ଧୋଇଗଲା ଦୀପାବଳି

ପ୍ରଦୂଷଣରୁ ବର୍ତିଲା ସହର

ଭୁବନେଶ୍ୱର: ସଂଜ ଯେତେ ନଇଁନଇଁ ଆସୁଥିଲା ମନରେ ବ୍ୟାକୁଳତା ସେତେ ବଢ଼ିବଢ଼ି ଚାଲିଥିଲା। ବର୍ଷାକୁ ଘଡ଼ିଏ ଅଟକି ଯିବାକୁ ଯେମିତି ଅନେକ ରାଣ ଦେଉଥିଲେ। ତେବେ ସଂଜ ବୁଡ଼ି ରାତି ହେଲା ପଛେ ବର୍ଷାର ଦାଉ କମିଲାନି। ଦୀପାବଳିରେ ଦୀପଟିଏ ବି ଜାଳିବା ସମ୍ଭବ ହେଲାନି। ଢୋ..ଢା.. ଠୋ…ଠା…ରେ ଫାଟି ପଡ଼ୁଥିବା ଦୀପାବଳି ଲଘୁଚାପ ବର୍ଷାରେ ଏକଦମ ଧୋଇଗଲା। ରାତି ୯ ବେଳକୁ ସବୁ ଶୂନଶାନ୍‌। ଦୀପାବଳି କେମିତି ଆସିଲା, ଆଉ ଚାଲିଗଲା ରାଜଧାନୀବାସୀ ଜାଣି ପାରିଲେନି।
ଅବଶ୍ୟ ବର୍ଷା ହବ ବୋଲି ପାଣିପାଗ କାର୍ଯ୍ୟାଳୟ ଆଗରୁ ସ୍ପଷ୍ଟ କରିଥିଲା। ହେଲେ ମନ

କୋଉ ବୁଝୁଥିଲା? ଦିନଯାକ ଝିପିଝିପି ବର୍ଷାରେ ବାଣ ବଜାରରେ ବିକ୍ରିବଟା ଚାଲିଥିଲା। ନୟାପଲ୍ଲୀ ଇନ୍ଦିରା ମୈଦାନ ପଡ଼ିଆରେ ୧୮ଟି, ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ୬୦ଟି, ଖଣ୍ଡଗିରି ଜାଗମରା କେସିଏ ପଡ଼ିଆରେ ୧୦ରୁ ଊର୍ଧ୍ୱ ଏବଂ ଲକ୍ଷ୍ମୀସାଗର ମେଳଣ ପଡ଼ିଆ ସମେତ ସହରେ ୨୦୦ରୁ ଊର୍ଧ୍ୱ ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନ ଖୋଲିଥିଲା। ଲୁଚାଛପାରେ କେଉଁଠି କେଉଁଠି ଗଳିକନ୍ଦିରେ ବି ବାଣ ବେପାର ଜମି ଆସୁଥିଲା। ତେବେ ଅନେକ ବଡ଼ବଡ଼ ବାଣ ବ୍ୟବସାୟୀଙ୍କର ବେପାର ଏତେଟା ହୋଇପାରିନଥିଲା। ମୋଟ୍‌ ୩୫୦ ଜଣ ବାଣ ଦୋକାନ ଲାଇସେନ୍ସ ପାଇଁ ଆବେଦନ କରିଥିଲେ ହେଁ ପାଖାପାଖି ୨୦୦ ଦୋକାନୀଙ୍କୁ ଅନୁମତି ମିଳିଥିଲା। ଏ ଓ ବି ଶ୍ରେଣୀର ଦୁଇ କିସମର ବାଣ ଦୋକାନ ଏଥର ସହର ମଧ୍ୟରେ ଖୋଲିଥିଲା। ତେବେ ପୂର୍ବବର୍ଷ ୧୭କୋଟି ଟଙ୍କାର ପାଖାପାଖି ବାଣ ବିକ୍ରି ହୋଇଥିବା ବେଳେ ଏଥର ପାଖାପାଖି ୫କୋଟି ଟଙ୍କାର ବାଣ ବିକ୍ରିବଟା ହୋଇଥିଲା

