ଭୁବନେଶ୍ୱର: ଗୁରୁଜନଙ୍କୁ ସମ୍ମାନ ଓ ସମସ୍ତଙ୍କୁ ସାଥିରେ ନେଇ କାମ କରିବାର ବାର୍ତ୍ତା ଦେଉଥିବା ଓଡ଼ିଆ ସଂସ୍କୃତିର ମହାନ ପର୍ବ ହେଉଛି ନୂଆଁଖାଇ। ଏହି ମହାନ୍ ପର୍ବର ବାର୍ତ୍ତାକୁ ଅନୁପାଳନ ପୂର୍ବକ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କଲେ ଓଡ଼ିଶା ସମୃଦ୍ଧ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ଓ ଭୁବନେଶ୍ବରରେ ରହୁଥିବା ପଶ୍ଚିମ ଓଡ଼ିଶାବାସୀଙ୍କୁ ନେଇ ଆଜି ୟୁନିଟ୍-୯ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପଶ୍ଚିମ ଓଡ଼ିଶା ଅଗ୍ରଣୀ ସଂଗଠନ’ ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ୍-୨୦୧୮ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ନୃତ୍ୟ, ଗୀତ ଓ ଶାଢ଼ି ବିଶ୍ବପ୍ରସିଦ୍ଧି ଲାଭ କରିଛି। ଏଥିପାଇଁ ଓଡ଼ିଶାବାସୀଙ୍କ ସମେତ ସେ ନିଜେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ସେହିପରି ସମାଜସେବା କ୍ଷେତ୍ରରେ ସରସ୍ବତୀ ପ୍ରଧାନ, ସାହିତ୍ୟ ସାଧନା ପାଇଁ କବି ଗୋପବନ୍ଧୁ ରଥ, ଚିତ୍ରକଳା ପାଇଁ ଅବସରପ୍ରାପ୍ତ ପ୍ରଶାସକ କୃଷ୍ଣ ଗୋପାଳ ମହାପାତ୍ର, ଉପନ୍ୟାସ ପାଇଁ ରାଜେନ୍ଦ୍ର ପାଢ଼ୀ, କ୍ରୀଡ଼ା କ୍ଷେତ୍ରରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଚେସ୍ ଖେଳାଳି ସୌନ୍ଦର୍ଯ୍ୟ ପ୍ରଧାନ ଓ ପ୍ରାଚୁର୍ଯ୍ୟ ପ୍ରଧାନ, କମ୍ ବୟସରେ ଶିଳ୍ପପତି ପାଲଟିଥିବା ପେଡ୍ ଗର୍ଲ ଭାବେ ପରିଚିତ ପାୟଲ ପଟେଲ୍, ମହିଳା ହକି ଖେଳାଳି ରଶ୍ମିତା ମିଞ୍ଜ, ନାଟ୍ୟକାର ଅରୁଣ ସାହୁ, ସଂଗଠକ ସଦାନନ୍ଦ ଖେତି, ପଞ୍ଚ୍ ମାଷ୍ଟର ସତ୍ୟପୀର ପ୍ରଧାନ ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଞ୍ଜୟ ବାବୁ ସ୍ବାଗତ ଭାଷଣ ଦେଇଥିଲେ। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର ପ୍ରଭୃତି ଅଞ୍ଚଳରୁ ସମ୍ବଲପୁର ନଚନିଆଁ ଡ୍ୟାନସ୍ ଏକାଡେମି, ଝାରସୁଗୁଡ଼ାର ମା’ ବନଦୁର୍ଗା, ପଦ୍ମପୁରର ସଙ୍ଗୀତ ସମିତି, ବଲାଙ୍ଗୀରର ପଞ୍ଚମ ଏବଂ ସମ୍ବଲପୁରର କଅଁର ସାଂସ୍କୃତିକ ଅନୁଷ୍ଠାନର ଶତାଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଭଏସ୍ ଅଫ୍ ଓଡ଼ିଶା ଫେମ୍ ସୌରଭ ଷଡ଼ଙ୍ଗୀ ସଙ୍ଗୀତରେ ବିଭୋର କରିଥିଲେ। ଜ୍ୟୋତି, ପାଣିନି, ପ୍ରିୟା ଓ ଲିଲି ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସକାଳ ୯ରୁ ବିଳମ୍ବିତ ରାତ୍ରି ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା।
ନୂଆଁଖାଇ ବାର୍ତ୍ତାକୁ ନେଇ କାମ କଲେ ଓଡ଼ିଶା ସମୃଦ୍ଧ ହେବ
/sambad/media/post_attachments/wp-content/uploads/2018/12/Untitled-19-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)