ଭୁବନେଶ୍ବର: ପରିବେଶକୁ ସୁରକ୍ଷା ନଦେଇ ବିକାଶ ସମ୍ଭବ ନୁହେଁ। ପରିବେଶ ଓ ବିକାଶ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମାତ୍ର ବିକାଶ ପାଇଁ ଯେତେ ତତ୍ପରତାର ସହ ଆମେ ପାହାଡ଼, ଜଙ୍ଗଲ, ପୋଖରୀ ଓ ନଦୀକୁ କ୍ଷତିଗ୍ରସ୍ତ କରୁଛୁ, ଭରଣା କରିବାବେଳେ ସେତିକି ଆଗ୍ରହ ଦେଖାଯାଉନାହିଁ। ବିକାଶଠାରୁ ପରିବେଶ ଅଲଗା ହେଇ ପାରୁ ନଥିବା ବେଳେ ଉଭୟଙ୍କ ମଧ୍ୟ‌ରେ ସାମଞ୍ଜସ୍ୟ ବଜାୟ ରଖିବାରେ ଆମ ଦେଶ ଓ ରାଜ୍ୟ ବିଫଳ ହେଉଛି। ଉନ୍ନତୀକରଣକୁ କମ୍ ଖର୍ଚ୍ଚରେ ସାରି ଦେବାର ଲକ୍ଷ୍ୟ ରଖି ପ୍ରକୃତିକୁ ଅଣଦେଖା କରାଯାଉଛି। ଫଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳୁଛି। ପ୍ରକୃତିକୁ ଅତ୍ୟାଚାର କରିବାରେ ଓଡ଼ିଶା କିଛି କମ୍ ପଛରେ ନାହିଁ। କଳକାରଖାନା ଥିବା ଆମ ଜିଲ୍ଲାଗୁଡ଼ିକରେ ନଦୀ, ପାହାଡ଼ ଓ ମାଟିର ସ୍ଥିତି ଦିନକୁ ଦିନ ଜଟିଳ ହେବାକୁ ଲାଗିଛି। ଏବେଠାରୁ ଏଦିଗରେ ପଦକ୍ଷେପ ନେବାକୁ ପଡ଼ିବ, ନ‌ଚେତ୍‌ ସ୍ଥିତି ସୀମା ଟପିଯିବ। ‘ସମ୍ବାଦ’ର ୪୧ତମ ବାର୍ଷିକ ଉତ୍ସବ ଅବସରରେ ଆଜି ଆୟୋଜିତ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ‘ପରିବେଶ ଓ ବିକାଶ: ପରସ୍ପର ପରିପନ୍ଥୀ’ ଶୀର୍ଷକ ବିତର୍କରେ ଭାଗନେଇଥିବା ପ୍ରତିଯୋଗୀ ପରିବେଶ ନଷ୍ଟକୁ ନେଇ ଚିନ୍ତାପ୍ରକଟ କରିଥିଲେ। ପ୍ରତିଯୋଗୀମାନେ ବ୍ୟାପକ ମାତ୍ରାରେ ଗଛକଟା ଯାଉଥିବା ଦର୍ଶାଇ ବୃକ୍ଷରୋପଣର ଗୁରୁତ୍ବ ବର୍ଣ୍ଣନା କରିଥିଲେ। ମୋଟ୍‌ ଉପରେ ବିକାଶ ପାଇଁ ପ୍ରକୃତିକୁ ନଷ୍ଟ କରାଯାଉଛି ବୋଲି ସମସ୍ତେ ସ୍ବୀକାର କରିଥିଲେ। ଫଳରେ ମାନବ ସମାଜ ଗୋଟିଏ ଭୟଙ୍କର ସ୍ଥିତି ଆଡ଼କୁ ଅଗ୍ରସର ହେଉଛି। ତେବେ ଆଶାବାଦର ସୂଚନା ‌ହେଉଛି, ନିଷ୍ଠା ଓ ଦାୟିତ୍ବର ସହିତ ଉଦ୍ୟମ ଓ ଯୋଜନା କଲେ ପରିବେଶକୁ ସୁରକ୍ଷିତ ରଖି ବିକାଶର ରାଜରାସ୍ତାରେ ଆଗେଇବା ସମ୍ଭବ ବୋଲି ସହମତି ପ୍ରକାଶ ପାଇଥିଲା। ତେଣୁ ଏବେଠାରୁ ସମସ୍ତଙ୍କ ସହଯୋଗରେ ବିକାଶର ଧାରା ଆଗକୁ ନେବା ସହ ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ପଡ଼ିବ ବୋଲି ପ୍ରାୟ ସମସ୍ତେ ମତ ଦେଇଥିଲେ। 

