ଭୁବନେଶ୍ବର: ରାଜଧାନୀରେ ସ୍ବାସ୍ଥ୍ୟସେବାର ଏକ ବିଚିତ୍ର ସ୍ଥିତି ସାମ୍ନାକୁ ଆସିଛି। ଡେଙ୍ଗୁ ରୋଗୀଙ୍କୁ ନିଜର ରକ୍ତ ପରୀକ୍ଷା ପାଇଁ ନିଜେ ନମୁନା ସଂଗ୍ରହ କରି ଦାଖଲ କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଘର ପାଖରେ ନମୁନା ପରୀକ୍ଷା ଓ କ୍ୟାପିଟାଲ ହସ୍ପିଟାଲରୁ ଭିଡ଼ କମାଇବା ଯୋଜନା‌ ବିଫଳ ହୋଇଛି। 

Advertisment

ଭୁବନେଶ୍ବରରେ ଡେଙ୍ଗୁ ରୋଗୀ ପରୀକ୍ଷା ପାଇଁ ୪ଟି ସେଣ୍ଟିନେଲ୍‌ ସାଇଟ୍‌ ରହିଛି। କ୍ୟାପିଟାଲ ହସ୍ପିଟାଲ, ଆଇଆର୍‌ସି ୟୁପିଏଚ୍‌ସି ଓ ପଟିଆ ୟୁସିଏଚ୍‌ସିରେ ଡେଙ୍ଗୁ ପରୀକ୍ଷା ହୋଇପାରିବ। ଏସବୁ ସ୍ଥାନରୁ ଭିଡ଼ କମାଇବା ପାଇଁ ରାଜଧାନୀରେ ଥିବା ୨୨ଟି ୟୁପିଏଚ୍‌ସିରେ ନମୁନା ସଂଗ୍ରହ କରାଯାଇ ୪ଟି ସେଣ୍ଟିନେଲ ସାଇଟ୍‌ରେ ପରୀକ୍ଷା ପାଇଁ ପଠାଯିବ। ଯାହାଫଳରେ ରୋଗୀ ଘର ପାଖରେ ସେବା ପାଇପାରିବ। ମାତ୍ର ରାଜଧାନୀର ଅଧିକାଂଶ ୟୁପିଏଚ୍‌ସିକୁ ଯାଉଥିବା ରୋଗୀମାନଙ୍କର କେବଳ ରକ୍ତ ବାହାର କରାଯାଉଛି। ନମୁନାକୁ ସେଣ୍ଟିନେଲ ସାଇଟ୍‌କୁ ନ ପଠାଇ ରୋଗୀଙ୍କ ହାତରେ ଧରାଇ ଦିଆଯାଉଛି। ‌ଜ୍ବରରେ ପୀଡ଼ିତ ବ୍ୟକ୍ତିଟିଏ ପୁନର୍ବାର କ୍ୟାପିଟାଲ ହସ୍ପିଟାଲକୁ ଯାଇ ଧାଡ଼ିରେ ଠିଆ ହେବା ସହ ନମୁନା ଦେବାକୁ ପଡ଼ୁଛି। ତେଣୁ ପୂର୍ବଭଳି କ୍ୟାପିଟାଲ ହସ୍ପିଟାଲରେ ଭିଡ଼ ଜମିବାରେ ଲାଗିଛି। ଏହାସହ ପରୀକ୍ଷା ପାଇଁ ନିଜ ନମୁନା ନିଜକୁ ନେବାକୁ ପଡ଼ୁଥିବାରୁ ଏହା ଅନେକ ରୋଗୀଙ୍କୁ ନିରୁତ୍ସାହିତ କରୁଛି। 

ଅପରପକ୍ଷରେ ସହରାଞ୍ଚଳରେ ସ୍ବାସ୍ଥ୍ୟସେବା କିଭଳି ସହଜ ହେବ ସେଥିପାଇଁ ରାଜଧାନୀ ସମେତ ଅନ୍ୟ ପୌରାଞ୍ଚଳରେ ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳନା(ସିପିଏମ୍‌) ୟୁନିଟ୍‌ କାର୍ଯ୍ୟ କରୁଛି। ନମୁନା ପରୀକ୍ଷାର ଏଭଳି ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏହାର ସମାଧାନ କରିବା ଦିଗରେ ସିପିଏମ୍ ୟୁନିଟ୍‌ଟି କି କାର୍ଯ୍ୟ କରୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଡିୟୁପିଏଚ୍‌ଓ ଡା.ନୀଳମଣି ସେନାପତି କହିଛନ୍ତି, ପ୍ରଥମଥର ଲାଗି ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। କ’ଣ ପାଇଁ ଏଭଳି ଅବ୍ୟବସ୍ଥା ହୋଇଛି ତାହାର ଯାଞ୍ଚ କରାଯିବ। ଆଇଆର୍‌ସି ଓ ପଟିଆ ସେଣ୍ଟିନେଲ ସାଇଟ୍‌ରେ ମଧ୍ୟ ଗତକାଲି କୌଣସି ଡେଙ୍ଗୁ ପରୀକ୍ଷା ହୋଇନାହିଁ। କାହିଁକି ଏଭଳି ହେଲା ତାହା ମଧ୍ୟ ଆଶ୍ଚର୍ଯ୍ୟ। ଡେଙ୍ଗୁ ପରୀକ୍ଷା ପାଇଁ ଥିବା ଏଲ୍‌ଟିମାନେ ଡ୍ୟୁଟିରେ ଅଛନ୍ତି କି ଛୁଟିରେ ଅଛନ୍ତି ତାହା ଜାଣିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଡା.ସେନାପତି କହିଛନ୍ତି।