ଭୁବନେଶ୍ୱର ସମ୍ବାଦ ସାହିତ୍ୟଘରର ‘ଦେଶମନସ୍କ’ ଆସର

ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା ଏକାଠି ହାତଧରାଧରି ହେଇ ଚାଲିବାର ସମୟ ଆସିଛି

ଭୁବନେଶ୍ୱର: ସାହିତ୍ୟର ବି ଦେଶ ପାଇଁ କିଛି ଦାୟିତ୍ୱ ରହିଛି ଏବଂ ଏବେ ସାହିତ୍ୟ, ସାମ୍ବାଦିକତା ଓ ସମାଜସେବା ଏକାଠି ହାତଧରାଧରି ହେଇ ଚାଲିବାର ସମୟ ଆସିଛି ବୋଲି ଭୁବନେଶ୍ୱର ସମ୍ବାଦ ସାହିତ୍ୟଘରର ‘ଦେଶମନସ୍କ’ କାର୍ଯ୍ୟକ୍ରମରେ ଯୋଗଦେଇ ମତ ବ୍ୟକ୍ତ କରିଛନ୍ତି ସାହିତ୍ୟଘରର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ୭୭ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଆମ ଓଡ଼ିଶା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସ୍ୱତନ୍ତ୍ର ସାହିତ୍ୟ ଆସରର ଉଦ୍‍ଘାଟନ କରି ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ସ୍ୱାଧୀନତା ପୂର୍ବରୁ ଉତ୍କଳମଣି ଲେଖିଥିଲେ ‘ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୂରୁ ପଡ଼ି ତହିଁ ମୋର ମାଂସ ହାଡ଼’। ଆଜି ସ୍ୱାଧୀନତାର ୭୭ ବର୍ଷ ଜନ୍ମଦିବସ ପାଳନ କଲାବେଳେ ଆମକୁ ଭାବିବାକୁ ହେବ ସେ ଗାଡ଼ କେତେ ପୋତିହେଲା ଆଉ କେତେ ବାକି ରହିଲା। ସାହିତ୍ୟ ଯାହା କରେ, ରାଜନୀତି ମଧ୍ୟ ଠିକ୍‍ ସେୟା କରେ। ସାହିତ୍ୟ ଏବଂ ରାଜନୀତି ଭିତରେ ଥିବା ସଂପର୍କକୁ ଆମେ ଭିନ୍ନଭିନ୍ନ ଦୃଷ୍ଟିରେ ଦେଖୁଥିବାରୁ ତାକୁ ନେଇ ଆମ ଭିତରେ କିଛିଟା ଦ୍ୱନ୍ଦ୍ୱ ରହୁଛି।

ସାହିତ୍ୟିକ ବନ୍ଧୁମାନେ ରାଜନୈତିକ ବ୍ୟକ୍ତିଙ୍କୁ ଟିକେ ଘୃଣାଚକ୍ଷୁରେ ଦେଖନ୍ତି। କିନ୍ତୁ ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୀତିରୁ ଊର୍ଦ୍ଧ୍ୱରେ କିଛି ନାହିଁ। ସାହିତ୍ୟର ଲକ୍ଷ୍ୟ ଯାହା ରାଜନୀତିର ଲକ୍ଷ୍ୟ ମଧ୍ୟ ସେୟା। ସମୂହ ହିତ ଯଦି ସାହିତ୍ୟର ଲକ୍ଷ୍ୟ ହୁଏ, ସମୂହ ହିତ ମଧ୍ୟ ରାଜନୀତିର ଲକ୍ଷ୍ୟ। ଆଜି ସ୍ୱାଧୀନତା ଦିବସରେ ସାହିତ୍ୟିକ ବନ୍ଧୁମାନେ ସଂକଳ୍ପ ନିଅନ୍ତୁ ଯେ ଆମେ ରାଜନୀତିକୁ ଘୃଣା କରିବା ନାହିଁ, ବରଂ ରାଜନୀତିକୁ ପ୍ରଭାବିତ କରିବା ଭଳି ସାହିତ୍ୟ ସୃଷ୍ଟି କରିବା। ଭୁବନେଶ୍ୱର ସାହିତ୍ୟଘରର ସଭାପତି ଯୁବଲେଖକ ସରୋଜ ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସ୍ୱାଗତ ଭାଷଣ ଦେଇଥିଲେ ରାଜ୍ୟ ସଂଯୋଜିକା ତଥା କବି ଡ. ଶୁଭଶ୍ରୀ ଲେଙ୍କା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କବି ଡ. ଆଶୁତୋଷ ପରିଡ଼ା ଦେଶକୁ ନେଇ ସ୍ୱରଚିତ ଦୁଇଟି କବିତା ପାଠ କରିଥିଲେ।