Advertisment

‘ସମ୍ବାଦ- କନକ ନ୍ୟୁଜ୍‌’ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା

ବିତର୍କ ବାଦଶାହ ଦେବେଶ, ତେଜସ୍ବିନୀ ଓ ରାଜେଶ

ଏହି ପ୍ରତିଯୋଗିତାରେ ରାଜ୍ୟର ୯ଟି (ଭୁବନେଶ୍ବର, ସମ୍ବଲପୁର, ଅନୁଗୁଳ, ବ୍ରହ୍ମପୁର, ଜୟପୁର, କଟକ, ଯାଜପୁର, ରାଉରକେଲା ଓ ବାଲେଶ୍ବର) ଜୋନ୍‌ରେ ଅନୁଷ୍ଠିତ ହୋଇଥିବା ଜୋନ୍‌ସ୍ତରୀୟ ପ୍ରତିଯୋଗିତାର ପ୍ରଥମ ୩ଟି ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଚୂଡ଼ାନ୍ତ ପର୍ଯ୍ୟାୟରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଦେବେଶ୍‌ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାଉରକେଲା ଉତ୍କଳମଣି ହୋମିଓପାଥିକ ମେଡିକାଲ କ‌ଲେଜର ଛାତ୍ରୀ ତେଜସ୍ବିନୀ ମିଶ୍ର ଦ୍ବିତୀୟ ଓ ଇଗ୍ନୋ, କୋରାପୁଟର ‌‌ର‌ାଜେଶ ରାୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଆଜି ଏହି ବିତର୍କ ପ୍ରତିଯୋଗିତାରେ ବିଚାରକ ଭାବେ ପୂର୍ବତନ ବିଧାୟକ ଅମର ଶତପଥୀ, ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗ‌ଦେଇଥିଲେ। ବିଚାରକ ଶ୍ରୀ ଶତପଥୀ ପ୍ରତିଯୋଗୀଙ୍କୁ ଉଦ୍‌‌ବୋଧନ ଦେଇ କହିଲେ, ଭାରତ‌ରେ ବିତର୍କ ଭଳି ଏକ ସମୃଦ୍ଧ ପରମ୍ପରା ରହି ଆସିଛି। ବର୍ତ୍ତମାନ ସମୟରେ ପରିବେଶ ଓ ବିକା‌ଶ ମଧ୍ୟରେ ସନ୍ତୁଳନ ରହୁ ନଥିବା ବେଳେ ଏଭଳି ଏକ ପ୍ରସଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ବିଷୟ।

ଅନ୍ୟତମ ବିଚାରକ ଶ୍ରୀ ଜେନା କହିଲେ, ସରକାରୀ କଳଗୁଡ଼ିକ ପରି‌ବେଶ ପ୍ରତି ଯେତେ ଯତ୍ନବାନ ହେ‌ବେ, ଆମ ପରିବେଶ ସେତିକି ସମୃଦ୍ଧ ଓ ସୁନ୍ଦର ହେବ। ଶ୍ରୀ ହରିଚନ୍ଦନ ଏହା ଏକ ସମୟୋପଯୋଗୀ ବିଷୟ ବୋଲି କହିବା ସହିତ ଓଡ଼ିଶା‌ର ସମସ୍ତ ନଦୀର ଜଳକୁ ନେଇ ରାଜ୍ୟ ପ୍ରଦୂଷଣ‌ ବୋର୍ଡ ଦ୍ବାରା ପ୍ରକା‌ଶିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ସେ ଆହୁରି କହିଲେ, କେବଳ ନଦୀ ନୁହେଁ, ବାୟୁ ପ୍ରଦୂଷଣ‌ରେ ମଧ୍ୟ ଓଡ଼ିଶାର ରାଉରକେଲା, ବ୍ରହ୍ମପୁର ଓ କଟକ ଭଳି ସହରଗୁଡ଼ିକର ସ୍ଥିତି ଆତଙ୍କପ୍ରଦ। ‘ସମ୍ବାଦ’ର ବ୍ୟୁରୋ ମୁଖ୍ୟ ଚୌଧୁରୀ ଅମିତାଭ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।