ଚନ୍ଦ୍ରଶେଖରପୁର: ଯେବେ ଚଢ଼ଉ ହେଉଛି, ସେତେ ମଦ ଜବତ ହେଉଛି। କେବେ ହାଣ୍ଡିଆ ଆଳରେ ମଦ ତ ଆଉ କେବେ ପୋଚ ଆଳରେ ବିକ୍ରି ହେଉଛି ଦେଶୀ ମଦ। ବର୍ଷତମାମ ଏଭଳି ସ୍ଥିତି ଦେଖିବାକୁ ମିଳୁଛି ସାଲିଆସାହିରେ। ରାଜ୍ୟର ସବୁଠାରୁ ବଡ଼ ବସ୍ତିରେ ଏବେ ଦେଶୀମଦ ପ୍ରସ୍ତୁତି ‘କୁଟୀରଶିଳ୍ପ’ ପାଲଟିଛି। ଉପରୁ ସବୁ କିଛି ଠିକ୍ଠାକ୍ ଲାଗୁଥିଲେ ମଧ୍ୟ ଭିତର ସ୍ଥିତି କିନ୍ତୁ ସାଂଘାତିକ। ପ୍ରତିଥର ଚଢ଼ଉ ସମୟରେ ହାଣ୍ଡି ହାଣ୍ଡି ଦେଶୀମଦ ଜବତ ହେବା ଏବେ ପ୍ରଶାସନର ପାରିବାପଣିଆ ନେଇ ପ୍ରଶ୍ନ ଉଠାଇଲାଣି। ସତରେ ପ୍ରଶାସନ ଆନ୍ତରିକତାର ସହ ଚଢ଼ଉ କରୁଛି ନା ଲୋକଦେଖାଣିଆ ଭାବେ ଅବକାରୀ ବିଭାଗ କେତେବେଳେ କେମିତି ସିଆଡ଼େ ମାଡ଼ି ଯାଉଛି। ଯଦି ସତରେ ଚଢ଼ଉ ହେଉଛି ତେବେ ଏତେ ମଦ ପୁଣି ଆସୁଛି କେଉଁଠୁ? କାହିଁକି ମଦ ମାଫିଆଙ୍କ ନିକଟରେ ପହଞ୍ଚିପାରୁନି ପୁଲିସ?
ସାଲିଆସାହିରେ ଦେଶୀ ମଦ ଜବତ ଘଟଣା ସପ୍ତାହେ କି ମାସର ନୁହେଁ, ବରଂ ବର୍ଷ ବର୍ଷ ଧରି ଏଠାରେ ଦେଶୀ ମଦ ପ୍ରସ୍ତୁତ ହେଉଥିଲେ ମଧ୍ୟ ପ୍ରଶାସନ ରୋକ୍ ଲଗାଇପାରୁ ନାହିଁ। ଗତ ମାସ ଶେଷ ସପ୍ତାହରେ ଚଢ଼ଉ ବେଳେ ଯେଉଁଭଳି ଭାବେ ମଦ ଜବତ ହୋଇଛି ତାହା ପ୍ରଶାସନର ନିଦ ହଜାଇ ଦେଇଛି। ପାର୍ବଣ ପୂର୍ବରୁ ହୋଇଥିବା ଚଢ଼ଉରେ ଏକ ବେଆଇନ ମଦ କାରଖାନା ଠାବ ସହ ୧୬ହଜାର ଲିଟର ପୋଚ ଓ ୬ହଜାର ଲିଟର ଦେଶୀମଦ ଜବତ ହୋଇଥିଲା। ଦୁଇ ଜଣ ମହିଳାଙ୍କ ସମେତ ମୋଟ୍ ୪ଜଣଙ୍କୁ ଗିରଫ ହୋଇଥିଲେ। ଚିନ୍ତାର ବିଷୟ ହେଉଛି ଯେ ଏହି ବେଆଇନ ମଦ କାରଖାନା ସଙ୍ଗଠିତ ଭାବେ ଚାଲିଥିଲା। ମଦର ମାନ ପରୀକ୍ଷା ପାଇଁ ବ୍ୟବହୃତ ଯନ୍ତ୍ରପାତି ମଧ୍ୟ ଏଠାରୁ ମିଳିଥିଲା। ଅର୍ଥାତ୍ ମଦ ମାଫିଆମାନେ ସୁଚିନ୍ତିତ ଓ ବ୍ୟବସ୍ଥିତ ଭାବେ ବହୁଦିନ ହେଲା ଏଠାରେ ମଦ ପ୍ରସ୍ତୁତ କରିଚାଲିଥିବା ସ୍ପଷ୍ଟ ହୋଇଛି।
