ରାଜଧାନୀକୁ ଡରାଇଲାଣି ଡେଙ୍ଗୁ: ଡ୍ରେନ୍‌-୧୦ରେ ଛଡ଼ା ହେଲା ଗମ୍ବୁସିଆ ମାଛ

କ୍ୟାପିଟାଲ ହସ୍ପିଟାଲ୍‌ରେ ୧୦ ଶଯ୍ୟା

ଭୁବନେଶ୍ବର: ଡରାଇଲାଣି ଡେଙ୍ଗୁ। ଯେଉଁ ଆଶଙ୍କା ଥିଲା ତାହା ହିଁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ବାହାରିଥିବା ବେଳେ ଭୁବନେଶ୍ବରରେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ପ୍ରସ୍ତୁତ ନ ହେବାରୁ ମୌସୁମୀ ବର୍ଷା ଆରମ୍ଭ ନ ହେଉଣୁ ଡେଙ୍ଗୁ ଏବେ କାଳ ହେବାକୁ ଯାଉଛି। ଗତବର୍ଷ ଡେଙ୍ଗୁରେ ମୃତ୍ୟୁ ଘଟିଥିବାରୁ ଏବେ ସହରବାସୀ ଛାନିଆ ହୋଇଛନ୍ତି। ଏଣେ ବାହାଘର ବେଳେ ବାଇଗଣ ରୁଆ ଭଳି ଆଜି ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଡ୍ରେନ୍‌ ନଂ. ୧୦(ସହିଦନଗର ନିକଟ)ରେ ଗମ୍ବୁସିଆ ମାଛ ଛଡ଼ା ଯାଇଛି। ବର୍ଷା ଋତୁ ଆସିବା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ‌ଆକ୍ରାନ୍ତ ଚିହ୍ନଟ ହେବା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବିଏମ୍‌ସି କମିସନରଙ୍କ ସମେତ ଅନ୍ୟ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ତାଗିଦ କରାଯାଇଥିଲା। ବିଏମ୍‌ସି ଏଥିପାଇଁ ପ୍ରସ୍ତୁତି ବିଳମ୍ବ କରିଥିଲା। ଫଳରେ ଭୁବନେଶ୍ବରରେ ଡେଙ୍ଗୁ ଚିହ୍ନଟ ହେଲେ। ଯେଉଁ ତିନିଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନେ ୱାର୍ଡ ନଂ ୧୩ ଓ ୧୪ରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କ୍ୟାପିଟାଲ ହସ୍ପିଟାଲ୍‌ରେ ୧୦ ଶଯ୍ୟା
ଗତବର୍ଷ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିଲା। ସଂଖ୍ୟା ଏତେ ବୃଦ୍ଧି ପାଇଥିଲା ଯେ କ୍ୟାପିଟାଲ ହସ୍ପିଟାଲ୍‌ ବାହାରେ ‌ଅସ୍ଥାୟୀ ଶଯ୍ୟା ପକାଇ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ଆଗକୁ ବର୍ଷା ଦିନ ଆସୁଥିବାରୁ ଏବେଠୁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିଲାଗି ହସ୍ପିଟାଲରେ ଏବେ ୧୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ କରାଯାଇଛି। ଏବେ ହସ୍ପିଟାଲରେ ଜଟଣୀ ଅଞ୍ଚଳର ଜଣେ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆଜି ଜଣେ ଡିସଚାର୍ଜ ହୋଇଛନ୍ତି। ହସ୍ପିଟାଲରେ ଏବେ ମଶାରି, ଔଷଧ ମହଜୁଦ କରି ରଖାଯାଉଛି। ଏହାସହ ପ୍ଲାଜ୍‌ମା ପାଇଁ ମଧ୍ୟ ରକ୍ତ ରଖାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଫାଇଲେରିଆ ଇନ୍‌ସ୍‌ପେକ୍ଟରମାନେ ସହର ସାରା ବୁଲି ଯେଉଁ ୧୭୫ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରିଥିଲେ ତାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏହି ସବୁ ସମ୍ବେଦନଶୀଳ ଜାଗାରେ ଗମ୍ବୁସିଆ ମାଛ ଛାଡ଼ିବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ଆଜି ସହିଦନଗରରେ ଥିବା ଡ୍ରେନ୍‌-୧୦ରେ ଏହି ମାଛ ଛଡ଼ା ଯାଇଛି। ଗତ ବର୍ଷ ୪ଟି ଜାଗାରେ ମାଛ ଛଡ଼ା ଯାଇଥିଲା। କିନ୍ତୁ ଏହି ସବୁ ସ୍ଥାନରେ ଗୋଟିଏ ହେଲେ ମାଛ ବଞ୍ଚିନଥିଲେ। ଏବେ ଗୋଟିଏ ଜାଗାରେ ଗମ୍ବୁସିଆ ଛଡ଼ା ଯାଇଥିବା ବେ‌ଳେ ଆଗକୁ ଅନ୍ୟ ଜାଗାରେ ଛାଡ଼ିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ଯେଉଁ ନଳାରେ ପାଣି ରହୁନାହିଁ ସେଠାରେ ମାଛ ଛାଡ଼ିବା ସମ୍ଭବ ନୁହେଁ। ଏଣୁ ସେଠାରେ ନିୟମିତ ଲାର୍ଭିସାଇଡ୍‌ ପକାଇବା ଯୋଜନା ହୋଇଥିଲା। ତାହା ମଧ୍ୟ ଶତପ୍ରତିଶତ ହେଉ ନାହିଁ।
ପୂର୍ବରୁ ବିଏମ୍‌ସି ପ୍ରତି ଗୁରୁବାର ଡ୍ରାଏ ଡେ ଘୋଷଣା କରିଥିଲା। ଏହି ଦିନ ଟିମ୍‌ ବୁଲି ବିଭିନ୍ନ ଜାଗାରୁ ଜମି ରହୁଥିବା ପାଣି ଖାଲି କରୁଥିଲା। ଦୀର୍ଘ ଦିନ ପାଣି ଜମିରହିଲେ ମଶା ଜନ୍ମ ହେବା ଆଶଙ୍କା ଥିବାରୁ ଏଭଳି ଏକ ଯୋଜନା କରାଯାଇ ସଚେତନତା ସୃଷ୍ଟି କରାଯାଉଥିଲା‌। ହେଲେ ଏ ଯାବତ୍‌ ଏହା ଆରମ୍ଭ କରାଯାଇ ନାହିଁ।

ସମ୍ବନ୍ଧିତ ଖବର