ଭୁବନେଶ୍ବର : କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ପରୀକ୍ଷ‌ାରେ ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରୁ କେ‌ତେଜଣ ଉତ୍ତୀର୍ଣ୍ଣ ହେଉଛନ୍ତି, ତା’ର ତଥ୍ୟ ପ୍ରଦାନ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। କେଉଁ ବର୍ଷ କେତେ ଜଣ ପାସ୍‌ କରିଛନ୍ତି, ତାହାର ତଥ୍ୟ ମିଳିଲେ ପ୍ରଶାସନିକ ସେବା ସମ୍ପର୍କରେ ତାଲିମ ନେଇ କିଛି ନୂତନ ଯୋଜନା ଦିଗରେ ପଦକ୍ଷେପ ହାତକୁ ନିଆଯାଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି କହିଛନ୍ତି। ପୂର୍ବରୁ ତଥ୍ୟ ମଗାଯାଇଥିଲେ ମଧ୍ୟ ସାଧାରଣ ପ୍ରଶାସନ ବିଭାଗ ତଥ୍ୟ ଦେଇ ନଥିଲା। ଯେଉଁଥିପାଇଁ ପୁଣିଥରେ ଚିଠି ଲେଖାଯାଇଛି।

Advertisment

ସଫଳ ଓଏଏସ୍‌ଙ୍କ ମୁହଁରୁ...
ନିଜକୁ ନିଜେ ପ୍ରସ୍ତୁତ କରିଥିଲି
ବହୁତ ଖୁସି। ମା’, ବାପା, ବଡ଼ ଭାଇ, ଭଉଣୀ, ଭାଉଜ, ସର୍ବୋପରି ପରିବାରର ପ୍ରତିଟି ସଦସ୍ୟଙ୍କୁ ଏହି ସଫଳତାର ଶ୍ରେୟ ଦେବାକୁ ଚାହିବି। ସ୍କୁଲ ଶିକ୍ଷକମାନେ ମଧ୍ୟ ମୋତେ ଏ କ୍ଷେତ୍ରରେ ପ୍ରେରଣା ଦେଇଥିଲେ। କୋଭିଡ୍‌ ବେଳେ ପରୀକ୍ଷା ପ୍ରସ୍ତୁତି ପାଇଁ ଅଧିକ ସମୟ ମିଳିଥିଲା। କୌଣସି କୋଚିଂ ସେଣ୍ଟରରୁ କ୍ଲାସରୁମ୍‌ ତାଲିମ୍‌ ନେଇନି, ବରଂ ନିଜକୁ ନିଜେ ପ୍ରସ୍ତୁତ କରିଥିଲି। ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦେବି। ସରକାରଙ୍କ ପ୍ରତିଟି ଯୋଜନା ତଳସ୍ତରର ଲୋକଙ୍କ ପାଖରେ କିଭଳି ପହଞ୍ଚି ପାରିବ, ସେ ଦିଗରେ କାର୍ଯ୍ୟ କରିବି। ଯିଏ ବି ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଚାହୁଛନ୍ତି, ସେମାନେ ଇଣ୍ଟରନେଟ୍‌କୁ ଠିକ୍‌ ଭାବେ ବ୍ୟବହାର କରି ନିଜକୁ ପ୍ରସ୍ତୁତ କରିପାରିବେ।
ଅଶ୍ବିନୀ ପଣ୍ଡା, ଟପର୍‌

ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି ପ୍ରାଥମିକତା ଦେବି
ରାଜ୍ୟରେ ତୃତୀୟ ସ୍ଥାନରେ ରହି ଖୁସି ଲାଗୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ବାପା, ମା’ ଓ ଆପ୍ଟିପ୍ଲସ୍‌ ଶିକ୍ଷକମାନଙ୍କ ସହଯୋଗ ପାଇଁ ଆଜି ସଫଳତା ପାଇଛି। ବର୍ତମାନ ସମୟରେ ସାରା ବିଶ୍ବ ପାଇଁ କରୋନା ମହାମାରୀ ବଡ଼ ସମସ୍ୟା ସୃଷ୍ଟି କରିଛି। ପ୍ରଶାସନିକ କାର୍ଯ୍ୟରେ ଯୋଗ ଦେବା ପରେ ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି ଅଧିକ ପ୍ରାଥମିକତା ଦେବି। ତା’ପରେ ଶିକ୍ଷା, ପଛୁଆ ବର୍ଗଙ୍କ ବିକାଶ ଦିଗରେ କାର୍ଯ୍ୟ କରିବି।
ରଶ୍ମିରେଖା ପାତ୍ର, ୩ୟ ର‍୍ୟାଙ୍କ

ସଫଳତା ନେଇ ବହୁତ ଖୁସି
ସଫଳତା ନେଇ ବହୁତ ଖୁସି ଅଛି। ଦ୍ବିତୀୟଥର ପ୍ରଚେଷ୍ଟାରେ ୪୭ତମ ରୢାଙ୍କରେ ରହିଛି। କୋଚିଂ ସାଙ୍ଗକୁ ଘରେ ମା’, ବାପାଙ୍କ ସହାୟତା ପାଇ ଆଜି ଆଗକୁ ବଢ଼ୁଛି। ପ୍ରଶାସନିକ ସେବା‌ରେ କୃତକାର୍ଯ୍ୟ ହୋଇଥିବାରୁ ଆଗକୁ କିଭଳି ଠିକ୍‌ ଭାବେ ଦାୟିତ୍ବ ତୁଲାଇବି, ସେଥିପ୍ରତି ଗୁରୁତ୍ବ ଦେବି। ପଛୁଆ ବର୍ଗ, ମହିଳା, ଶିଶୁଙ୍କ ପାଇଁ କାର୍ଯ୍ୟ କରିବି। ଭଦ୍ରକରେ ଘର ହୋଇଥିଲେ ମଧ୍ୟ ୫ବର୍ଷ ହେଲା ଭୁବନେଶ୍ବରରେ ରହୁଛି। ଆପ୍ଟିପ୍ଲସରେ ଫାଇନାଲ କୋଚିଂ ନେଇ ନିଜକୁ ସୁଦୃଢ଼ କରିପାରିଛି।
ଆଭାସ ପାଣିଗ୍ରାହୀ, ୪୭ତମ ର‍୍ୟାଙ୍କ

ତୃତୀୟ ପ୍ରଚେଷ୍ଟାରେ ଏହି ସଫଳତା ମିଳିଛି
ଓୟୁଏଟି ଅଧୀନ ଭବାନୀପାଟଣା କୃଷି କଲେଜରୁ ବି.ଏସ୍‌ସି ଏଗ୍ରିକଲଚର୍‌ରେ କୃତକାର୍ଯ୍ୟ ହେବା ପରେ ଓପିଏସ୍‌ସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ତୃତୀୟ ପ୍ରଚେଷ୍ଟାରେ ଏହି ସଫଳତା ମିଳିଛି। କୃଷି, ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତୀକରଣ, ପଛୁଆ ବର୍ଗଙ୍କ ଉପରେ ପ୍ରାଥମିକତା ଦେବି। ୨୦୧୭-୧୮ରୁ କୋଚିଂ ନେବା ପରେ ବନ୍ଦ କରି ଦେଇଥିଲି। ଇଣ୍ଟରନେଟ୍‌ରେ ପଢ଼ାପଢ଼ି କରିବା ସହ ଆପ୍ଟିପ୍ଲସରେ କୋଚିଂ ନେଇଥିଲି।
କାମରାଜ ତନ୍ତୀ, ୧୨୬ତମ ର‍୍ୟାଙ୍କ

ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବି
୧୧୨ ତମ ସ୍ଥାନରେ ରହିଛି। ତେବେ ଆହୁରି ଭଲ ରୢାଙ୍କ ମିଳିବ ବୋଲି ଆଶା କରିଥିଲି। ଏବେ ଯେଉଁ ସଫଳତା ମିଳିଛି, ତାହାକୁ ଆଧାର କରି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବି। ଗାଁ ଗହଳିରେ ରାସ୍ତା ସହ ସମସ୍ତ ସୁବିଧା ଯୋଗାଇବାକୁ ପ୍ରାଥମିକତା ଦେବି। ଦ୍ବିତୀୟ ପ୍ରଚେଷ୍ଟାରେ ଏହି ସଫଳତା ମିଳିଛି। ଏହି ପ୍ରୟାସ ଜାରି ରହିବ। ଆଗକୁ ୟୁପିଏସ୍‌ସି ପାଇଁ ଉଦ୍ୟମ ଜାରି ରଖିବି। ୨୦୧୮-୧୯ରେ ଆପ୍ଟିପ୍ଲସରେ କୋଚିଂ ନେଇଥିଲି। ଏହାପରେ ଇଣ୍ଟରନେଟ୍‌ରୁ ପଢ଼ା‌ପଢ଼ି ଜାରି ରଖିଛି।
ଅମର ଡୁମଡୁମା, ୧୧୨ତମ ର‍୍ୟାଙ୍କ

ସଫଳତା ପାଇଁ ପ୍ରଶିକ୍ଷକଙ୍କ କୋଚିଂ ସହାୟକ ହେଲା
ତୃତୀୟ ପ୍ରୟାସରେ ଓପିଏସ୍‌ସିରେ କୃତକାର୍ଯ୍ୟ ହୋଇଛି। ଏବେ ଚାକିର କରିବାର ସମୟ। ଯେଉଁଠି ରହିବି, ସେଠାରେ କାର୍ଯ୍ୟ କରିବି। ମହିଳାଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ବ ଦେଇ କାର୍ଯ୍ୟ କରିବି। ବାରିପଦାରେ ରହୁଥିଲେ ମଧ୍ୟ ଆପ୍ଟିପ୍ଲସରେ ପ୍ରଥମେ କୋଚିଂ ନେଇଥିଲି। ସେଠାକାର ପ୍ରଶିକ୍ଷକଙ୍କ କୋଚିଂ ଏହି ସଫଳତା ପାଇଁ ବେଶ୍‌ ସହାୟକ ହେଲା।
ପ୍ରତୀକ୍ଷା ପ୍ରିୟଦର୍ଶିନୀ, ୧୧୫ତମ ର‍୍ୟାଙ୍କ