ବରମୁଣ୍ଡାରେ ବାଣ ଦୋକାନ ଦେଇଥିବା ବଳିଆ ରାଜୁ ବାଣ ଦୋକାନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ କହିବା ମୁତାବକ, ସେ ୧ଲକ୍ଷ ୩୦ ହଜାର ଟଙ୍କାର ବାଣ ବିକ୍ରି କରିଥିଲେ। ଯଦିଓ ମୂଳଧନ ଅସୁଲ ହୋଇଯାଇଥିଲା କିନ୍ତୁ ଲାଭ ମିଳିନଥିଲା। ଏଣେ ବିଜୟ ବାଣ ଦୋକାନର ବିଜୟ କୁମାର ପରିଡ଼ାଙ୍କ କହିବା ଅନୁଯାୟୀ, ବରମୁଣ୍ଡା ପଡ଼ିଆରେ ୬୦ଟି ବାଣ ଦୋକାନ ମଧ୍ୟରୁ ୨୦ ଜଣ ନିଜର ମୂଳଧନ ଅସୁଲ କରିବାକୁ ସକ୍ଷମ ହୋଇଥିଲେ ହେଁ ଅନ୍ୟ ୪୦ଟି ଦୋକାନକୁ କ୍ଷତି ସହିବାକୁ ପଡ଼ିଛି। ଏମିତି କି ଦୀପର ବିକ୍ରିବଟା ମଧ୍ୟ ହୋଇନଥିଲା ବୋଲି ସେ କହିଛନ୍ତି। ଦୀପାବଳି ପୂର୍ବରୁ ପିପିଲି ଏବଂ ବାଲେଶ୍ୱରର ଭୟଙ୍କର ଦୁର୍ଘଟଣା ମଧ୍ୟ ଲୋକଙ୍କ ଉପରେ ପ୍ରଭାବ ପକାଇଥିଲା।

ମାତ୍ର କେହିକେହି ଜଟଣୀ ବଜାର ପାଖ ବୋଲି ବାଣ କିଣିବାକୁ ସେତେବାଟ ଯାଏଁ ବି ଧାଇଁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଆଶା ଥିଲା କେଇ କ୍ଷଣ ଯଦି ବର୍ଷା ଅଟକି ଯିବ ତେବେ ବାଣ ଫୁଟା ଜମିଯିବ। ହେଲେ ସେମିତି କିଛି ବି ହେଲାନାହିଁ। ଶେଷରେ ଲୋକେ ବାଧ୍ୟ ହୋଇ ନିଜ ଅଗଣାରେ ଆଢ଼ୁଆଳରେ ଦୀପ ଜାଳି ଝୁରଝୁରି ଓ ଧପଧପିରେ ମନକୁ ବୁଝେଇଥିଲେ। କେତେକ ସ୍ଥାନରେ ବାଣ ଫୁଟୁଥିଲା ସତ କିନ୍ତୁ ଲାଗୁଥିଲା ଯେମିତି କେଉଁଠି ବରଯାତ୍ରୀ ଦଳ ଯାଉଛନ୍ତି। କେତେକ ଆପାର୍ଟମେଣ୍ଟ୍‌, ଅନାଥାଶ୍ରମ, ଅନୁଷ୍ଠାନ ପରିସରରେ ଦୀପାବଳି ପାଇଁ ବାଣ ସଜଡ଼ା ହୋଇ ରହିଥିଲେ ହେଁ ତାହା ବି ସମ୍ଭବ ହେଲାନାହିଁ। କିଛି ଅତ୍ୟୁତ୍ସାହୀ ଯୁବକ ବର୍ଷାରେ ଓଦା ହେଇ ବାଣ ଫୁଟାରେ ମାତି ଯାଇଥିଲେ।
ପ୍ରତିବର୍ଷ ଭଳି ଏଥର ଆଉ ଅଟ୍ଟାଳିକା ଉପରେ ଦୀପାଳିର ଧାଡ଼ିଧାଡ଼ି ଦୀପ ଶିଖା ଦେଖିବାକୁ ମିଳିନଥିଲା। ଚଉରା ମୂଳେ କାଉଁରିଆ କାଠି ଟେକି ‘ଅନ୍ଧାରେ ଆସି ଆଲୁଏ ଯାଅ… ଗାଇ ବଡ଼ବଡ଼ିଆଙ୍କୁ ସମ୍ମାନ ଜଣାଇବା ପାଇଁ ବି ବର୍ଷା ଟିକେ ଫୁର୍‌ସତ ଦେଇନଥିଲା। ବର୍ଷା ଓ ଜିଏସ୍‌ଟି ଯୋଗୁଁ ବାଣ ଦର ଅଧିକ ଥିଲେ ହେଁ କୋଟିକୋଟି ଟଙ୍କାର ବାଣ ବିକ୍ରି ହୋଇଥିଲା।

