ଭୁବନେଶ୍ବର: ରାଜଧାନୀରେ ବଢ଼ିଲେଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଆଜି ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ୯୮ ଜଣ ରୋଗୀ ଡେଙ୍ଗୁ ପରୀକ୍ଷା କରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ପାଇଁ ଥିବା ସ୍ବତନ୍ତ୍ର ୱାର୍ଡ଼ରେ ଏବେ ୪ ଜଣ ଗୁରୁତର ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ରାଜଧାନୀରେ ଡେଙ୍ଗୁକୁ ଆଖି ଆଗରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୁର୍ବରୁ ୨୦ଟି ଶଯ୍ୟା ରହିଥିବା ବେଳେ ଏହାକୁ ଦୁଇଗୁଣ ବୃଦ୍ଧି କରାଯାଇଛି। ଆବଶ୍ୟକ ହେଲେ ଆହୁରି ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ। ଅତ୍ୟାବଶ୍ୟକ ପଡ଼ିଲେ ବାରଣ୍ଡାରେ ଅସ୍ଥାୟୀ ଶଯ୍ୟା ପକାଯାଇ ରୋଗୀ ଚିକିତ୍ସା କରାଯିବ। ଏହାସହ ରକ୍ତ ଭଣ୍ଡାରରେ ରକ୍ତ ମହଜୁଦ ରଖାଯାଇଛି। ରୋଗୀଙ୍କ ପାଇଁ ଅବଶ୍ୟକୀୟ ମଶାରୀ ସହ ଔଷଧ ଓ ଅନ୍ୟ ଆନୁଷଙ୍ଗୀକ ବ୍ୟବସ୍ଥା କରାଯାଇଛି। ଟେଷ୍ଟିଂ କିଟ୍ ମଧ୍ୟ ମହଜୁଦ ରଖା ଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି।
ସୂଚନାନୁସାରେ ଏବେ କେବଳ କ୍ୟାପିଟାଲ ହସ୍ପିଟାଲରେ ଆଲିସା ଟେଷ୍ଟ କରାଯାଉଛି। ରାଜଧାନୀରେ ଅନ୍ୟ କେଉଁଠି ଏହି ଟେଷ୍ଟ କରାଯାଉନାହିଁ। ଆଲିସା ଟେଷ୍ଟରେ ହିଁ ସଠିକ ଭାବେ ଡେଙ୍ଗୁ ହୋଇଛି କି ନାହିଁ ଜଣାପଡ଼େ। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ମାତ୍ର ୫୦ଟି ଲେଖାଏଁ ଟେଷ୍ଟ ହେଉଥିବା ବେଳେ ଆଜି ଏହାକୁ ଦୁଇଗୁଣ ବଢ଼ାଇ ଦିଆଯାଇଛି। ଆଜି ୯୮ ଜଣ ଡେଙ୍ଗୁ ଟେଷ୍ଟ କରିଥିବା ବେଳେ ୮ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦ କ୍ୟାପିଟାଲ ହସ୍ପିଟାଲକୁ ଭୁବନେଶ୍ବରରୁ କମ ବାହାରୁ ଅଧିକ ଡେଙ୍ଗୁ ରୋଗୀ ଆସୁଥିବା ଶ୍ରୀ ପଣ୍ଡା କହିଛନ୍ତି। ନୟାଗଡ଼, ପିପିଲି, ଖୋର୍ଦ୍ଧା, କଟକ ଆଡ଼ୁ ମଧ୍ୟ ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି।
ପୂର୍ବ ବର୍ଷ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସରେ ଅଧିକ ଡେଙ୍ଗୁ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ବରରେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏପରିକି ଦିନକୁ ୧୦୦ ରୁ ଅଧିକ ଡେଙ୍ଗୁ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିଲେ। ତେଣୁ ଏଥର ବିଏମସି ପକ୍ଷରୁ ମଧ୍ୟ ଏବେ ଠାରୁ ଡେଙ୍ଗୁ ମୁକାବିଲା ପାଇଁ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, ଡେଙ୍ଗୁ ନିୟନ୍ତ୍ରଣକୁ ନେଇ ବିଏମସି ବିଭିନ୍ନ ପଦକ୍ଷେପ ନେଉଛି। ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣରେ ଅଛି। ମଶା ଅଣ୍ଡା ସ୍ଥାନରେ ମଶା ତେଲ ପକାଯାଉଛି। ବର୍ଷା ପାଇଁ ଫଗିଂ ବନ୍ଦ ଥିଲା ଏବେ ପୁଣି ଫଗିଂ କରାଯିବ। ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି। ଶୁଖିଲା ଦିବସ ପାଳନ ହେଉଛି। ବର୍ତ୍ତମାନ ଟାୟାର ଲୀଫ୍ଟଟିଂ ଆରମ୍ଭ ହେବ। ପାର୍କମାନଙ୍କରେ ଗଛଲତା ବଢ଼ିଗଲେଣି। ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପାର୍କ ମେଣ୍ଟେନାନ୍ସ ଦାୟିତ୍ୱ ଦିଆଯାଇଥିଲା। ସେମାନେ ଠିକରେ ଦାୟିତ୍ୱ କରିପାରୁନଥିବା ଅଭିଯୋଗ ଆସିଛି। ବିଏମସି ଏନେଇ ନିଜେ ପଦକ୍ଷେପ ନେବ। ବୁଶ କଟିଂ କରାଯାଉଛି। ବର୍ଷା ଯୋଗୁଁ ଗଛ , ଘାସ ଜଲଦି ବଢିଯାଉଛି । ହେଲେ ବିଏମସି ଡେଙ୍ଗୁ ଓ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛି।