ୱାର୍ଡ ସଂରକ୍ଷଣ ପାଇଁ ବିବରଣୀ ଦାଖଲ ହେବ ଆଜି, ନୂଆ ରଣନୀତି ପ୍ରସ୍ତୁତିରେ ନେତା

ଭୁବନେଶ୍ବର : ପୌର ନିର୍ବାଚନ ନେଇ ପ୍ରସ୍ତୁତି ଶେଷ କରିଛି ବିଏମ୍‌ସି। ପୌରାଞ୍ଚଳରେ ୱାର୍ଡ ସଂରକ୍ଷଣ ତାଲିକା‌ ପ୍ରକାଶ ପାଇବା ପାଇଁ ପୂର୍ବରୁ ସରକାର ମାଗିଥିବା ସମସ୍ତ ବିବରଣୀ ପ୍ରସ୍ତୁତ ହୋଇଛି। ଆଜି ଏହି ତଥ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ। ଏହି ତଥ୍ୟ ଆଧାରରେ ସରକାର ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବେ। ବିଏମ୍‌ସି ପ୍ରସ୍ତୁତ କରିଥିବା ତାଲିକାରେ କ’ଣ ଅଛି ଯଦିଓ ତାହା ଗୁପ୍ତ ରହିଛି ନେତା କିନ୍ତୁ ଆକଳନ କରିସାରିଲେଣି। ଯେଉଁ ୱାର୍ଡ ସଂରକ୍ଷିତ ହେବ ସେ ନେଇ ନୂଆ ନେତା ଯୋଗାଡ଼ କରୁଛନ୍ତି। ଆଉ ଯେଉଁଠି ଅପରିବର୍ତ୍ତିତ ରହିବ ସେଠାରେ ନିଜେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆନୁଷ୍ଠାନିକ ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ସଂରକ୍ଷଣକୁ ନେଇ ଚିଠା ତାଲିକା ପ୍ରକାଶ ପାଇବା ଓ ନିର୍ବାଚନ ତାରିଖ ଘୋଷଣା ହେବାକୁ ନେତାଙ୍କ ସହ ଭୋଟର ମଧ୍ୟ ଅପେକ୍ଷା କରିଛନ୍ତି।

ପୌରାଞ୍ଚଳରେ ନୂଆ କରି ଯୋଡ଼ା ହୋଇଥିବା ରାଜସ୍ବ ଗ୍ରାମ ଓ ଅନ୍ୟାନ୍ୟ ତଥ୍ୟ ସରକାର ତଲବ କରିବା ପରେ ବିଏମ୍‌ସି ଭୁବନେଶ୍ବର ବିଡିଓଙ୍କୁ ଚିଠି ଲେଖିଥିଲା। ଗତ ବୁଧବାର ବିଡିଓ ତଥ୍ୟ ଦେବା ପରେ ବିଏମ୍‌ସି ପୌରାଞ୍ଚଳର ତଥ୍ୟ ଯୋଡ଼ି ତାଲିକା ପ୍ରସ୍ତୁତ କରିଛି। ଯଦିଓ ୱାର୍ଡ ସଂଖ୍ୟା ନବଢ଼ିବା ସ୍ପଷ୍ଟ ହୋଇଛି ତଥାପି ସଂରକ୍ଷଣରେ ଅନେକ ଅଦଳବଦଳର ଆଶଙ୍କା କରାଯାଉଛି। ପୂର୍ବରୁ ୫୦ ପ୍ରତିଶତ ୱାର୍ଡ ସଂରକ୍ଷିତ ଥିଲା। ଯାହାକୁ ନେଇ ରାଜନୈତିକ ମହଲରେ ହଟଚମଟ ହେବା ସହ ମାମଲା କୋର୍ଟକୁ ଯାଇଥିଲା। ଏଣୁ ଏବେ ଏହି ସଂରକ୍ଷଣ ତାଲିକା ଉପରେ ସମସ୍ତଙ୍କର ନଜର ରହିଛି।

ଅନ୍ୟପଟେ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଥିବାରୁ ରାଜନୈତିକ ଦଳମାନେ ଅଙ୍କକଷା ଆରମ୍ଭ କରିଛନ୍ତି। ଏହି ପ୍ରାର୍ଥୀ ପାଇଁ ଏକାଧିକଙ୍କର ଲବି ଥିବାରୁ ଦଳ ମୁଖିଆମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଏହି ପଦ ସଂରକ୍ଷିତ ହେଲେ ଦଳ ମୁଖିଆମାନଙ୍କ ପାଇଁ ଅଡ଼ୁଆ ଆହୁରି ବଢ଼ିବ ବୋଲି ଆ‌ଶଙ୍କା କରାଯାଉଛି। ପୂର୍ବରୁ ୬୭ ୱାର୍ଡରୁ ୪୭ଟି ୱାର୍ଡ ସଂରକ୍ଷିତ ଥିଲା। ଏହି ୪୭ରୁ ୨୦ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ୧ରୁ ୩୦ ୱାର୍ଡ ଭିତରେ ୪ଟି ଅସଂରକ୍ଷିତ ଥିଲା। ୩୦ରୁ ୬୭ ଭିତରେ ବାକି ୧୬ଟି ଅସଂରକ୍ଷିତ ଥିଲା। ଏହି ଅନୁପାତ ‌ଏବେ ବଦଳିବା ନେଇ ଆଶା କରାଯାଉଛି। ଯାହାକୁ ନେଇ ରାଜନୈତିକ ଦଳମାନେ ଗୋଟି ଚାଳନା ଆରମ୍ଭ କରିଛନ୍ତି। ଅନ୍ୟପଟେ ୩ବର୍ଷ ବିତି ଯାଇଥିବାରୁ ନେତାମାନେ ଜନସାଧାରଣଙ୍କ ଠାରୁ ଦୂରେଇ ଯାଇଛନ୍ତି। ଅନେକ ସମସ୍ୟା ଧରି ଜନସାଧାରଣ ନେତାମାନଙ୍କୁ ଅପେକ୍ଷା କରି ରହିଛନ୍ତି। ଏଣୁ ଜନସାଧାରଣଙ୍କୁ ସାମ୍ନା କରିବାକୁ ନେତାମ‌ାନେ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି।

ସମ୍ବନ୍ଧିତ ଖବର