ଶିଖରଚଣ୍ଡୀ ପାହାଡ଼ ନଷ୍ଟ ପ୍ରସଙ୍ଗ: ଜନପ୍ରତିନିଧିଙ୍କୁ ଦେଲେ ଦାବିପତ୍ର

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ କଟା ଯିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ଏକ ପ୍ରତିନିଧି ଦଳ ଆଜି ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ଜିଲ୍ଲାପାଳ ଓ ବିଏମ୍‌ସି ମେୟରଙ୍କୁ ସାକ୍ଷାତ କରିବା ସହ ଜୈବ ବିବିଧତା ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଛନ୍ତି। ସମିତି ପକ୍ଷରୁ ଦର୍ଶାଇଛନ୍ତି ଯେ ମା’ଙ୍କ ପାହାଡ଼ରେ ବେଆଇନ ପଥର ବ୍ଲାଷ୍ଟିଙ୍ଗ ଦ୍ବାରା ବହୁ ଦୁର୍ଲଭ ଔଷଧୀୟ ଗଛ ନଷ୍ଟ ହୋଇଯାଇଛି। ଜଙ୍ଗଲୀ ଜୀବଜନ୍ତୁ ଓ ନିରୀହ ପଶୁ ପକ୍ଷୀଙ୍କର ବାସସ୍ଥଳୀକୁ ଅତି ଦୟନୀୟ ଭାବେ ଭାଙ୍ଗି ଦିଆଯାଇଛି। ଆମ ଅଞ୍ଚଳର ବହୁ ପ୍ରାଚୀନ ତଥା ସର୍ବପୁରାତନ ଐତିହ୍ୟ କୀର୍ତ୍ତିରାଜିର ସବୁଜିମାକୁ ବେଆଇନ ଭାବେ ଧ୍ୱଂସ କରିବା ଆଦୌ ଗ୍ରହଣୀୟ ନୁହେଁ। ବିନା ପଲ୍ଲୀସଭାରେ କିଭଳି କାର୍ଯ୍ୟ କରିବାକୁ ଅନୁମତି ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଦୋଷୀମାନଙ୍କ ବିରୁଦ୍ଧରେ ଜାତୀୟ ଗ୍ରିନ ଟିବ୍ୟୁନାଲରେ ମାମଲା କରାଯାଉ ବୋଲି ସମିତି ପକ୍ଷରୁ ଦାବି କରାଯାଇଛି।

ଦାବିପତ୍ର ପ୍ରଦାନ ପରେ ବିଧାୟକମାନଙ୍କ ପକ୍ଷରୁ ଆଶ୍ବସନା ମିଳିଥିବା ଜଣାପଡ଼ିଛି। ଆସନ୍ତା ୫ ତାରିଖରେ ଦୁଇ ବିଧାୟକଙ୍କୁ ନେଇ ଶିଖରଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଏକ ପଲ୍ଲୀସଭା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ଏହି ସଭାରେ କାମ କରୁଥିବା ଠିକ ସଂସ୍ଥା ସହ ବିଡିଏ ଓ ଅନ୍ୟାନ୍ୟ ଅଂଶୀଦାରମାନେ ପ୍ରଥମେ ସ୍ପଷ୍ଟୀକରଣ ଦେବେ। ସେପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ ଜଟଣୀ ବିଧାୟକ ଶ୍ରୀ ରାଉତରାୟ ନିର୍ଦ୍ଦେଶ ଦେଇଥିବା ସମିତିର ସଦସ୍ୟମାନେ କହିଛନ୍ତି। ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସମିତି ସଦସ୍ୟ ମହିମା ସାମନ୍ତରାୟ, ନିର୍ମଳ ମହାରଣା, ସଚିନ ମହାପାତ୍ର, ତାରାକାନ୍ତ ବେହେରା, ଅଞ୍ଜନ ଜେନା, କୁନୁ ଜେନା, ତପନ ଚକ୍ରବର୍ତ୍ତୀ, ଚରଣ ମୁରଲୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର