ସାହାରା କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ଜମାକାରୀ

ଭୁବନେଶ୍ବର: ଜୁଲାଇ ୧୧ ସୁଦ୍ଧା ୨ ଶହ କୋଟି ଟଙ୍କା ଫେରସ୍ତ କରିବାକୁ ହୋଇଥିବା ଦାବି ପୂରଣ କରିବାରେ ବିଫଳ ହୋଇଥିବାରୁ ଆଜି ଶତାଧିକ ଜମାକାରୀ ସହିଦନଗରସ୍ଥିତ ସାହାରା ଜୋନାଲ୍‌ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାରମ୍ବାର ପ୍ରତିଶ୍ରୁତି ଦେଉଥିବା ଓ ପରେ ଜମାକାରୀଙ୍କୁ ଭୁଆଁ ବୁଲାଇବା ଅଭିଯୋଗରେ ଜମାକାରୀ ମଞ୍ଚ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।

ଜମାକାରୀ ମଞ୍ଚର ଅଭିଯୋଗ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ଜୁଲାଇ ୧୧ ସୁଦ୍ଧା ୨୦୦ କୋଟି ଟଙ୍କା ଜମା ରାଶି ଫେରାଇବାକୁ ଦାବି କରି ଜମାକାରୀ ମଞ୍ଚ ଭୁବନେଶ୍ବର ଜୋନାଲ କାର୍ଯ୍ୟାଳୟକୁ ଏକ ତାଲିକା ଦେଇଥିଲା। ମାତ୍ର କଣ୍ଟ ପୂରିଗଲା ସିନା ସାହାରା କର୍ତ୍ତୃପକ୍ଷ ଏହି ଦାବି ପ୍ରତି କର୍ଣ୍ଣପାତ କଲେ ନାହିଁ। ତେଣୁ ଜମାକାରୀ ମଞ୍ଚ ଆଜି ବିଏମ୍‌ସି କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ଜୋନାଲ୍‌ ଅଫିସ ସମ୍ମୁଖରେ ଧାରଣା ଦେଇଥିଲା। ବିକ୍ଷୋଭକାରୀମାନେ ସାହାରା ବିରୋଧରେ ନାରାବାଜି କରିଥିଲେ। ସେମାନେ କହିଥିଲେ ଯେ ୨୦୧୨ ମସିହାରୁ ସାହାରା କର୍ତ୍ତୃପକ୍ଷ ଜମାକାରୀଙ୍କୁ ମିଥ୍ୟା ଓ ବିଭ୍ରାନ୍ତିକର ପ୍ରତିଶ୍ରୁତି ଦେଇଆସୁଛି।

ସେବି ବାହାନାରେ ସାହାରା ଜମାକାରୀଙ୍କୁ ମିଛ କହି ଭୁଆଁ ବୁଲାଉଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁଯାୟୀ, ସେବି ପାଖରେ ୨୪,୭୦୦ କୋଟି ଟଙ୍କା ବଦଳରେ ସାହାରା ମାତ୍ର ୧୫,୫୦୩ କୋଟି ଟଙ୍କା ଜମା କରିଛି। ତାହା କେବଳ ହାଉସିଂ ରିୟଲ୍‌ ଇଷ୍ଟେଟ୍‌ କଂପାନିର ଜମାକାରୀଙ୍କ ଟଙ୍କା। କିନ୍ତୁ ସାହାରା କଂପାନି ଅନ୍ୟାନ୍ୟ ୩ଟି ସୋସାଇଟି ଓ ୨ଟି କଂପାନି ନାମରେ ୨୦ ହଜାର କୋଟି ଟଙ୍କା ସଂଗ୍ରହ କରିବା ପରେ ତାହାର ପରିପକ୍ବ ରାଶି ମଧ୍ୟ କାହାକୁ ଆଜି ପର୍ଯ୍ୟନ୍ତ ଫେରସ୍ତ କରିନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଜମାକାରୀମାନେ ଟଙ୍କା ଫେରସ୍ତ ନ ପାଇଲେ, ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବ ବୋଲି ମଞ୍ଚ ଚେତାବନୀ ଦେଇଛି। ଆଜିର ବିକ୍ଷୋଭରେ ବିଜୟ ପାଢ଼ୀ, ସୁନୀଲ ଦାସ, ସଂଜୀବ ପଣ୍ଡା, ଉପଦେଷ୍ଟା ରବି ଦାସ, ଜୟନ୍ତ ଦାସ, ମଧୁସୂଦନ ବିଶ୍ବାଳ, ଅନୁରାଧା ସୁବୁଦ୍ଧି, ଉତ୍ତର ପରିଡ଼ା, ଅମରେଶ୍ବର ତ୍ରିପାଠୀ, ବସନ୍ତ ଚୌଧୁରୀ, ଶୈଳବାଳା ପଣ୍ଡା, ରାମଚନ୍ଦ୍ର ପ୍ରଧାନ, ଶ୍ୟାମଘନ ପାତ୍ର, ଲକ୍ଷ୍ମୀଧର ମହାନ୍ତି, ପ୍ରକାଶ ସାହୁ, କୃଷ୍ଣାନନ୍ଦ ପଣ୍ଡା, ଉମେଶ ଚନ୍ଦ୍ର ନାୟକ, ଭଞ୍ଜକିଶୋର ପ୍ରଧାନ ପ୍ରମୁଖ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର