ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟ ମଧ୍ୟରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିର ଚାରିପାଖରେ ସୌନ୍ଦର୍ଯ୍ୟୀକରଣ କରାଯାଇଛି। କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ସର୍ବନିମ୍ନ ଶୌଚାଳୟ ସୁବିଧା ମିଳୁନଥିବାରୁ ପର୍ଯ୍ୟଟକ ଓ ସାଧାରଣ ଯାତ୍ରୀ ଘୋର ଅସୁବିଧା ଭୋଗୁଛନ୍ତି। ଲିଙ୍ଗରାଜ ମନ୍ଦିର ଦକ୍ଷିଣ ପୂର୍ବ କୋଣରେ ନୂତନ ଶୌଚାଳୟ ନିର୍ମାଣ ବର୍ଷେ ହେବ ସରିଲାଣି। କିନ୍ତୁ ଏହା କାର୍ଯ୍ୟରେ ଲାଗିପାରୁ ନାହିଁ। ମଇଳା ପାଣି ନିଷ୍କାସନ ବାଟ ନ ଥିବାରୁ ଏହି ନବନିର୍ମିତ ଶୌଚାଳୟ ଉଦ୍ଘାଟନ ହୋଇ ପାରୁ ନାହିଁ। ରାଜଧାନୀ ସହରର ମଧ୍ୟରେ ତଥା ଦେଶର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀରେ ସର୍ବନିମ୍ନ ସୁବିଧା ନଥିବାକୁ ପର୍ଯ୍ୟଟକ ନାପସନ୍ଦ କରୁଛନ୍ତି। ବାଧ୍ୟ ହୋଇ ପର୍ଯ୍ୟଟକମାନେ ରାସ୍ତା କଡ଼ରେ ଶୌଚ ହେଉଥିବା ଦେଖାଯାଉଛି। ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ପୂର୍ବ ସରକାର ସମୟରେ ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏହା ପୂର୍ବରୁ ଲିଙ୍ଗରାଜ ହାଟ ନିକଟରେ ଏକ ଶୌଚାଳୟ ଥିଲା। ଉନ୍ନତୀକରଣ କାର୍ଯ୍ୟ ବେଳେ ଏହି ଶୌଚାଳୟ ଭାଙ୍ଗିବା ପରେ ସେଠାରେ କେବଳ ହାଟ ବ୍ୟବସାୟୀଙ୍କ ପାଇଁ ଛୋଟ ଶୌଚାଳୟଟିଏ ତିଆରି ହୋଇଛି। ଲୋକଙ୍କ ସୁବିଧା ପାଇଁ ଲିଙ୍ଗରାଜ ମାର୍କେଟ ନିକଟରେ ଦୁଇଟି ଶୌଚାଳୟ ରହିଛି। ତେବେ ଏହି ଶୌଚାଳୟ କେତେବେଳେ ଖୋଲା ତ କେତେବେଳ ତାଲା ପଡ଼ି ରହୁଛି। ମନ୍ଦିର ନିକଟରେ ଥିବା ଅସ୍ଥାୟୀ ଇ-ଟଏଲେଟ୍(ଭ୍ରାମ୍ୟମାଣ ଶୌଚାଳୟ) ଏବେ ଆଉ ନାହିଁ। ସେହିପରି କେଦାରଗୌରୀ, ମୁକ୍ତେଶ୍ବର, ପର୍ଶୁରାମେଶ୍ବର ମନ୍ଦିର ନିକଟକୁ ଆସୁଥିବା ପର୍ଯ୍ୟଟକ ନାନା ସମସ୍ୟା ଭୋଗୁଛନ୍ତି।
ସେଠାରେ ଥିବା ଶୌଚାଳୟ ୬ ବର୍ଷ ହେବ ଭଙ୍ଗା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲା ନାହିଁ। ଦେବୀ ପାଦହରା ପୁଷ୍କରିଣୀ ନିକଟରେ ଗୋଟିଏ ମାତ୍ର ଶୌଚାଳୟ ଯୋଗୁ ସାଧାରଣ ଲୋକେ, ବ୍ୟବସାୟୀ, ପର୍ଯ୍ୟଟକ ଓ ସେବାୟତମାନେ ନାନା ସମସ୍ୟା ଭୋଗୁଛନ୍ତି। ଏବେ ପର୍ଯ୍ୟଟନ ରୂତୁ ଯୋଗୁ ହଜାର ହଜାର ପର୍ଯ୍ୟଟକ ଆସିବେ। କିନ୍ତୁ ସେମାନଙ୍କ ପାଇଁ ଆବଶ୍ୟକ ଶୌଚାଳୟ ସୁବିଧା ନାହିଁ। ପ୍ରକାଶ ଥାଉକି, ବିଏମ୍ସି ପକ୍ଷରୁ ରାଜଧାନୀକୁ ଖୋଲା ଶୌଚମୁକ୍ତ ସହର ଘୋଷଣା କରାଯାଇଛି। ସେହି ବିଏମ୍ସି ପକ୍ଷରୁ ଏକାମ୍ର ବିକାଶ ଯୋଜନାରେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଦୁଇଟି ଶୌଚାଳୟ ଭାଙ୍ଗିଥିଲେ ମଧ୍ୟ ଅସ୍ଥାୟୀ ଶୌଚାଳୟ ତୁରନ୍ତ କରାଯିବ ବୋଲି କୁହାଯାଇଥିଲା। ହେଲେ ଘୋଷଣାର ୫ ବର୍ଷ ପରେ ମଧ୍ୟ ଏହା ହୋଇପାରିଲା ନାହିଁ। ନୂଆ ସରକାର ଆସିବା ପରେ ମଧ୍ୟ ଏ ଦିଗରେ ଦୃଷ୍ଟି ଦେଇ ନଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/20/fshfshfxvb-2025-11-20-01-51-27.jpg)