ଜୈବ ବିବିଧତାକୁ ଉଜାଡ଼ି ଦେଲେ, ପାଣି ପାଇଁ ପାହାଡ଼ କାଟିଦେଲେ

ଚନ୍ଦ୍ରଶେଖରପୁର: ଉଜୁଡ଼ିଗଲା ଶିଖରଚଣ୍ଡୀ ପାହାଡ଼ର ଅଧା ଜୈବ ବିବିଧତା। କାହିଁ କେଉଁ କାଳରୁ ସହରରେ ରହିଥିବା ଏହି ପାହାଡ଼ର କିଛି ଅଂଶକୁ କାଟି ଦିଆଯାଇଛି। ଭୁବନେଶ୍ବରବାସୀଙ୍କୁ ପିଇବା ପାଣି ଯୋଗାଇବା ଲାଗି ଏଠାରେ ୩୦ ମିଲିୟନ ଲିଟର କ୍ଷମତା ସମ୍ପନ୍ନ ପାନୀୟ ଜଳ ପ୍ରକଳ୍ପ କରାଯିବ। ଯେଉଁଥିପାଇଁ ଶିଖରଚଣ୍ଡୀ ମନ୍ଦିର ପାହାଡ଼କୁ ଲାଗି ରହିଥିବା ହନୁମାନ ପାହାଡ଼ ଏବେ ଖୋଳା ଚାଲିଛି। ଏଠାରେ ଥିବା ବହୁ ପରିମାଣର ଔଷଧୀୟ ବୃକ୍ଷ ସମେତ କିଛି ବିରଳ ଗଛକୁ ବଳି ପକାଯାଇଛି। ତିନି ମାସ ଧରି ଜଙ୍ଗଲରେ ନିଆଁ ଲଗାଇବା, ଗଛ କାଟି ପଦା କରିବା ପରେ ଏବେ ପାହାଡ଼ କାଟି ସମତୁଲ କରାଯାଉଛି। ଏକାଧିକ ଜେସିବି ଦିନ ରାତି ପାହାଡ଼କୁ ଖୋଳିବାରେ ଲାଗିପଡ଼ିଛନ୍ତି। ଭୁବନେଶ୍ବରର ଅନ୍ୟତମ ଜୈବବିବିଧତା ସ୍ଥଳ ଭାବେ ପରିଚିତ ଶିଖରଚଣ୍ଡୀ ପାହାଡ଼କୁ ଲାଗି ରହିଥିବା ହନୁମାନ ପାହାଡ଼ ଭାବେ ପରିଚିତ ଏହି ଅଞ୍ଚଳ ଏବେ ଗଛ ଶୂନ୍ୟ ହୋଇଛି। ଏବେ କେବଳ ପଥର ଦେଖିବାକୁ ମିଳୁଛି।

ତଦନ୍ତ ଆରମ୍ଭ କଲେ ଚନ୍ଦକା ବନଖଣ୍ଡ କର୍ତ୍ତୃପକ୍ଷ
ନିର୍ମାଣ ହେବ ୩୦ ମିଲିୟନ ଲିଟର ଜଳ ସଂରକ୍ଷଣ ଭଣ୍ଡାର
ଦୂର ହେବ ଚନ୍ଦ୍ରଶେଖରପୁର ଅଞ୍ଚଳର ଜଳ ସମସ୍ୟା