ସଂପାଦକ ସୁବ୍ରତ କୁମାର ସେନାପତିଙ୍କ ସଂଯୋଜନାରେ ଦେଶାତ୍ମବୋଧକ କବିତାପାଠ କରିଥିଲେ ମନୁଆ ଦାସ, ବୀରେନ୍ଦ୍ର ନାୟକ, ପ୍ରତୀକ୍ଷା ଜେନା, କମଳ କୁମାର ମହାନ୍ତି, ସ୍ୱପ୍ନା ମିଶ୍ର, ସୁମିତ ପଣ୍ଡା, ସୀତେଶ ତ୍ରିପାଠୀ, ହିରଣ୍ମୟୀ ମିଶ୍ର, ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରଦୀପ କୁମାର ରାୟ, ମୌସୁମୀ ଦାସ, ସାକ୍ୟସିଂହ ମହାପାତ୍ର, ସରୋଜ ବଳ, ଶୁଭଶ୍ରୀ ଲେଙ୍କା ଏବଂ ସୁବ୍ରତ ସେନାପତି। ପ୍ରାୟ ସମସ୍ତଙ୍କ କବିତାରେ ଦେଶର ସାଂପ୍ରତିକ ଘଟଣାବଳୀକୁ ନେଇ ଥିଲା ବ୍ୟଙ୍ଗ, ବ୍ୟଞ୍ଜନା ଓ ସଂବେଦନା। ଅର୍ପିତା ପତି, ସୁଜିତ କୁମାର ଦାସ ଏବଂ ଅବିନାଶ ନାୟକଙ୍କ କଣ୍ଠରେ କେତୋଟି ମନଛୁଆଁ ଦେଶପ୍ରେମର ଗୀତ ପରିବେଶକୁ ଭାବପ୍ରବଣ କରିଦେଇଥିଲା। କବି ଓ କଥାକାର ପବିତ୍ର ମୋହନ କର ଆସରର ଶେଷ ସ୍ପର୍ଶ ଦେଇଥିଲେ। ଅସିତ ମହାନ୍ତି, ସଂଜୟ କୁମାର ପାତ୍ର, ସୁମନ୍‍ ଦାଶ, ସ୍ନେହଲତା ଦାସଲେଙ୍କା, ତନ୍ଦ୍ରାଳସା ଦାସ, ବିଚିତ୍ର ମହାପାତ୍ର, ଆଶୁତୋଷ ପ୍ରଧାନ, ସୁଜିତ କୁମାର ଦାସ, ଆନିଶ ଜୁଲୁ, ବିମଳପ୍ରଭା ତ୍ରିପାଠୀ, ସଂଗ୍ରାମ ମହାରଣା, ଆନନ୍ଦ ମହାପାତ୍ର, ଅଂଶୁମାନ ସାହୁ, ପ୍ରଭାସ ରଂଜନ ପାଢ଼ୀ, ସଂଦୀପ ମହାପାତ୍ର, ଆକାଶ ଦାଶ, ଚିନ୍ମୟ ବିଶ୍ୱାଳ, ରଶ୍ମିତା ବେହେରା ପ୍ରମୁଖ ସଭ୍ୟସଭ୍ୟା ତଥା ସାହିତ୍ୟପ୍ରେମୀ ଯୋଗଦେଇ ଆସରଟିକୁ ସଫଳ କରିଥିଲେ। ଉପସଭାପତି ସୁମିତ ପଣ୍ଡା, ସହସଂପାଦକ ତୃପ୍ତିରଞ୍ଜନ ଦାସ ଓ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର