ଭୁବନେଶ୍ବର: ଆଜି ପୁଣି ସାଲିଆସାହିରେ ଦେଶୀ ମଦ ଭାଟି ଠାବ କରିଛି ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ବାଡ୍। ଚାଉଳି ଓ ଗୁଡ଼ରୁ ପ୍ରସ୍ତୁତ କରୁଥିବା ଦେଶୀ ମଦ ରନ୍ଧା ହେଉଥିବା ୫ଟି ଭାଟିରେ ଚଢ଼ଉ କରାଯାଇଛି। ୧୨ ଜଣ ମହିଳାଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୪ ହଜାର ଲିଟରରୁ ଅଧିକ ଦେଶୀ ମଦ ଜବତ କରାଯାଇଛି। ସେହିଭଳି ବିପୁଳ ଚାଉଳି ଓ ଗୁଡ଼ ପୋଚ(ପ୍ରାୟ ୫ ହଜାର ଲିଟର) ନଷ୍ଟ କରାଯାଇଥିବା ବେଳେ ମଦ ରନ୍ଧାରେ ବ୍ୟବହାର ହେଉଥିବା ବଡ଼ବଡ଼ ଆଲୁମିନିୟମ୍ ଡେକ୍ଚି, ମାଟି ହାଣ୍ଡି ଓ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ବଡ଼ କଥା ହେଉଛି ଏହି ସବୁ ଭାଟିରେ ଇନ୍ଧନ ଭାବେ ଗ୍ୟାସ୍ ବ୍ୟବହାର କରାଯାଉଛି। ପୂର୍ବରୁ ଜାଳେଣୀ ଭାବେ କାଠ ବା କରତଗୁଣ୍ଡ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ସେମାନେ ଗ୍ୟାସ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଆଜି ୨ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି।
୪ ହଜାର ଲିଟର ମଦ ଜବତ, ବିପୁଳ ପୋଚ ନଷ୍ଟ
୧୨ ମହିଳାଙ୍କ ସମେତ ୧୬ ଗିରଫ
ଗ୍ୟାସ୍ରେ ରନ୍ଧା ହେଉଛି
ସୂଚନାନୁସାରେ ଆଜି ସକାଳେ ସାଲିଆସାହିର ନୟାଗଡ଼ ବସ୍ତି, ଇଡ୍କୋ ବସ୍ତି ଓ ସଂଲଗ୍ନ ବସ୍ତି ଅଞ୍ଚଳରେ ଭୁବନେଶ୍ବର ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ବାଡ୍ ମିଳିତ ଭାବେ ଚଢ଼ଉ କରିଥିଲା। ପ୍ରାୟ ୪୦ରୁ ଅଧିକ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ। ୫ଟି ଭାଟି ଠାବ କରାଯାଇଥିଲା। ଘଟଣାସ୍ଥଳରୁ ହିଁ ୧୬ ଜଣଙ୍କୁ କାବୁ କରାଯାଇଥିଲା। ପୋଚକୁ ରାନ୍ଧି ବାମ୍ଫରୁ ମଦ ବାହାର କରାଯାଉଥିଲା ଏବଂ ଜେରିକେନ୍ରେ ବାହାରକୁ ପଠାଯାଉଥିଲା। ରାଜଧାନୀର ବହୁ ବସ୍ତିକୁ ଏଠାରୁ ମଦ ଚାଲାଣ କରାଯାଉଥିଲା। ନୟାଗଡ଼ ବସ୍ତିରେ ବେଶି ଗୁଡ଼ ମଦ ରନ୍ଧା ହେଉଥିବା ବେଳେ ଇଡ୍କୋ ବସ୍ତିରେ ଚାଉଳି ରନ୍ଧା ହେଉଥିବା ଜଣାପଡ଼ିଛି।