ସ୍ଥାନୀୟ ଅଞ୍ଚଳବାସୀଙ୍କ ମତରେ ଶିଖରଚଣ୍ଡୀ ପାହାଡ଼ ଏକଦା ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳୀ ଥିଲା। ବିଭିନ୍ନ ପୁସ୍ତକରେ ଶିଖରଚଣ୍ଡୀ ପାହାଡ଼ରେ ବାଘର ଆତଙ୍କ କଥା ବର୍ଣ୍ଣନା ହୋଇଛି। ହାତୀଙ୍କ ବାସସ୍ଥାନ ପାଲଟିଥିବା ଏହି ପାହାଡ଼ରେ ବହୁ ସଂଖ୍ୟକ ମୟୂର ଦେଖାଯାଉଥିଲେ। ମାତ୍ର ଗତ ତିନି ଦଶନ୍ଧି ମଧ୍ୟରେ ବିକାଶ ନାଁରେ ଜୈବ ବିବିଧତାକୁ ନଷ୍ଟ କରାଯାଇଛି। ଗୋଟିଏ ପରେ ଗୋଟିଏ ସଂସ୍ଥାକୁ ରାଜ୍ୟ ସରକାର ପାହାଡ଼ ଦେଇ ଚାଲିଛନ୍ତି। ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ଆଇଟି ହବ୍‌ କହି ପାହାଡ଼ର ସବୁଜିମାକୁ ମାଟିରେ ମିଶାଇବାକୁ ଉଦ୍ୟମ ହେଉଛି। ଦିନେ ଜୈବବିବିଧତା‌ରେ ପରିପୂର୍ଣ୍ଣ ଥିବା ଏହି ପାହାଡ଼ରେ ବାଘ ନାହାନ୍ତି। ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ରହୁଥିବା ହାତୀ କାଁ ଭାଁ ଏଠାକୁ ଆସୁଛନ୍ତି। ଗୋଟିଏ ସମୟରେ ପାହାଡ଼ ତଳେ ଶହ ଶହ ମୟୂର ଦେଖିବାକୁ ମିଳୁଥିବା ବେଳେ ଏବେ ଗୋଟିଏ ଯୋଡ଼ିଏ ଦେଖିବା କଷ୍ଟକର ହୋଇପଡ଼ୁଛି। ଗୋଟିଏ ପଟେ ଶିଖରଚଣ୍ଡୀ ବିକାଶର ନକ୍ସା, ଆଉ ଅନ୍ୟପଟେ ଜୈବବିବିଧତାକୁ ନଷ୍ଟ କରିବା ଆଦୌ ଗ୍ରହଣୀୟ ନୁହେଁ।

ପ୍ରକଳ୍ପ ନାଁରେ ପାହାଡ଼ କଟାଯାଉଥିବା ନେଇ ଅଭିଯୋଗ ପରେ ଚନ୍ଦକା-ଡମପଡ଼ା ବନଖଣ୍ଡ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଜଣେ ରେଞ୍ଜରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବବଧାନରେ ଏକ ଟିମ୍‌ ତଦନ୍ତ କରୁଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବନଖଣ୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ପାନୀୟ ଜଳ ପ୍ରକଳ୍ପ ହେଉଥିବା ପାହାଡ଼ ଅଞ୍ଚଳ ରାଜସ୍ବ ବିଭାଗ ଅଧୀନରେ ରହିଛି, ଯାହାକି ବନଖଣ୍ତ ଅଞ୍ଚଳରେ ଆସୁଛି। ଏହି ଜମିକୁ ରାଜସ୍ବ ବିଭାଗ ପକ୍ଷରୁ ଇଡ୍‌କୋକୁ ହସ୍ତାନ୍ତର କରାଯାଇଛି। ଏବେ ଇଡ୍‌କୋ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ କରିବା ଲାଗି ୱାଟକୋକୁ ଦିଆଯାଇଥିବା ଜଣାପଡ଼ିଛି।

ଏହି ଜଳ ସଂରକ୍ଷଣ ଭଣ୍ଡାର ପ୍ରକଳ୍ପରେ ୩୦ ମିଲିୟନ ଲିଟର ପାଣି ମହଜୁଦ ରହିବ। ସିଧାସଳଖ ମୁଣ୍ଡୁଳିରୁ ମହାନଦୀର ପାଣି ବିରୋଧ କରାଯିବା ପରେ ପାଇପ୍‌ ଯୋଗେ ଏଠାକୁ ଅଣାଯିବ। ସଂରକ୍ଷଣ ରଖାଯିବା ପରେ ଉକ୍ତ ପାଣିକୁ ସହରବାସୀଙ୍କୁ ଯୋଗାଣ ହେବ। ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଚନ୍ଦ୍ରଶେଖରପୁର, ମୈତ୍ରୀ ବିହାର, ନୀଳାଦ୍ରିବିହାର, ପଟିଆ, ରେଳବିହାର, ଶୈଳଶ୍ରୀବିହାର, ପ୍ରଶାନ୍ତି ବିହାର, ନନ୍ଦନକାନନ, ଡମଣା, ଶ୍ରୀବିହାର, କଳାରାହାଙ୍ଗ, ରଘୁନାଥପୁର ପ୍ରଭୃତି ଅଞ୍ଚଳକୁ ଜଳ ଯୋଗାଣ ସୁବ୍ୟବସ୍ଥିତ ହୋଇପାରିବ। ୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର