ବିଳମ୍ବରେ ଚେତିଲା ସ୍ବାସ୍ଥ୍ୟ ବିଭାଗ, ସବୁ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ହେବ ଡେଙ୍ଗୁ ପରୀକ୍ଷା

ଘରୋଇ ହସ୍ପିଟାଲଙ୍କୁ ନିକଟସ୍ଥ ଡେଙ୍ଗୁ ପରୀକ୍ଷାଗାରକୁ ନମୁନା ପଠାଇବାକୁ ନିର୍ଦେଶ

ଭୁବନେଶ୍ବର : ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଉଦ୍‌ବେଗଜନକ ଭାବେ ଚାଲିଛି। ଏ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ପରେ ବିଳମ୍ବରେ ହେଲିବି ଚେତିଛି ସ୍ବାସ୍ଥ୍ୟ ବିଭାଗ। କାଳେ ଡେଙ୍ଗୁ ନିୟନ୍ତ୍ରଣ ବାହାରକୁ ଚାଲିଯିବ ସେଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଆରମ୍ଭ କରିଛନ୍ତି। ରାଜଧାନୀର ସମସ୍ତ ସହରାଞ୍ଚଳ ପ୍ରାଥମିକ/ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ତ ନମୁନା ସଂଗ୍ରହ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଗୃହୀତ ନମୁନାକୁ ନିକଟସ୍ଥ ଡେଙ୍ଗୁ ସେଣ୍ଟିନାଲ ସାଇଟ୍‌କୁ ପଠାଇବାକୁ କୁହାଯାଇଛି। ଏହା ସହ ରାଜଧାନୀରେ ଥିବା ପ୍ରମୁଖ ୫ଟି ଘରୋଇ ହସ୍ପିଟାଲ ମଧ୍ୟ ସେମାନଙ୍କ ଡେଙ୍ଗୁ ପଜିଟିଭ୍‌ ନମୁନାକୁ ସୁନିଶ୍ଚିତ କରିବା ଲାଗି ନିକଟସ୍ଥ ଡେଙ୍ଗୁ ପରୀକ୍ଷାଗାରକୁ ପଠାଇବାକୁ ନିର୍ଦେଶ ଦିଆଯାଇଛି। ଏ ନେଇ ଆଜି ରାଜଧାନୀର ୫ଟି ଘରୋଇ ମେଡିକାଲ ସମେତ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜକୁ ଚିଠି କରାଯାଇଛି।

ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପି ଗଲାଲାଣି। ଏପରିକି ଡେଙ୍ଗୁରେ ଜଣେ ଡେଙ୍ଗୁରେ ପ୍ରାଣ ହରାଇଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି। ହେଲେ ରାଜ୍ୟ ସରକାର ଏହି ମୃତ୍ୟୁକୁ ଡେଙ୍ଗୁ ମୃତ୍ୟୁ ବୋଲି ସ୍ବୀକାର କରି ନାହାନ୍ତି। ଏହା ସହ ଡେଙ୍ଗୁର ଘାତକ ଡି-୨ଷ୍ଟ୍ରେନ୍‌ ରାଜଧାନୀର କେତେକ ପଜିଟିଭ୍‌ ନମୁନାରୁ ଚିହ୍ନଟ ହେବା ଆହୁରି ଚିନ୍ତା ବଢ଼ାଇ ଦେଇଛି। ଏଭଳି ପରିସ୍ଥିତିରେ ଡେଙ୍ଗୁକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ସବୁ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ ନମୁନା ସଂଗ୍ରହ ପାଇଁ ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ସଂକ୍ରମଣ ଓ ମୃତ୍ୟୁ ନିୟନ୍ତ୍ରିତ ହୋଇପାରିବ। ଏହାସହ ରାଜଧାନୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ମ୍ୟାପିଂ ସହିତ ମାତ୍ରାଧିକ ରୋଗୀ ଚିହ୍ନଟ ହେଉଥିବା ଅଞ୍ଚଳରେ କୀଟ (ଭେକ୍ଟର) ନିୟନ୍ତ୍ରଣ ପାଇଁ ବିଏମ୍‌ସିର ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ/ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ସେହିପରି ଡେଙ୍ଗୁ ଏକ ନୋଟିଫାଏବଲ ବା ସୂଚନାଯୋଗ୍ୟ ରୋଗ। ତେଣୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିହ୍ନଟ କିମ୍ବା ପ୍ରାଣ ହରାଉଥିବା ରୋଗୀଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ପ୍ରଦାନ କରିବା ବାଧ୍ୟତାମୂଳକ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜଧାନୀରେ ଥିବା ପ୍ରମୁଖ ୫ଟି ଘରୋଇ ହସ୍ପିଟାଲ ନିଜର ଓପିଡି ଓ ଆଇପିଡିରେ ‌ଡେଙ୍ଗୁ ରୋଗୀଙ୍କ ନିରୀକ୍ଷଣ କରିବା ଲାଗି କୁହାଯାଇଛି। ଘରୋଇ ହସ୍ପିଟାଲରେ ଯଦି କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୁଅନ୍ତି, ତାହାଲେ ତାଙ୍କ ସମ୍ପର୍କରେ ଆଇଡିଏସ୍‌ପି ଓ ଏନ୍‌ଭିବିଡିସିପିକୁ ସୂଚନା ଦେବେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯାଇଛି।

ଅପରପକ୍ଷରେ ବିଏମ୍‌ସି ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଏହାକୁ ନିୟନ୍ତ୍ରଣ କରିବା ଲାଗି ଅତିରିକ୍ତ ୨୦ ଜଣ ଡେଙ୍ଗୁ ସ୍ବେଚ୍ଛାସେବୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ଅନୁ ମୋଦନ ଦିଆଯାଇଛି। ସମ୍ପୃକ୍ତ ସ୍ବେଚ୍ଛାସେବୀମାନେ ଦୈନିକ ୨୮୦ ଟଙ୍କା ହିସାବରେ ଆସନ୍ତା ୩ ମାସ ପର୍ଯ୍ୟନ୍ତ ନିୟୋଜିତ ହେବେ। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ/ଆଶା/ଅଙ୍ଗନବାଡ଼ି/ସହରାଞ୍ଚଳ ଆଶା/ୟୁଥ୍‌ କ୍ଲବର ସଦସ୍ୟ/ ଏନ୍‌ଜିଓ ଓ ଅନ୍ୟ ସ୍ବେଚ୍ଛାସେବୀମାନେ ସାମିଲ ହୋଇପାରିବେ। ସେମାନଙ୍କ ରିପୋର୍ଟିଂ ପାଇଁ ଏକ ଏସ୍‌ଓପି ଓ ରିପୋର୍ଟିଂ ଫର୍ମାଟ ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର