ରୋଶଣିରେ କମ୍ପିଲା ଏକାମ୍ରକ୍ଷେତ୍ର: ମନ୍ଦିରକୁ ବାହୁଡ଼ିଲେ ଦେବ ଦମ୍ପତି

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଶୀତଳଷଷ୍ଠୀ ଯାତ୍ରା ମହାସମାରୋହରେ ପାଳିତ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମା’ ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିର ପ୍ରତ୍ୟାବର୍ତନ କରିଛନ୍ତି। ଗତକାଲି ମଧ୍ୟରାତ୍ରିରେ ବିବାହ ସମ୍ପନ୍ନ ହେବାପରେ ଆଜି ଦେବଦମ୍ପତି ବର୍ଣ୍ଣାଢ୍ୟ ରୋଶଣି ସହକାରେ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। ରାସ୍ତାସାରା ଆଲୋକମାଳାର ଜାକଜମକ ଓ ପାରମ୍ପରିକ ବାଜାର ପଟୁଆରରେ ନବଦମ୍ପତି ସ୍ୱର୍ଣ୍ଣାଦ୍ରି ବିଜେ କରିଥିଲେ। ତେବେ ବାଣ ଫୁଟାଇବାକୁ ବାରଣ କରାଯାଇଥିଲେ ହେଁ ବାଣ ଫୁଟାକୁ କେନ୍ଦ୍ରକରି ଅନେକ ଶ୍ରଦ୍ଧାଳୁ ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ। କେଦାରଗୌରୀ ମନ୍ଦିରରୁ ରାତି ୧୧ଟା ୧୦ରେ ନବ ଦମ୍ପତି ବାହାରିଥିଲେ। ଦର୍ଶକଙ୍କ ଭିଡ଼ ଥିବାରୁ ଠାକୁର ପୁଲିସ କର୍ଡନ ଭିତରେ ଆସିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ୬ ପ୍ଲାଟୁନ୍‍ ପୁଲିସ ମୁତୟନ କରାଯାଇଥିଲା।

୪ ସ୍ଥାନରେ ଭୋଗଲାଗି
ଦେବଦମ୍ପତି ମନ୍ଦିରକୁ ପ୍ରତ୍ୟାବର୍ତନ କରିବାବେଳେ ଭକ୍ତମାନେ ଭୋଗ ଲଗାଇଥିଲେ। ତେବେ ପରମ୍ପରା ଅନୁଯାୟୀ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁସାହି, ବଡ଼ୁନିଯୋଗ, ପଥୁରିଆ ବଡ଼ୁସାହିଠାରେ ଦେବଦେବୀଙ୍କୁ ଭୋଗଲାଗି ସହ ଭେଟ ଆଳତି କରାଯାଇଥିଲା।
ଦମ୍ପତିଙ୍କୁ ଦର୍ଶନ ପାଇଁ ଭିଡ଼
ବିବାହ ସମ୍ପନ୍ନ ହେବାପରେ ଆଜି ଭୋରରୁ ନବ ଦମ୍ପତିଙ୍କୁ ଦର୍ଶନ କରିବାପାଇଁ କେଦାରଗୌରୀ ମନ୍ଦିରରେ ପ୍ରବଳ ଭିଡ଼ ଲାଗିଥିଲା। ରାଜଧାନୀର ବିଭିନ୍ନ ପ୍ରାନ୍ତ ସମେତ ବାହାରୁ ଆସିଥିବା ଶ୍ରଦ୍ଧାଳୁ ସେ ଅପୂର୍ବ ଦୃଶ୍ୟକୁ ଦର୍ଶନ କରିଥିଲେ ଓ ବନ୍ଦାପନା କରିଥିଲେ।
ବାଜାରେ କମ୍ପିଲା ବଡ଼ଦାଣ୍ଡ
ଶୋଭାଯାତ୍ରା ସମୟରେ ନବ ଦମ୍ପତି ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀ ଗୋଟିଏ ବିମାନରେ ଆସୁଥିବା ବେଳେ ଗୋଟିଏ ପାଲିଙ୍କିରେ ଶ୍ରୀଅନନ୍ତବାସୁଦେବ ଆସିଥିଲେ। ସେହି ସମୟରେ ଘଣ୍ଟ, ସମ୍ୱଲପୁରୀ ଦୁଲଦୁଲି, ଗଞ୍ଜାମ ଯୋଡ଼ିଶଙ୍ଖ, ଢୋଲ ମହୁରୀ, ଆଦିବାସୀ ମହିଳାଙ୍କ କଳସନୃତ୍ୟ, ବନ୍ୟଜନ୍ତୁ ବେଶ, କଣ୍ଢେଇ, ଘୋଡ଼ାନାଚ, ମୟୁରଭଞ୍ଜ ଛଉ, ଢ଼ୋଲ ମାଦଳ, ବନାଟି ଆଦି ରାଜ୍ୟର ବିଭିନ୍ନ ଜିଲ୍ଲାର ପାରମ୍ପରିକ ବାଦ୍ୟ ଓ ସଂଗୀତରେ ବଡ଼ଦାଣ୍ଡ କମ୍ପି ଉଠିଥିଲା। ପାରମ୍ପରିକ ବାଦ୍ୟଗୁଡ଼ିକ ଦେଖି ସହରୀ ଦେଖଣାହାରୀ ବହୁ ପ୍ରଶଂସା କରିଥିଲେ।
ଜମିଲା ଲଉଡ଼ି ଖେଳ
ଏଥର ଶୋଭାଯାତ୍ରାରେ ଲଉଡ଼ି ଖେଳ ଦର୍ଶକଙ୍କୁ ବିମୋହିତ କରିଥିଲା। ବିଭିନ୍ନ ଜିଲ୍ଲାରୁ ୧୫୦ରୁ ଅଧିକ ଯୁବକ ଲଉଡ଼ି ଖେଳି ବଡ଼ଦାଣ୍ଡରେ ଠାକୁରଙ୍କୁ ପାଛୋଟି ନେଇଥିଲେ। ଆପଟିଆ ସେବାୟତଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଧାୟକ ବାବୁ ସିଂହ, ଭୁବନେଶ୍ବର ଶୀତଳଷଷ୍ଠୀ କମିଟି ସଭାପତି ତଥା ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ପ୍ରଶଂସା କରିଥିଲେ।
ଭୋର୍‌ରୁ କଉଡ଼ି ଖେଳ
ଦେବଦେବୀ ମନ୍ଦିରରେ ପ୍ରବେଶ କରିବାପରେ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ସେବାୟତମାନେ ନବଦମ୍ପତିଙ୍କୁ ମନ୍ଦିର ଭିତରକୁ ପାଛୋଟି ନେବାପରେ ନୀତିପୂଜା କରାଯାଇଥିଲା। ଏହାପରେ ସେବାୟତମାନେ ଉଭୟ ପକ୍ଷରୁ କଉଡ଼ି ଖେଳିଥିଲେ। ଏହାକୁ ଦେଖିବାକୁ ବହୁ ମହିଳାଙ୍କ ଭିଡ଼ ଜମିଥିଲା।
କେଦାରଗୌରୀରେ ଭକ୍ତମେଳି
ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଉତ୍ସବ ଅବସରରେ କେଦାରଗୌରୀ ବିକାଶ କମିଟି ପକ୍ଷରୁ ଅଷ୍ଟପ୍ରହରୀ ନାମଯଜ୍ଞ କରାଯାଇଥିଲା। ଆଜି କେଦାରଗୌରୀ ମନ୍ଦିର ପରିସରରେ ପ୍ରାୟ ୧୦ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ।
ଭୀମଟାଙ୍ଗୀରେ ଶୀତଳଷଷ୍ଠୀ
ପୁରୁଣା ଭୁବନେଶ୍ୱର: ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ଭୀମକୁଣ୍ଡଠାରେ ଶିବ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନବ ଦମ୍ପତିଙ୍କୁ ଭୀମଟାଙ୍ଗୀ ଫେଜ୍‍-୧ ଓ ଫେଜ୍‍-୨ ପରିକ୍ରମା କରାଯାଇଥିଲା। ଘଣ୍ଟବାଦ୍ୟ, ଶଙ୍ଖ, ମହୁରୀ ଓ ପାରମ୍ପରିକ ବାଦ୍ୟ ସହକାରେ ଦେବଦେବୀଙ୍କ ଶୋଭାଯାତ୍ରା ହୋଇଥିଲା। ସମିତିର ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସଂପାଦକ ପଦ୍ମନାଭ ଷଡ଼ଙ୍ଗୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର