ଭୁବନେଶ୍ୱର : ମାଉସୀ ମା’ ଛକର ଡିଜାଇନ୍ ବଦଳିବ

ଭୁବନେଶ୍ୱର : ଏକାମ୍ରକ୍ଷେତ୍ର ପ୍ରକଳ୍ପ ଯୋଜନାରେ ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ଚତୁଃପାର୍ଶ୍ବର ଉନ୍ନତୀକରଣ କରୁଛନ୍ତି। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ସୌନ୍ଦର୍ଯ୍ୟୀକରଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଏକାମ୍ରକ୍ଷେତ୍ରକୁ ପ୍ରବେଶ ପାଇଁ ଥିବା ରାସ୍ତା ସଙ୍କୁଚିତ ଅବସ୍ଥାରେ ଅଛି। ତେଣୁ ମାଉସୀ ମା’ ଛକରେ ରାସ୍ତା ସମ୍ପ୍ରସାରଣ ସହ ଏହି ଛକର ଡିଜାଇନ୍‌ ବଦଳାଇବାକୁ ନିଷ୍ପତ୍ତି ହୋଇଛି।

ମାଉସୀ ମା’ ଛକରେ ଫ୍ଲାଏ ଓଭରରୁ ଆରମ୍ଭ କରି ରାମକୃଷ୍ଣ ମିସନ୍ ପର୍ଯ୍ୟନ୍ତ ରାସ୍ତାର ଡିଜାଇନ୍ ବଦଳିବ। କଳ୍ପନା ଦିଗରୁ ଓ ଶିଶୁଭବନ ଛକରୁ ଆସୁଥିବା ଗାଡ଼ି ଗୁଡ଼ିକ ଯେପରି ବିନା ପ୍ରତିବନ୍ଧକରେ, ଜାମ୍‌ ଭିତରେ ନଫସି ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ନିକଟସ୍ଥ ପାର୍କିଂ ଅଞ୍ଚଳକୁ ଯିବ ଏବଂ ସେଠାରୁ ଆସିପାରିବ ସେଥିପାଇଁ ମାଉସୀ ମା’ ଛକର ଡିଜାଇନ୍ ବଦଳିବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ, ପୂର୍ତ୍ତ ସଚିବ କ୍ରିଷନ କୁମାର ଏବଂ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଏକାମ୍ରକ୍ଷେତ୍ରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଆଜି ସକାଳୁ ତିନି ବରିଷ୍ଠ ଅଧିକାରୀ ମାଉସୀ ମା’ ଛକର ସ୍ଥିତି ଦେଖିବା ସହ ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ନିକଟରେ ହେବାକୁ ଥିବା ଗାଡ଼ି ପାର୍କିଂ ଅଞ୍ଚଳ, ଗ୍ୟାରେଜ୍‌ ଛକକୁ ସଂଯୋଗ କରୁଥିବା ରାସ୍ତା, ରବି ଟକିଜ୍‌ ଛକକୁ ସଂଯୋଗ କରୁଥିବା ରାସ୍ତା ଆଦି ବୁଲି ଦେଖିଥିଲେ।

ବିଏମ୍‌ସି କମିସନର ଶ୍ରୀ ଚୌଧରୀ କହିଛନ୍ତି ଯେ, ଏକାମ୍ରକ୍ଷେତ୍ର ଯୋଜନାର ଉନ୍ନତୀକରଣ କାମ ଜୋରଦାର୍‌ ଚାଲିଛି। ନୂଆବର୍ଷ ପୂର୍ବରୁ ସମସ୍ତ ସୌନ୍ଦର୍ଯ୍ୟୀକରଣ କାମ ଶେଷ ହେବ। ମହାଶିବରାତ୍ରି ପୂର୍ବରୁ ଏକାମ୍ରକ୍ଷେତ୍ର ନୂଆ ରୂପ ପାଇବ। ବହୁତ ନୂଆ ଭିତ୍ତିଭୂମି ନିର୍ମାଣ କରାଯାଉଥିଲେ ହେଁ ପ୍ରବେଶ ଓ ପ୍ରସ୍ଥାନ ପଥ ସଙ୍କୁଚିତ ଅଛି। ତେଣୁ ମାଉସୀ ମା’ ଛକର ଡିଜାଇନ୍ ବଦଳାଇବାକୁ ନିଷ୍ପତ୍ତି ହୋଇଛି। ଏଠାରେ ଓଭରବ୍ରିଜ୍‌ରୁ ଆସୁଥିବା ଗାଡ଼ିଗୁଡ଼ିକର ଯାତାୟାତରେ ସମସ୍ୟା ହେଉଛି। ହଠାତ୍‌ ଗଡ଼ାଣିଆ ରାସ୍ତାରେ ଡାହାଣ ପାର୍ଶ୍ବକୁ ବୁଲିବା ଏବଂ ବଢେଇବାଙ୍କ ପାର୍ଶ୍ବରୁ ଆସୁଥିବା ଲୋକ ଓଭରବ୍ରିଜ୍‌ ଉପରକୁ ଉଠିବା ବେଳେ ବହୁତ ସମସ୍ୟା ହେଉଛି। ତେଣୁ ଏଠାରେ ରାସ୍ତା ସମ୍ପ୍ରସାରଣ କରାଯିବା ସହ ରାସ୍ତାର ଡିଜାଇନ୍ ବଦଳିବ। କେଉଁ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ ହେବ, କେତେ ଘର ଭଙ୍ଗା ଯିବ, କେତେ ଜମି ଅଧିଗ୍ରହଣ ହେବ ତାହା ଆଜି ଦେଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ‌କେତେକ ପରାମର୍ଶ ଦେଇଛନ୍ତି। ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଉପରେ ଆଲୋଚନା ହୋଇଛି। ଖୁବ୍‌ ଶୀଘ୍ର ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ସବିଶେଷ ରିପୋର୍ଟ ପ୍ରସ୍ତୁତ ହେବ। ଏହାପରେ ଜମି ଅଧିଗ୍ରହଣ କାମ ହେବ।

ବ୍ୟବସାୟୀଙ୍କୁ ଖୁବ୍‌ ଶୀଘ୍ର ଥଇଥାନ କରାଯିବ
ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ବହୁ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି। ତେଣୁ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ କହିଛନ୍ତି। ବିଏମ୍‌ସି କମିସନର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧୪୦ଜଣ ଦୋକାନୀଙ୍କୁ ଥଇଥାନ କରିବାକୁ ଯୋଜନା ହୋଇଛି। ଏବେବି କିଛି ନୂଆ ଆବେଦନ ଆସୁଛି। ସମସ୍ତଙ୍କୁ କିପରି ଠିକ୍‌ ଭାବେ ପୁନଃ ଥଇଥାନ କରିହେବ ଏବଂ ବ୍ୟବସ୍ଥିତ ଢଙ୍ଗରେ ବସାଯିବ ସେ ନେଇ ଯୋଜନା ହୋଇଛି ବୋଲି କମିସନର କହିଛନ୍ତି।

ସମ୍ବନ୍ଧିତ ଖବର