ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ପୁଳାପୁଳା ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଛନ୍ତି। ଏପରି ଅବସ୍ଥାରେ ରକ୍ତ ‘ପ୍ଲାଟିଲେଟ୍’ର ଅଭାବ ଉଭୟ ରୋଗୀ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଉଛି। ରାଜଧାନୀର ଦୁଇ ପ୍ରମୁଖ ସରକାରୀ ଡାକ୍ତରଖାନା (କ୍ୟାପିଟାଲ ଓ ବିଏମ୍ସି ଡାକ୍ତରଖାନା), ଡେଙ୍ଗୁ ରୋଗୀଙ୍କ ପ୍ଲାଟିଲେଟ୍ ଚାହିଦା ପୂରଣ କରିବାରେ ସକ୍ଷମ ହୋଇପାରୁନାହାନ୍ତି। ବିଏମ୍ସି ରକ୍ତଭଣ୍ଡାରରେ ଥିବା ରକ୍ତ ପୃଥକୀକରଣ ମେସିନ୍ ୫ ମାସ ହେଲା ଅଚଳ ପଡ଼ି ରହିଛି। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ମେସିନ୍ କାମ କରୁଥିଲେ ହେଁ ଶିବିରରୁ ସଂଗୃହୀତ ରକ୍ତର ପୃଥକୀକରଣ ହେଉନାହିଁ। ତେଣୁ ଡେଙ୍ଗୁ ପୀଡ଼ିତ ଗରିବ ରୋଗୀ ପ୍ଲାଟିଲେଟ୍ ପାଇଁ ନାକେଦମ୍ ହେଉଥିବା ଦେଖିବାକୁ ମିଳୁଛି।
ବିଶେଷଜ୍ଞଙ୍କ ସୂଚନାନୁଯାୟୀ, ଗୋଟିଏ ୟୁନିଟ୍ ରକ୍ତରେ ଲୋହିତ ରକ୍ତକଣିକା(ପିଆରବିସି ରେଡ ବ୍ଲଡ୍ ସେଲ), ଡବ୍ଲୁବିସି, ପ୍ଲାଟିଲେଟ୍ (ଆରଡିପି), ପ୍ଲାଜମା (ଫ୍ରେସ ଫ୍ରୋଜନ ପ୍ଲାଜମା) ହ୍ବାଇଟ୍ ବ୍ଲଡ୍ ସେଲ ଥାଏ। ଅର୍ଥାତ୍ ଜଣେ ବ୍ୟକ୍ତିଙ୍କ ରକ୍ତଦାନରେ ୪ଜଣଙ୍କ ଜୀବନ ବଞ୍ଚି ପାରିବ। ରକ୍ତ ସଂଗ୍ରହର ୬ଘଣ୍ଟା ମଧ୍ୟରେ ରକ୍ତ ପୃଥକୀକରଣକୁ ଗୁରୁତ୍ବ ଦିଆଯାଏ। ଏଥିପାଇଁ ଥିବା ସ୍ବତନ୍ତ୍ର ମେସିନ୍ ଜରିଆରେ ହିଁ ଏହି କାର୍ଯ୍ୟ ହୁଏ। ଉଭୟ ବିଏମ୍ସି ଏବଂ କ୍ୟାପିଟାଲ ଡାକ୍ତରଖାନାରେ ଏଭଳି ମେସିନ୍ ରହିଛି। କିନ୍ତୁ ବିଏମ୍ସି ରକ୍ତଭଣ୍ଡାରର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଡେଙ୍ଗୁ ସ୍ଥିତିକୁ ଦୃଷ୍ଟିରେ ରଖି ରକ୍ତ ପୃଥକୀକରଣ ମେସିନ୍ ସଜାଡ଼ିବା ପାଇଁ ୩ଥର ଚିଠି ଲେଖା ସରିଲାଣି। ମାତ୍ର ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ସ୍ଥିତି ଏତେ ଖରାପ ଯେ ମେସିନ୍ କାର୍ଯ୍ୟକ୍ଷମ ପାଇଁ ଏଠାରେ ଆବଶ୍ୟକ କର୍ମଚାରୀ ମଧ୍ୟ ନାହାନ୍ତି। ଏଥିସହ ଏଠାରେ ଥିବା ୪ରୁ ୩ ରକ୍ତ ସଂରକ୍ଷିତ ଫ୍ରିଜର୍ ମଧ୍ୟ ଅଚଳ ପଡ଼ିଛି। କେବଳ ବର୍ତ୍ତମାନର ପ୍ଲାଟିଲେଟ୍ର ଆବଶ୍ୟକତା ପୂରଣ ପାଇଁ ନୁହେଁ, ସାଧାରଣ ସମୟରେ ମଧ୍ୟ ରକ୍ତ ପୃଥକୀକରଣ ମେସିନ୍ର ଆବଶ୍ୟକତା ରହିଛି।
ଦୁଇ ସରକାରୀ ରକ୍ତଭଣ୍ଡାରରେ ରକ୍ତ ପୃଥକୀକରଣ ବାଧାପ୍ରାପ୍ତ
ବିଏମ୍ସି ରକ୍ତ ଭଣ୍ଡାରରେ ୫ମାସ ହେଲା ମେସିନ୍ ଅଚଳ
ଶିବିର ରକ୍ତକୁ ପୃଥକୀକରଣ କରୁନି ‘କ୍ୟାପିଟାଲ’
ଆହୁରି ମଧ୍ୟ, ବିଭିନ୍ନ ଡାକ୍ତରଖାନାରେ ଡାକ୍ତରମାନେ ‘ହୋଲ ବ୍ଲଡ୍’ ନ ଲେଖି ରକ୍ତର କେଉଁ ଉପାଦାନ ଆବଶ୍ୟକ, ତାହା ଲେଖୁଛନ୍ତି। କିନ୍ତୁ ରକ୍ତ ପୃଥକ୍ ହୋଇ ପାରୁନଥିବାରୁ ଅନେକ ଉପାଦାନ ଦିଆଯାଇ ପାରୁନଥିବା ନେଇ ଅଭିଯୋଗ ହେଉଛି। ଏଥିଯୋଗୁଁ ମୁଖ୍ୟତଃ ଘରୋଇ ଡାକ୍ତରଖାନାରେ ରୋଗୀ ହଇରାଣ ହେଉଥିବା କୁହାଯାଉଛି। ବିଏମସି ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସରକାର କହିଛନ୍ତି, ବିଏମସି ରକ୍ତଭଣ୍ଡାରକୁ ଖୁବ୍ଶୀଘ୍ର ନୂଆ ରକ୍ତ ପୃଥିକୀକରଣ ମେସିନ୍ ମିଳିବା ବୋଲି ପ୍ରତିଶ୍ରୁତି ମିଳିଛି।
କ୍ୟାପିଟାଲ ଡାକ୍ତରଖାନାରେ ଏଭଳି ମେସିନ୍ ରହିଛି। କିନ୍ତୁ ଏହା କେବଳ ସେଠାରେ ସଂଗୃହୀତ ରକ୍ତ ପୃଥକୀକରଣରେ କାମରେ ଆସୁଛି। ଏହି ଡାକ୍ତରଖାନା ତାର ସମୁଦାୟ ଆବଶ୍ୟକତାର ୭୦ ଭାଗ ରକ୍ତ ଶିବିର ଜରିଆରେ ପୂରଣ କରେ। କିନ୍ତୁ ବିଭିନ୍ନ ଶିବିରରୁ ସଂଗୃହୀତ ରକ୍ତ ପୃଥିକୀକରଣ କରାଯାଉ ନଥିବାରୁ ମେସିନ୍ର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହେଉ ନାହିଁ।
ଏ ସଂପର୍କରେ କ୍ୟାପିଟାଲ ହସ୍ପିଟାଲର ରକ୍ତଭଣ୍ଡାର ଅଧିକାରୀ ଦେବାଶିଷ ମିଶ୍ର କହିଛନ୍ତି, କ୍ୟାପିଟାଲ ଡାକ୍ତରଖାନା ନିକଟସ୍ଥ ରକ୍ତଦାନ ଶିବିର ହେଲେ ରକ୍ତ ପୃଥିକୀକରଣ କରାଯାଉଛି। ଦୂରବର୍ତ୍ତୀ ସ୍ଥାନରୁ ରକ୍ତ ସଂଗୃହୀତ ହୋଇ ଆସିବା ପରେ ଏହାକୁ ପୃଥକୀକରଣ କରାଯାଇପାରିବନାହିଁ। ଏହା କରାଗଲେ ରକ୍ତର ଗୁଣାତ୍ମକ ମାନ ହ୍ରାସ ହେବାର ଆଶଙ୍କା ରହିଛି। ଜରୁରୀକାଳୀନ ସ୍ଥିତିରେ ଶିବିରରୁ ସଂଗୃହୀତ ରକ୍ତ ପୃଥକ୍ କରାଯାଏ ବୋଲି ଡାକ୍ତର ମିଶ୍ର କହିଛନ୍ତି। ସିକିଲିନ୍, ଥାଲାସେମିଆ, ଦୁର୍ଘଟଣା କିମ୍ବା ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଅଚାନକ ରକ୍ତର ଆବଶ୍ୟକ ହେଲେ ଶିବିରରୁ ସଂଗୃହୀତ ରକ୍ତ ହିଁ ସେମାନଙ୍କ ଜୀବନ ବଞ୍ଚାଇଥାଏ। ଏଥିପାଇଁ ଶିବିର ସଂଗୃହୀତ ରକ୍ତକୁ କିଭଳି ପୃଥକ୍ କରାଯାଇ ପାରିବ ତାକୁ ନେଇ ରକ୍ତଭଣ୍ଡାରଗୁଡ଼ିକ ଗୁରୁତ୍ବ ଦେବା ଉଚିତ ବୋଲି ରୋଗୀ ଓ ଅଭିଭାବକମହଲରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dengue.jpg)