ସବୁଠାରୁ ବଡ଼ କଥା ହେଉଛି ପୂର୍ବରୁ ସାଲିଆସାହିରେ ବେଆଇନ ମଦ କାରଖାନା ଠାବ କରାଯାଇ ମଦମାଫିଆଙ୍କ ଘର ଭଙ୍ଗାଯାଇଥିଲା। ତଥାପି ମଦ ପ୍ରସ୍ତୁତି ବନ୍ଦ ହୋଇପାରି ନାହିଁ। ସାଲିଆସାହିର କିଛି ଅଞ୍ଚଳରେ ଏବେ ଦେଶୀମଦ ‘ କୁଟୀର ଶିଳ୍ପ’ ଭାବେ ପରିଗଣିତ ହୋଇଛି। ଏଠାରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ସହରର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି। ୪ ବର୍ଷର ତଥ୍ୟକୁ ନଜର ପକାଇଲେ ବର୍ଷକୁ ହାରାହାରି ୩ରୁ ୪ ଥର ସାଲିଆସାହିରେ ଛୋଟ ବଡ଼ ଚଢ଼ଉ ହୋଇଛି। କେତେବେଳେ ପୁଲିସ ତ ଆଉ କେବେ ଅବକାରୀ ଚଢ଼ଉ କରୁଛି। ୨୦୨୫ରେ ଏବେ ସୁଦ୍ଧା ଚାରିଥର ଚଢ଼ଉ ହୋଇସାରିଲାଣି। ବସ୍ତି ଏକତା ସଂଘର ସଭାପତି ଅଞ୍ଜନ ନାଥ କହିଛନ୍ତି ଶ୍ରମିକ ଶ୍ରେଣୀର ଲୋକେ ମୁଖ୍ୟତଃ ଏଠାରେ ରହୁଛନ୍ତି। ଦୈନିକ ଯେତିକି ରୋଜଗାର କରୁଛନ୍ତି ତାହାକୁ ମଦ ପିଇବାରେ ଉଡ଼ାଇ ଦେଉଛନ୍ତି। ଅନେକ ଲୋକ କମ୍ ବୟସରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେଣୁ ସାଲିଆସାହିରେ ମଦ ସମ୍ପୂର୍ଣ୍ଣ ବନ୍ଦ ହେବା ଦରକାର। କେବଳ ଅବକାରୀ ବିଭାଗ କି ପୁଲିସ ଦ୍ବାରା ଏହା ସମ୍ଭବପର ହେବ ନାହିଁ। ଲୋକଙ୍କ ମଧ୍ୟରେ ସଚେନତତାର ଅଭାବ ପରିଲକ୍ଷିତ ହେଉଛି। ଏଦିଗରେ ଲୋକ ପ୍ରତିନିଧିଙ୍କଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ, ସମସ୍ତେ ଆଗେଇ ଆସିବା ଦରକାର।
ସାମାଜିକ କର୍ମୀ ଅନିରୁଦ୍ଧ ଲେଙ୍କା କହିଛନ୍ତି ଦେଶୀ ମଦ ପାଇଁ ଏଠାରେ ପୂର୍ବରୁ ମୁଣ୍ଡ ଗଡ଼ିଛି। ଏକାଧିକ ପରିବାର ଏବେ ବି ସର୍ବସ୍ବାନ୍ତ ହୋଇ ଏହି ବସ୍ତିରେ ଅଛନ୍ତି। ବିଷାକ୍ତ ମଦ୍ୟପାନ କରି ଅନେକ ଲୋକେ ମାସ ମାସ ଧରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କ୍ରମାଗତ ଚଢ଼ାଉ କରାଯାଇ ମଦମାଫିଆଙ୍କ ସାମାଜ୍ୟ ଭାଙ୍ଗିବା ଦିଗରେ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ମନେ ପଡ଼ିଲେ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ଉ କରି ଅଳ୍ପ କିଛି ପରିମାଣର ଦେଶୀ ମଦ ଜବତ କରି ବାହାବା ନେଉଛନ୍ତି। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପଡ଼ିବ।
