ଥ୍ୟକର୍ମୀମାନେ ବୁଲୁଛନ୍ତି, ସେତେବେଳେ ଲୋକଙ୍କ ଘର କବାଟ ବନ୍ଦ। କାଁ ଭାଁ ଲୋକେ ଡେଙ୍ଗୁ କିଭଳି ବ୍ୟାପୁଛି ସେସମ୍ପର୍କରେ ଜାଣିବାକୁ ପାଉଛନ୍ତି। ଦାୟିତ୍ବରେ ଥିବା ଲୋକେ ବସ୍ତିକୁ ଯାଇ ଗୋଟିଏ ଦୁଇଟି ଫଟୋ ଉଠାଇ ଫେରି ଆସୁଛନ୍ତି। ତାହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସଚେତନତା କରାଯାଉଥିବା ସମ୍ପର୍କରେ ଜଣାଉଛନ୍ତି। କେଉଁଠି ବି ଆନ୍ତରିକତା ଓ ନିଷ୍ଠା ଦେଖିବାକୁ ମିଳୁନି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରତିବର୍ଷ ଡେଙ୍ଗୁ ବ୍ୟାପୁଥିଲେ ମଧ୍ୟ ବିଏମ୍ସି କିଛି ଶିଖିପାରୁ ନାହିଁ କି ଆଗୁଆ ପଦକ୍ଷେପ ନେଉ ନାହିଁ। ଯେଉଁଥିପାଇଁ ଏଥର ମଧ୍ୟ ବିଏମ୍ସିର ସଚେତନତା, ମୁକାବିଲା ବିଳମ୍ବ ଯୋଗୁଁ ସମସ୍ତ ରଣକୌଶଳ ଫେଲ୍ ମାରିଛି। ମୁକାବିଲା ପାଇଁ ବିଏମ୍ସି ସଚେତନତା ସୃଷ୍ଟି କରିବା ସହ ମଶା ଲାର୍ଭା ନଷ୍ଟ କରିବା ଅଭିଯାନ ଚଳାଇଥିଲା। ମଶା ଉତ୍ସ ଖୋଜିବାକୁ ଡ୍ରୋନ୍ ଉଡ଼ାଇଥିଲେ ମଧ୍ୟ ତାହା କିଛି କାମରେ ଲାଗିପାରି ନ ଥିଲା। ଡେଙ୍ଗୁ କମିବା ପରିବର୍ତ୍ତେ ବୃଦ୍ଧି ପାଇବା ଏବେ ସହରବାସୀଙ୍କ ଚିନ୍ତାର କାରଣ ପାଲଟିଛି। ସେହିପରି ମଶା ତେଲ ଓ ଧୂଆଁ ପାଇଁ ଔଷଧ, ପେଟ୍ରୋଲ୍ ଓ ଅନ୍ୟାନ୍ୟ ତେଲ ପାଇଁ ମାସକୁ ୧୦ ଲକ୍ଷ ପାଖାପାଖି ଖର୍ଚ୍ଚ ହେଉଛି ଏବଂ ସଚେତନତା ପାଇଁ ବିଏମ୍ସି କର୍ମଚାରୀ, ସ୍ବଚ୍ଛସାଥୀ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଲାଗିଛନ୍ତି। ବିଭିନ୍ନ ଜାଗା ବୁଲି ମଶା ଉତ୍ସ ଯାଞ୍ଚ କରିବା ପାଇଁ ସ୍ବତନ୍ତ୍ର ଟିମ୍ ରହିଛି। ତେବେ ଏଗୁଡ଼ିକ ଏବେ କିଭଳି କାମ କରୁଛି ତାହାର ଏକ ଉଦାହରଣ ଭାବେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଞ୍ଚଳକୁ ନିଆଯାଇପାରେ। ତିନି ଦିନ ମଧ୍ୟରେ ଥରୁଟିଏ ବି ମଶା ଧୂଆଁ ଗାଡ଼ିକୁ ଲୋକେ ଦେଖିବାକୁ ପାଇ ନାହାନ୍ତି। ପୂର୍ବରୁ ଯେବେ ଗାଡ଼ି ଆସିଛି ତାହା ବେଗ ଏତେ ରହୁଛି ଯେ ଧୂଆଁ କୁଆଡ଼େ ଯାଉଛି ତାହା ଭଗବାନଙ୍କୁ ହିଁ ଜଣା। ସପ୍ତାହେ ହେଲା ବିଏମ୍ସି ୮ ନମ୍ବର ୱାର୍ଡରେ ସଚେତନତା ହୋଇ ନାହିଁ କି ମଶା ଉତ୍ସ ଯାଞ୍ଚ କରାଯାଇ ନ ଥିବା ଲୋକେ ଅଭିଯୋଗ କରିଛନ୍ତି।
ଶୈଳଶ୍ରୀ ବିହାର, ନୀଳାଦ୍ରିବିହାର ପରି ଏବେ ସାଲିଆସାହି ଡେଙ୍ଗୁର ଅନ୍ୟତମ ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି। ଅଗଷ୍ଟ ମାସରେ ଡେଙ୍ଗୁ ସଂକ୍ରମଣ ଏତେ ହେଲା ଯେ ଲୋକେ ତ୍ରାହିତ୍ରାହି ଡାକିଲେ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଅଞ୍ଚଳବାସୀଙ୍କ ମନରେ ଛନକା ସୃଷ୍ଟି କରିଥିଲା। ଚନ୍ଦ୍ରଶେଖରପୁର, ପଟିଆ ଚଳିତବର୍ଷ ବିଏମ୍ସିର ରେଡ୍ ଜୋନ୍ରେ ରହିଛି। ପଟିଆରେ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୨୦୦ ପାର୍ ହୋଇଥିବା ବେଳେ ଶୈଳଶ୍ରୀବିହାର ଓ ନୀଳାଦ୍ରିବିହାରରେ ସରକାରୀ ଭାବେ ଶତାଧିକ ଆକ୍ରାନ୍ତ ଏଯାଏ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ସରକାରୀ ଭାବେ ଭୁବନେଶ୍ବରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୭୦୦ କୁହାଯାଉଥିବା ବେଳେ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା କାହା ପାଖରେ ନାହିଁ। ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ମୈତ୍ରୀବିହାର ଥାନା ଅଞ୍ଚଳରେ ଡେଙ୍ଗୁ କାୟା ମେଲାଇ ଚାଲିଛି। ପ୍ରତିଦିନ କୌଣସି ନା କୌଣସି ଘରୁ ଜଣେ କିମ୍ବା ଦୁଇ ଜଣ ଜ୍ବରରେ ପୀଡ଼ିତ ହେଉଛନ୍ତି। ପରୀକ୍ଷା କରୁ ନ ଥିବାରୁ ସ୍ପଷ୍ଟ ଚିତ୍ର ପଦାକୁ ଆସିପାରୁନି। ଅଧିକାଂଶ ଲୋକ ଘରୋଇ ପାଥୋଲ୍ୟାବ୍ରେ ଡେଙ୍ଗୁ ପରୀକ୍ଷା କରୁଥିବାରୁ ସେମାନଙ୍କ ହିସାବ ସ୍ବାସ୍ଥ୍ୟ କିମ୍ବା ବିଏମ୍ସି ଅଧିକାରୀଙ୍କ ପାଖରେ ନାହିଁ। କେବଳ କ୍ୟାପିଟାଲ ହସ୍ପିଟାଲ, ଆରଏମ୍ଆରସି, ଏମ୍ସ ସମେତ ଦୁଇଟି ପିଏଚ୍ସିରେ ସରକାରୀ ଭାବେ ଡେଙ୍ଗୁ ପରୀକ୍ଷା ରିପୋର୍ଟ ଆଧାରରେ କେତେ ଆକ୍ରାନ୍ତ ହେଲେ ରିପୋର୍ଟ ପ୍ରଦାନ କରାଯାଉଛି। ହେଲେ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ପଦାକୁ ଆସୁ ନ ଥିବାରୁ ଲୋକେ ଭୟଭୀତ ହୋଇଯାଇଛନ୍ତି।