କ୍ୟାପିଟାଲ ହସ୍ପିଟାଲ ନ୍ୟୁରୋଲୋଜି ବିଭାଗ: ଏଣିକି ସପ୍ତାହକୁ ଗୋଟିଏ ଦିନ ଆସିବେ ଡାକ୍ତର

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ଦିନ ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହି ହସ୍ପିଟାଲର ଗୁରୁତ୍ବ ଦୃଷ୍ଟିରୁ ଏହାକୁ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବାକୁ ସୁପର ସ୍ପେସାଲିଟି ବିଭାଗ ଖୋଲାଯାଇଥିଲା। କିନ୍ତୁ କିଛି ଦିନ ପରେ ଡାକ୍ତରଙ୍କ ଅଭାବରୁ କିଛି ବିଭାଗ ସମ୍ପୂର୍ଣ୍ଣ ବନ୍ଦ ହେଇଯାଇଥିବା ବେଳେ ଅନ୍ୟ କିଛି ବିଭାଗ ବନ୍ଦ ହେବା ବସିଲାଣି। ପୂର୍ବରୁ ନ୍ୟୁରୋଲୋଜି ବିଭାଗକୁ ଡାକ୍ତର ସପ୍ତାହକୁ ମାତ୍ର ତିନି ଦିନ ରୋଗୀ ଦେଖିବାକୁ ଆସୁଥିଲେ। ଏହାସହ ପ୍ରତ୍ୟେକ ଥର ୪୦ ଜଣ ଲେଖାଏ ରୋଗୀଙ୍କୁ ଡାକ୍ତର ଚିକିତ୍ସା କରୁଥିଲେ। ଏହି ବିଭାଗର ଅବଶ୍ୟକତା ଏତେ ରହିଛି‌‌ ଯେ ପ୍ରଥମ ୪୦ ଜଣଙ୍କ ମଧ୍ୟରେ ରହିବାକୁ ରୋଗୀ ମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଲାଗି ରହୁଛି। ପୂର୍ବ ଦିନ ରାତି ୧୦ ଟାରୁ ରୋଗୀମାନେ ପାଣି ବୋତଲ, ହେଲମେଟ ଆଦି ରଖି ଧାଡ଼ିରେ ରହୁଥିଲେ। ନ୍ୟୁରୋଲୋଜି ବିଭାଗର କ୍ୟାପିଟାଲ ହସ୍ପିଟାଲରେ ଏତେ ଆବଶ୍ୟକତା ରହିଥିଲେ ସୁଦ୍ଧା ଡାକ୍ତରଙ୍କ ଆସିବା ଦିନକୁ କମାଇ ଦିଆଯାଇଛି। ପୂର୍ବରୁ ସପ୍ତାହକୁ ତିନି ଦିନ ରୋଗୀ ଦେଖି ଆସୁଥିବା ବେଳେ ଏବେ ମାତ୍ର ଗୋଟିଏ ଦିନ ଆସିବେ ବୋଲି ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି। ଏହାକୁ ‌ନେଇ କ୍ୟାପିଟାଲ ହସ୍ପିଟାଲ ଉପ‌ରେ ନିର୍ଭର କରୁଥିବ‌ା ଜନସାଧାରଣଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ସ୍ବ‌େଚ୍ଛାସେବୀ ରମେଶ ଜେନା କହିଛନ୍ତି ଯେ କ୍ୟାପିଟାଲ ହସ୍ପିଟାଲରେ ନ୍ୟୁରୋ‌ଲୋଜି ବିଭାଗରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଙ୍କ ଆସିବା ଦିନକୁ ସପ୍ତାହରେ ତିନି ଦିନରୁ ଗୋଟିଏକୁ କମାଇବା ସରକାରଙ୍କ ଅଜବ ନୀତିକୁ ଦର୍ଶାଉଛି। ଏବାବଦରେ କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକଙ୍କୁ ପଚରାଯିବାରୁ ଡାକ୍ତର ଅଭ‌ାବରୁ ଏଭଳି ସ୍ଥିତି ଉପୁଜିଥିବ‌ା ସେ କହିଛନ୍ତି।

ସମ୍ବନ୍ଧିତ ଖବର