ମହିଳା ସାଜିଛନ୍ତି କାର୍ପୋଟଦାର
୨୦୨୪ ମେ’ରେ ମୈତ୍ରୀବିହାର ଥାନା ପୁଲିସ ନୀଳଚକ୍ରନଗରରେ ଚଢ଼ଉ କରି ଜଣେ ପେସାଦାର ମଦ ବେପାରୀକୁ ଗିରଫ କରିଥିଲା। ସେଠାରୁ ୧,୦୫୦ ଲିଟର ରନ୍ଧା ମଦ ଓ ବିପୁଳ ପୋଚ ଜବତ ହୋଇଥିଲା। ଭାଟିରେ ବ୍ୟବହାର ହେଉଥିବା ୩ ଗ୍ୟାସ୍ ସିଲିଣ୍ଡର, ୩ ଚୁଲା, ୫୦ ବଡ଼ବଡ଼ ଡେକ୍ଚି ଓ ୨୦ରୁ ଅଧିକ ପ୍ଲାଷ୍ଟିକ୍ ରଙ୍ଗ ବାଲ୍ତି ଜବତ କରାଯାଇଥିଲା। ତେବେ ମଦ ପ୍ରସ୍ତୃତିରେ ମହିଳାଙ୍କ ପ୍ରମୁଖ ଯୋଗଦାନ ରହୁଥିବା ପ୍ରତିଥର ଦେଖିବାକୁ କିଳିଛି। ୨୦୨୩ରେ ମେ’ରେ ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ବାଡ୍ ବଡ଼ଧରଣ ଚଢ଼ଉ କରିଥିଲା। ଚାଉଳି ଓ ଗୁଡ଼ରୁ ପ୍ରସ୍ତୁତ କରୁଥିବା ଦେଶୀ ମଦ ରନ୍ଧା ହେଉଥିବା ୫ଟି ଭାଟି ଚିହ୍ନଟ ହୋଇଥିଲା। ୧୨ ଜଣ ମହିଳାଙ୍କ ସମେତ ମୋଟ ୧୬ ଜଣ ଗିରଫ ହୋଇଥିଲେ। ପ୍ରାୟ ୪ ହଜାର ଲିଟର ଦେଶୀ ମଦ ଜବତ ହୋଇଥିଲା। ବିପୁଳ ଚାଉଳି ଓ ଗୁଡ଼ ପୋଚ(ପ୍ରାୟ ୫ ହଜାର ଲିଟର) ନଷ୍ଟ ହୋଇଥିଲା। ମଦ ରନ୍ଧାରେ ବ୍ୟବହାର ହେଉଥିବା ବଡ଼ବଡ଼ ଆଲୁମିନିୟମ୍ ଡେକ୍ଚି, ମାଟି ହାଣ୍ଡି ଓ ଗ୍ୟାସ୍ ସିଲିଣ୍ଡର ଜବତ ହୋଇଥିଲା। ୨୦୨୨ରେ ମଦ ମାଫିଆଙ୍କ ଘର ଭାଙ୍ଗିଥିଲା ପୁଲିସ। ଇଡ୍କୋ ବସ୍ତିରେ କମିସନରେଟ୍ ପୁଲିସ ବଡ଼ଧରଣ ଚଢ଼ଉ ସମୟରେ ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ। ତା’ ସତ୍ତ୍ବେ ପ୍ରାୟ ୨୦ ମଦ ଭାଟି ଭାଙ୍ଗି ଥିଲା। ଭାଟିଗୁଡ଼ିକରୁ ଶହଶହ ଡେକ୍ଚି ଓ ଜେରିକେନ୍ ଡ୍ରମ ମିଳିଥିଲା। ଏତେ ଭାଟି ଭାଙ୍ଗିଥିଲେ ମଧ୍ୟ ମାତ୍ର ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୁଲିସ।