ଅବ୍ୟବହୃତ କୋଠାରୁ ବ୍ୟାପିଛି ଡେଙ୍ଗୁ: ଜଳ ନିଷ୍କାସନର ଭିତ୍ତିଭୂମି ଯାଞ୍ଚ କଲା ଟିମ୍‌

ଆଜି ବି ଛଡ଼ାଗଲା ମଶା ଧୂଆଁ, କଟାଗଲା ଗଛ

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାରରେ ଥିବା ଏକ ଅବ୍ୟବହୃତ କୋଠାରୁ ଡେଙ୍ଗୁ ବ୍ୟାପିଛି। ଚଳିତବର୍ଷ ଯେଉଁ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ତାଙ୍କ ଘର ସାମ୍ନାରେ ଏହି ଅବ୍ୟବହୃତ ‌କୋଠା ରହିଛି। ସେଠାରେ କେହି ରହୁନାହାନ୍ତି। ତେଣୁ କୋଠା ପରିସରରେ ଅଳିଆ ଆବର୍ଜନା ପଡ଼ି ରହିବା ସହ ଅବ୍ୟବହୃତ ସାମଗ୍ରୀ ପଡ଼ି ରହିଥିବାରୁ ସେଥିରେ ବର୍ଷା ପାଣି ଜମି ରହିଛି। ବହୁ ଦିନ ଧରି ଏହା ରହିବା ଦ୍ବାରା ସେଠାରୁ ମଶା ବଂଶ ବଢ଼ିଛି। ଯାହାକି ପରବର୍ତୀ ସମୟରେ ଭୟଙ୍କର ପରିସ୍ଥିତି ସୃ‌ଷ୍ଟି କରିଛି।

ଗତକାଲି ନୀଳାଦ୍ରିବିହାର ଅଞ୍ଚଳ ଗସ୍ତ କରିବା ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ବିଏମ୍‌ସିକୁ ଏଭଳି ତଥ୍ୟ ଦେଇଛନ୍ତି। ତାହାକୁ ଆଧାର କରି ବିଏମ୍‌ସି ଉତ୍ତର ଜୋନ୍‌ ପକ୍ଷରୁ ଆଜି ବି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଉକ୍ତ ଘର ଚାରିପାଖକୁ ସଫା କରାଯିବା ସହ ପଡ଼ି ରହିଥିବା ଅଳିଆ ଆବର୍ଜନା ଉଠାଯାଇଛି। ରାସ୍ତା ଓ ଖାଲୁଆ ଅଞ୍ଚଳରେ ଜମି ରହୁଥିବା ପାଣି କିଭଳି ନିଷ୍କାସନ ହୋଇପାରିବ ସେନେଇ ବରିଷ୍ଠ ଯନ୍ତ୍ରୀମାନେ ଜୋନ୍‌ର ବିଭିନ୍ନ ୱାର୍ଡ ପରିଦର୍ଶନ କରିଛନ୍ତି। ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ଡ୍ରେନେଜ୍‌ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୌତମ ଦାଶ, ଉତ୍ତର ଜୋନ୍‌ ଜେଡିସି ପୁରନ୍ଦର ନନ୍ଦଙ୍କ ସମେତ ଅନ୍ୟ ଯନ୍ତ୍ରୀମାନେ ୬ ନମ୍ବର ୱାର୍ଡର ପଦ୍ମାବତୀ ବିହାର ନିକଟରେ ଥିବା ଏକ କଲର୍ଭର ପରିଦର୍ଶନ କରିବା ସହ ସେଠାରେ କିଭଳି ପାଣି ଜମି ନ ରହିବ ସେନେଇ ଅନୁଧ୍ୟାନ କରିଛନ୍ତି। ସେହିପରି ଶାଶ୍ବତ ବିହାର ଆଡ଼ୁ ଆସୁଥିବା ପଣି କେଉଁ ବାଟେ ମୁଖ୍ୟ ଡ୍ରେନ୍‌କୁ ଯିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ବନଫୁଲ ବସ୍ତିରୁ ଜଳ ନିଷ୍କାସନ ସମ୍ପର୍କରେ ଯନ୍ତ୍ରୀମାନେ ବିଶଦ ଆଲୋଚନା କରିଛନ୍ତି। ଲକ୍ଷ୍ମୀବିହାରରେ ୩ ନମ୍ବର ଡ୍ରେନ୍‌ ପାଣି ପଶିବାରୁ ସେଠାରେ ରାସ୍ତା ନଷ୍ଟ ହୋଇଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ନିର୍ଦେଶ ଦିଆଯାଇଛି। ଯନ୍ତ୍ରୀମାନଙ୍କୁ ନେଇ ଗଠିତ ଏହି ଟିମ୍‌ ପାହାଳରେ ଥିବା ଏକ ଡ୍ରେନ୍‌ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଅନ୍ୟପକ୍ଷରେ ଗତକାଲି ପରି ଆଜି ମଧ୍ୟ ନୀଳାଦ୍ରିବିହାର ଓ ଶୈଳଶ୍ରୀ ବିହାରର ଗଳିକନ୍ଦିରେ ଧୂଆଁ ଛଡ଼ାଯାଇଛି। ରାସ୍ତାପାର୍ଶ୍ବରେ ଥିବା ଅନାବନା ଗଛ କଟାଯିବା ସହ ତେଲ ପକାଯାଇଛି। ଜେଡିସି ଶ୍ରୀ ନନ୍ଦ କହିଛନ୍ତି ଯେ ଡେଙ୍ଗୁ ସଂକ୍ରମଣ ରୋକିବାକୁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛୁ। ଯେଉଁଥିପାଇଁ ଆଜି କୌଣସି ବି ସ୍ଥାନରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ନାହାନ୍ତି। ନୀଳାଦ୍ରିବିହାର ଓ ଶୈଳଶ୍ରୀ ବିହାରରେ ଅନୁଧ୍ୟାନ କରିବା ସମୟରେ ଦେଖିବାକୁ ମିଳିଛି ଯେ ଅଧିକାଂଶ ଘର ମାଲିକ ଗାଈଗୋରୁ ଓ ଅନ୍ୟାନ୍ୟ ପଶୁଙ୍କୁ ଖାଦ୍ୟ, ପାନୀୟ ଦେବା ଲାଗି ଘର ନିକଟରେ ପାତ୍ରରେ ପାଣି ରଖୁଛନ୍ତି। ଯାହାକି ବେଶି ଦିନ ରହିବା ଦ୍ବାରା ମଶା ବଂଶ ବୃଦ୍ଧି ପାଇଛି। ଚାଳ ଉପରେ ଥିବା ଡ଼ବା, ଫୁଲକୁଣ୍ଡ ଓ ଟାୟାରରେ ଜମୁଥିବା ପାଣି ନିୟମିତ ପରିବର୍ତନ ନ ହେବା ଦ୍ବାରା ସେଠାରେ ମଶା ଅଣ୍ଡା ଦେଉଥିବା ନଜରକୁ ଆସିଛି। ଲୋକେ ଏଥିପ୍ରତି ସଚେତନ ହେବାର ଆବଶ୍ୟକତା‌ ରହିଛି। ଯେଉଁଥିରେ ବି ପାଣି ରଖୁଛନ୍ତି ତାହାକୁ ପ୍ରତିଦିନ ପରିବର୍ତନ କରନ୍ତୁ। ରାସ୍ତାପାର୍ଶ୍ବରେ ଉଠିଥିବା ଅନାବନା ଗଛ ସଫା କରିବା ଦିଗରେ ଆମେ ପଦକ୍ଷେପ ନେଉଛୁ। ତେବେ ଘର ଅଗଣାକୁ ସଫା ରଖିବା ଦିଗରେ ଲୋକଙ୍କ ସହଯୋଗ ଲୋଡ଼ା। ସମସ୍ତେ ସହଯୋଗ କଲେ ଡେଙ୍ଗୁ ସଂକ୍ରମଣକୁ ରୋକିପାରିବା।

ସମ୍ବନ୍ଧିତ ଖବର