ପ୍ରଦୂଷଣରୁ ବର୍ତିଲା ସହର

ଚଳିତ ବର୍ଷ ଲଘୁଚାପ ବର୍ଷା ପରିବେଶକୁ ବାୟୁ ଓ ଶବ୍ଦ ପ୍ରଦୂଷଣରୁ ମୁକ୍ତ ରଖିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଦୂଷଣର ମାତ୍ରା ମାପିବା ପାଇଁ ବିଭିନ୍ନ ସ୍ଥାନରେ ମୋବାଇଲ୍‌ ମନିଟର ସିଷ୍ଟମ ରହିଥିବା ବେଳେ ସେଥିରୁ ରେକର୍ଡ ହୋଇଥିବା ପ୍ରଦୂଷଣର ମାତ୍ରା ସାଧାରଣ ଦିନ ଭଳି ରହିଛି। ୨୦୧୬ରେ ବାୟୁ ପ୍ରଦୂଷଣର ମାତ୍ରା କେବଳ ଆଇଆର୍‌ସି ଭିଲେଜ୍‌ରେ ୩୨୪ମାଇକ୍ରୋଗ୍ରାମ୍‌ ପର୍‌ ମିଟର କ୍ୟୁବ୍‌ ଥିବା ବେଳେ ନୟାପଲ୍ଲୀରେ ଏହାର ପରିମାଣ ୧୯୦ ମାଇକ୍ରୋଗ୍ରାମ ପର୍‌ ମିଟର କ୍ୟୁବ୍‌ ରହିଥିଲା। ମାତ୍ର ଚଳିତ ବର୍ଷ ଏହା ସାଧାରଣ ଦିନ ଭଳି ୧୦୦ରୁ ଟିକେ ଅଧିକ ମାଇକ୍ରୋଗ୍ରାମ ପର୍‌ ମିଟର କ୍ୟୁବ୍‌ ରହିଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶାର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ କହିଛନ୍ତି। ସେହିଭଳି ଶବ୍ଦ ପ୍ରଦୂଷଣ ପୂର୍ବବର୍ଷ ୮୦ଡେସିବଲ ରହିଥିବା ବେଳେ ଏହା ସାଧାରଣ ଦିନ ଭଳି ୬୫ରୁ ୭୦ ଡେସିବଲ୍‌ ବି ଛୁଇଁନଥିବା ଅନୁମାନ କରାଯାଉଛି। ଶ୍ରୀ ପାଣିଗ୍ରାହୀଙ୍କ କହିବା ମୁତାବକ ମୁଖ୍ୟତଃ ବର୍ଷା ଦିନେ ବାୟୁରେ ପ୍ରଦୂଷଣ ମାତ୍ରା କମ୍‌ ରହୁଥିବା ବେଳେ ଏଥର ଦୀପାବଳିରେ ବାଣର ସ୍ୱରଶବ୍ଦ ନଥିବାରୁ ପ୍ରଦୂଷଣର ମାତ୍ରା ସାଧାରଣ ଦିନ ଭଳି ରହିଛି।

ଦିନକ ପରେ ଫୁଟାଇଲେ ବାଣ, ୧୦ ଅଟକ

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଚଳିତ ବର୍ଷ ଦୀପାବଳିକୁ ଫିକା କରିଦେଇଥିଲା। ବର୍ଷା ଯୋଗୁଁ ବାଣ ଫୁଟାଇବା ଦୂରେ ଥାଉ, ଲୋକେ ଘରୁ ମଧ୍ୟ ବାହାରି ପାରିନଥିଲେ। କିନ୍ତୁ ଆଜି ରାତି ୯ଟା ବେଳେ ବର୍ଷା କମିବା ପରେ ରାଜଧାନୀବାସୀ କାଲି ଫୁଟାଇ ପାରିନଥିବା ବାଣକୁ ଫୁଟାଇଥିଲେ। ଏପରିକି କେତକ ସ୍ଥାନରେ ଲୋକ ରାସ୍ତାଘାଟକୁ ଚାଲି ଆସି ବାଣ ଫୁଟାଇଥିଲେ। ଗତକାଲି ବର୍ଷା ହେଉଥିବା କେହି ରକେଟ କିମ୍ବା ହାବେଳି ବାଣ ଫୁଟାଇ ପାରିନଥିଲେ। ଆଜି ସେହି ସବୁ ବାଣ ବିଶେଷ କରି ଫୁଟା ଯାଇଥିଲା। ସେହିପରି ଆକାଶରେ ମଧ୍ୟ ଅନେକ ଆକାଶଦୀପ ଦେଖାଯାଇଥିଲା। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଣ ଫୁଟାଇବା ଅଭିଯୋଗରେ ନୂଆପଲ୍ଲୀ ଥାନା ୧୦ଜଣଙ୍କୁ ଅଟକ ରଖିଛି। ସେହିପରି ବାଣ ଫୁଟାଇବା ନେଇ କିଛି ସ୍ଥାନରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଖାରବେଳନଗର ଥାନା ଅଧୀନ ପ୍ରେସ୍‌ କଲୋନିରେ କିଛି ଯୁବକ ହାବେଳି ବାଣ ଫୁଟାଉଥିବା ବେଳେ ତାହା ଅବିନାଶ ଦାସଙ୍କ ଘରେ ପଶି ଯାଇଥିଲା। ଫଳରେ ଅବିନାଶଙ୍କ କେତେକ ଆସାବାବପତ୍ର ପୋଡ଼ି ଯାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର