ରାଜଧାନୀରେ ହେବ ଏଡିସ୍‌ ମଶା ସର୍ବେକ୍ଷଣ : ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଯୋଗଦେବେ ୨୦ ଡେଙ୍ଗୁ ସ୍ୱେଚ୍ଛାସେବୀ

ଭୁବନେଶ୍ୱର : ରାଜଧାନୀର ଯେଉଁ ଯେଉଁ ଅଞ୍ଚଳରେ ଗତ କିଛିବର୍ଷ ଧରି ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ସେହି ଅଞ୍ଚଳରେ ଏଡିସ୍‌ ମଶାର ଉପସ୍ଥିତି ନେଇ ସର୍ବେକ୍ଷଣ ହେବ। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟର ବରିଷ୍ଠ ଏଣ୍ଟୋମୋଲୋଜିଷ୍ଟଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟର ଏଣ୍ଟୋମୋଲୋଜିଷ୍ଟ, ରାଜ୍ୟର ଜଣେ ଏଣ୍ଟୋମୋଲୋଜିଷ୍ଟଙ୍କୁ ନେଇ ଏହି ସର୍ବେକ୍ଷଣ କରାଯିବ। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସାଲିଆସାହି, ଓ୍ଵାର୍ଡ ନଂ ୧୩ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ଏହି ଅଞ୍ଚଳରେ ସର୍ବେକ୍ଷଣ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍‌ଓର ଗାଇଡଲାଇନ୍‌ ଅନୁଯାୟୀ ଅଧିକାରୀମାନେ ସର୍ବେକ୍ଷଣ କରିବେ। ରାଜଧାନୀରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେଉଁ କେଉଁ ପଦକ୍ଷେପ ନିଆଯାଇଛି ଓ ତାହାର ପରିମାଣ କ’ଣ ରହିଛି ସର୍ବେକ୍ଷଣରେ ଏହାର ଯାଞ୍ଚ କରାଯିବ। ଅପରପକ୍ଷରେ ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ଲାଗି ଖୋର୍ଧା ଜିଲ୍ଲା ସିଡିଏମ୍‌ଓଙ୍କ ନିକଟରୁ ୨୦ଜଣ ଡେଙ୍ଗୁ ସ୍ୱେଚ୍ଛାସେବୀଙ୍କୁ ରାଜଧାନୀକୁ ଅଣାଯିବ। ସେମାନେ ଡେଙ୍ଗୁ ମଶାର ଉତ୍ସକୁ ନଷ୍ଟ କରିବା ସହିତ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ଆସନ୍ତାକାଲିଠାରୁ ଏହି ସ୍ୱେଚ୍ଛାସେବୀମାନେ ରାଜଧାନୀରେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟ ଭେକ୍ଟର ବାହିତ ରୋଗର ବା ଭିବିଡିର ପରାମର୍ଶଦାତାଙ୍କୁ ଆସନ୍ତା ୧୦ଦିନ ପାଇଁ ରାଜଧାନୀରେ ରହିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ଆଜି ଓ୍ଵାର୍ଡ ନଂ ୧୨ ଓ ୧୩ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଓ୍ଵାର୍ଡ ନଂ ୧୩ରେ ୧୮୧ଜଣ ସ୍ଥାନୀୟ ବାସିନ୍ଦାଙ୍କ ଘରେ ଫଗିଂ କରାଯାଇଛି।  ଗତ ଦୁଇ ଦିନ ରାଜଧାନୀରେ ଜଣେ ହେଲେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ଆଜି ୨ଟି ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ କୌଣସି ପଜିଟିଭ୍‌ ଆସିନାହିଁ।

ଡେଙ୍ଗୁ ଅଣାୟତ : ପାଖ ଅଞ୍ଚଳକୁ ବ୍ୟାପୁଛି

ଚନ୍ଦ୍ରଶେଖରପୁର : ଓ୍ଵାର୍ଡ ନଂ-୧୩ ବିଡିଏ କଲୋନିରୁ ଆରମ୍ଭ ହୋଇଥିବା ଡେଙ୍ଗୁ ବର୍ତମାନ ନିକଟସ୍ଥ ଅଞ୍ଚଳକୁ ବ୍ୟାପୁଛି। ସରକାରୀ ଭାବରେ ଆଉ କେଉଁଠି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ନଥିଲେ ମଧ୍ୟ ଓ୍ଵାର୍ଡ ନଂ-୮ ଓ ୧୨ରେ ଥିବା ବିଭିନ୍ନ ବସ୍ତିରେ ରୋଗ ବ୍ୟାପୁଥିବା ସୂଚନା ମିଳିଛି। ବିଡିଏ କଲୋନିରେ  ପୁଣି ଜଣେ ମହିଳା ଏବଂ ଜଣେ ୧୪ ବର୍ଷର ବାଳକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ‘ସମ୍ବାଦ’ରେ ପ୍ରଥମେ ରାଜଧାନୀରେ ଡେଙ୍ଗୁ ନେଇ ଖବର ପ୍ରସାରଣ ପରେ ନୀଳାଦ୍ରିବିହାର ପିଏଚ୍‌ସିରେ ଡେଙ୍ଗୁ ପାଇଁ ଏକ ନୋଡାଲ୍‌ କେନ୍ଦ୍ର ଖୋଲାଯାଇ ବିଭିନ୍ନ ସଚେତନାତମୂଳକ କାର୍ଯ୍ୟ କରାଯାଉଛି। ଆଜି ଏହି ଟିମ୍‌ ପକ୍ଷରୁ ବିଡିଏ କଲୋନି ସିଅନ ଶ୍ରମିକ ବସ୍ତି, ଅନନ୍ତ ବସ୍ତି, ନୀଳମାଧବ ବସ୍ତି, ପାଣିଟାଙ୍କି ବସ୍ତି, ଓ୍ଵାର୍ଡ ନଂ ୮ର ଧୀରିକୁଟ ବସ୍ତି ଏବଂ ଓ୍ଵାର୍ଡ ନଂ ୧୨ର ବିଭିନ୍ନ ଅଞ୍ଚଳ ଗସ୍ତ କରାଯାଇଥିଲା। ୧୦ଟି ଆଣ୍ଟିଲାର୍ଭା ସ୍କ୍ଵାର୍ଡ, ଫାଇଲେରିଆ କର୍ମଚାରୀଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗ, ପ୍ଲାନ୍‌ ଇଣ୍ଡିଆର କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସମ୍ବନ୍ଧିତ ଖବର