ଡିଜିଟାଲରେ ଚାଲିବ ସଂସ୍କୃତି ବିଭାଗର ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର : କରୋନା ମୁକାବିଲା ନିମନ୍ତେ ପ୍ରେକ୍ଷାଳୟ ବନ୍ଦ ରହିଛି। ନିକଟ ଭବିଷ୍ୟତରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ମିଳିବାର ଆଶା କ୍ଷୀଣ। ଏହାକୁ ଦୃଷ୍ଟିରେ ରଖି ଡିଜିଟାଲ୍‌ ମାଧ୍ୟମକୁ ଆପଣାଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଏଣିକି ପ୍ରେକ୍ଷାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଅନୁମତି ନ ମିଳିବା ପର୍ଯ୍ୟନ୍ତ ଡିଜିଟାଲ୍‌ ଜରିଆରେ ଏହାର ପ୍ରସାରଣ କରାଯିବ।

ଓଡ଼ିଶା ସଂଗୀତ ନାଟକ ଏକାଡେମି ଏବଂ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ ନେଇ ପ୍ରବଚନ, ସୁଗମ ସଂଗୀତ, ଭଜନ, ବାଦ୍ୟଯନ୍ତ୍ର, ଓଡ଼ିଶୀ, ଏକକ ଅଭିନୟ ଭଳି କିଛି ସୃଜନ କାର୍ଯ୍ୟକ୍ରମ କରାଯିବ। କଳାକାରମାନେ ଦୀର୍ଘଦିନ ହେଲା କାମ ପାଇ ନ ଥିବାରୁ ଏହା ଜରିଆରେ କିଛି କାମ ପାଇବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ‌ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ, ଉଭୟ ଏକାଡେମିର ସମନ୍ବୟରେ ବିଭିନ୍ନ କାର୍ଯ୍ୟକ୍ରମକୁ ଭିଡିଓ ରେକର୍ଡିଂ କରାଯାଇ ଟିଭି ଚ୍ୟାନେଲ୍‌ ଓ ସୋସିଆଲ ମିଡିଆରେ ପ୍ରସାରଣ କରାଯିବ। ବାଦ୍ୟ ସଂଗୀତ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତକାର ମଧ୍ୟ ପ୍ରସାରିତ ହେବ। କାର୍ଯ୍ୟକ୍ରମର ଅବଧି ୩୦ ମିନିଟ୍‌ ରହିବ। ସାହିତ୍ୟ ଏକାଡେମିର ବାର୍ଷିକ କ୍ୟାଲେଣ୍ଡର କାର୍ଯ୍ୟକ୍ରମ ତଥା ବିଭିନ୍ନ ଉତ୍ସବ ଡିଜିଟାଲ୍‌ ଜରିଆରେ ପାଳନ ହେବ। ଏକାଡେମିଗୁଡ଼ିକର କାର୍ଯ୍ୟକ୍ରମ ପାଇଁ କଟକଣା ଉଠିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଏକାଡେମିର କାର୍ଯ୍ୟକ୍ରମକୁ ପୁନଃ ଚଳଚଞ୍ଚଳ କରିବା ପାଇଁ ଏହି ଡିଜିଟାଲ ମାଧ୍ୟମ ଆପଣାଇଛୁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି। ଜୁନ୍‌ ମାସ ଆରମ୍ଭରୁ କାର୍ଯ୍ୟକ୍ରମର ପ୍ରସାରଣ କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ, ଓଡ଼ିଶା ସଂଗୀତ ନାଟକ ଏକାଡେମି ସଭାପତି ଡ.ରାମକୃଷ୍ଣ ସାହୁ, ସଚିବ ପ୍ରବୋଧ ରଥ, ଓଡ଼ିଶା ସାହିତ୍ୟ ଏକାଡେମି ସମ୍ପାଦିକା ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର