ଭୁବନେଶ୍ବର: ପୁରସ୍କାର ପଛରେ ନ ଗୋଡ଼େଇ ଲେଖକଟିଏ ନିଷ୍ଠା ଓ ଅନୁରାଗର ସହ ଲେଖି ଚାଲୁ। ପ୍ରକୃଷ୍ଟ ସମୟ ଆସିଲେ ତାକୁ ସେ ପରିଶ୍ରମର ଫଳ ନିଶ୍ଚିତ ମିଳିବ। ତା’ ଲେଖାଟି ପାଠକାଦୃତ ହେବା ସହ କାଳଜୟୀ ହୋଇପାରିବ। ଲେଖକଟିଏ ସବୁବେଳେ ଅହଂକାରଠାରୁ ଦୂରେଇ ରହିବା ସହ ନିଜକୁ ଅଜ୍ଞ ଭାବିବା ଉଚିତ। ଭଲ ଲେଖକ ହେବା ପାଇଁ ପ୍ରଥମେ ଭଲ ମଣିଷ ହେବାକୁ ପଡ଼ିବ। ସମାଜରେ ସାହିତ୍ୟ ମଣିଷକୁ ପ୍ରତିନିଧିତ୍ବ କରେ। ତେଣୁ ଲେଖିଲା ବେଳେ ଲେଖକଟିଏ ନିଜ ସହ ପାଠକର ବି ଚିନ୍ତା, ଅନୁସୃଜନ ଓ ଅନୁଶୀଳନକୁ ଧ୍ୟାନରେ ରଖିବା ଉଚିତ। ବୁଦ୍ଧ ମନ୍ଦିର ସଭାଗୃହରେ ଅନୁଷ୍ଠିତ ‘ଅଚ୍ୟୁତାନନ୍ଦ ପତି ଗଳ୍ପ ସମ୍ମାନ ପ୍ରଦାନ’ ଉତ୍ସବରେ ଯୋଗ‌ଦେଇ ବର୍ଷିୟାନ୍‌ ସାହିତ୍ୟିକ ଅଚ୍ୟୁତାନନ୍ଦ ପତି ଆଜି ଏଭଳି ଦିଗ୍‌ଦର୍ଶନ ଦେଇଛନ୍ତି।

Advertisment

ନୂଆ ପାଠକ ସୃଷ୍ଟି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଯାଉ: ସୌମ୍ୟ

ଜଗନ୍ନାଥ ସଂସ୍କୃତି ଗବେଷକ ପୀତବାସ ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଗଦ୍ୟ ସବୁବେଳେ ଭାଷାକୁ ବଞ୍ଚାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରେ। ଗଦ୍ୟ ଏବଂ ଗଣତନ୍ତ୍ର ମଧ୍ୟରେ ଏକ ଅତୁଟ ସମ୍ପର୍କ ରହିଛି। ଗଦ୍ୟ ଦୁର୍ବଳ ହେଲେ ଗଣତନ୍ତ୍ର ଦୁର୍ବଳ ହୋଇଯିବ। ବର୍ତ୍ତମାନ ସମୟରେ ମୁଦ୍ରିତ ଗଳ୍ପର ଭବିଷ୍ୟତ କେତେ ଲମ୍ବା, ତାହା ଆକଳନ କରିବା ସହଜ ନୁହେଁ। ମୁଦ୍ରିତ ଶିଳ୍ପ ଏବେ ସଂକଟ ଦେଇ ଗତି କରୁଛି। ତେଣୁ ଲେଖକମାନେ ବିକଳ୍ପ ବ୍ୟବସ୍ଥା ଆପଣାଇ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ନୂଆପିଢ଼ି ପାଠକ ପାଖରେ ପହଞ୍ଚିବାର ବେଳ ଆସିଛି। ପ୍ରଥମେ ବଡ଼ ଗଳ୍ପର ମୁଖ୍ୟାଂଶକୁ କ୍ଷୁଦ୍ର ଭାବେ ନୂଆପିଢ଼ି ପାଠକଙ୍କ ପାଖରେ ପହଞ୍ଚାଇ ଗପ ସହ ଅଭ୍ୟସ୍ତ କରାଯାଉ। ପରେ ସେମାନେ ବଡ଼ ଗପ ଓ ଉପନ୍ୟାସ ପଢ଼ିବା ପାଇଁ ଆପେ ମନ ବଳାଇବେ।

ମୁଖ୍ୟବକ୍ତା ବିଶିଷ୍ଟ ନାଟ୍ୟକାର ବିଜୟ ଶତପଥୀ କହିଲେ, ଶ୍ରୀ ପତି ଅତ୍ୟନ୍ତ ଶ୍ରଦ୍ଧାଶୀଳ ବ୍ୟକ୍ତି। ଅପୂର୍ବ କଥକତାର ସୁଅରେ ପାଠକକୁ ଭସାଇ ନେବାର କଳା ତାଙ୍କୁ ଭଲ ଭାବେ ଜଣା। କବିତା ରଚନାରୁ ସେ ଲେଖକୀୟ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ଗଳ୍ପ ତାଙ୍କୁ ଅଭୂତପୂର୍ବ ସଫଳତା ଦେଇଛି। ବିଶେଷକରି ସେ ଉପେକ୍ଷିତମାନଙ୍କୁ ନେଇ ଲେଖନ୍ତି। ତାଙ୍କ ଗପରେ ସମଗ୍ର ମନୁଷ୍ୟ ସମାଜ ପାଇଁ ବାର୍ତ୍ତା ଥାଏ। ସେ ହେଉଛନ୍ତି ଆମ ସମୟର ଜଣେ ସମ୍ବେଦନଶୀଳ କଥାକାର। ‘ଯୁବ ପ୍ରବର୍ତ୍ତକ’ର ସମ୍ପାଦକ ରାଜେନ୍ଦ୍ର ବର୍ମା ଅତିଥି ପରିଚୟ ଦେଇଥିବା‌ ବେଳେ ସର୍ବେଶ୍ବର ଶତପଥୀ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ‘ସତ୍ୟନାରାୟଣ ବୁକ୍‌ ଷ୍ଟୋର୍‌’ ପକ୍ଷରୁ ପ୍ରକାଶିତ ପ୍ରଫେସର୍‌ ଗିରୀଶ ଚନ୍ଦ୍ର ସାହୁ ଓ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଦ୍ବାରା ସଂକଳିତ ‘ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ସମଗ୍ର’ ଉନ୍ମୋଚିତ ‌ହୋଇଥିଲା। ଏହାସହ ଶ୍ରୀ ପତିଙ୍କ ଜୟନ୍ତୀ ଅବସରରେ ପ୍ରଦାନ କରାଯାଉଥିବା ‘ଅଚ୍ୟୁତାନନ୍ଦ ପତି ଗଳ୍ପ ସମ୍ମାନ’ ଅଧ୍ୟାପକ ବିଶ୍ବରଂଜନ, ସୀତେଶ ତ୍ରିପାଠୀ, ରବି ନାରାୟଣ ଦାସଙ୍କୁ ପ୍ରଦାନ କରାଯାଇଥିଲା।