ଭିତ୍ତିପ୍ରସ୍ତରରେ ଅଟକିଛି ବିକାଶ

ୱାର୍ଡ ନମ୍ବର ୬୫

ଖଣ୍ଡଗିରି: ବିଏମ୍‌ସିର ୬୫ ନମ୍ବର ୱାର୍ଡ ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ। ବଡ଼ କଥା ହେଉଛି ଏହି ୱାର୍ଡରେ ଡୁମୁଡୁମା ହାଉସିଂବୋର୍ଡ କଲୋନି ଫେଜ୍-୧, ଫେଜ୍‌-୨, ଫେଜ୍‌-୪ ଓ ଫେଜ୍‌-୫ ସହ ନୂଆ କରି ମିଶିଛି ପାତ୍ରପଡ଼ା ଓ ଭଗବାନପୁରର ବ୍ୟାପକ ଅଞ୍ଚଳ। କଳିଙ୍ଗବିହାର କେ-୯(ଏ), କେ-୯(ବି), ଉଦୟଗିରିବିହାର ଏବଂ ଶିଳ୍ପାଞ୍ଚଳ ନୂଆକରି ବିଏମ୍‌ସିରେ ମିଶିଛି। ପୂର୍ବରୁ ପଞ୍ଚାୟତ ଅଧୀନରେ ଥିବା ଏହିସବୁ ଅଞ୍ଚଳରେ ଥିବା ବହୁ ସମସ୍ୟା ଏବେ ବିଏମ୍‌ସିରେ ସାମିଲ ହେବା ପରେ ବି ରହିଛି। ରାସ୍ତା, ଡ୍ରେନ୍‌, ପାର୍କ, ପାନୀୟ ଜଳ ଯୋଗାଣ ଭଳି ବହୁ ବିକାଶମୂଳକ କାମ କେବଳ ଭିତ୍ତିପ୍ରସ୍ତରରେ ଅଟକି ରହିଛି। ଅବଶ୍ୟ ନୂଆ କର୍ପୋରେଟର୍‌ ନିର୍ବାଚିତ ହେବା ପରଠାରୁ ଅନେକ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଛି।

ୱାର୍ଡ ପରିସୀମା: ଡୁମୁଡୁମା ଫେଜ୍‌-୧, ଫେଜ୍‌-୨, ଫେଜ୍‌ -୪, ଫେଜ୍‌- ୫, ସୁବାସ ନଗର ବସ୍ତି, କାନୁନଗୋ ଡାଇବେଟିସ୍‌ ଡାକ୍ତରଖାନା,

ଏକ୍ସ ମିଲିଟାରି କଲୋନି, ଉଦୟଗିରିବିହାର, ପାତ୍ରପଡ଼ା ଗ୍ରାମ, ଭଗବାନପୁର ଗ୍ରାମ, କଳିଙ୍ଗବିହାର କେ-୯(ଏ), କେ-୯(ବି)

ଏହା ଭିତରେ ପାତ୍ରପଡ଼ା ଗ୍ରାମର ମା’ ନମ୍ରକାନୀ ପୋଖରୀର ପୁନରୁଦ୍ଧାର କାମ ସରିଛି। ୫ଟି ପାର୍କ‌ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପଡ଼ିଛି। ପାତ୍ରପଡ଼ା ଓ ଭଗବାନପୁର ଗାଁ ଭିତରେ ଡ୍ରେନ୍‌ କାମ ନିର୍ମାଣାଧୀନ ଅଛି। ଅନେକ ରାସ୍ତାର ରୂପ ବଦଳିଥିଲେ ବି ବହୁ ରାସ୍ତା କଂକ୍ରିଟ୍‌ କିମ୍ବା ପିଚୁ ହୋଇପାରିନାହିଁ। ଆକଳନ ଅନୁସାରେ ପ୍ରାୟ ୯୦ପ୍ରତିଶତ ରାସ୍ତା ଅବସ୍ଥା କଦର୍ଯ୍ୟ। ପିଇବା ପାଣି ସମସ୍ୟା ଦୂର ହୋଇନି। ଗ୍ରାମରେ ପାଣି ପାଇପ୍‌ ବିଛାଇବା କାମ ଆରମ୍ଭ ହୋଇନାହିଁ। ଏମ୍‌ସନଗର, ତାରିଣୀ ମନ୍ଦିରଠାରୁ କେ-୯ (ଏ), କେ-୯(ବି), ତମାଣ୍ଡୋକୁ ପଡ଼ିଥିବା ସଡ଼କ ଏବେ ମଧ୍ୟ ପିଚୁ ହୋଇପାରିନାହିଁ। ଡୁମୁଡୁମା ଫେଜ୍‌-୧, ଫେଜ୍‌-୨, ଫେଜ୍‌ -୪, ଫେଜ୍‌- ୫, ସୁବାସନଗର ବସ୍ତି ଅଞ୍ଚଳରେ ଡ୍ରେନ୍‌ ସମସ୍ୟା ଦୂର ହୋଇନାହିଁ। ସ୍ବେରେଜ କାମ ଅନେକ ଜାଗାରେ ଆରମ୍ଭ ମଧ୍ୟ ହୋଇନି। ଡ୍ରେନ୍‌ ଉପରେ ଜବରଦଖଲ ରହିଛି। ଫଳର ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ଏନ୍‌ଏଚ୍ କାମ ସରୁନଥିବାରୁ ଅନେକ ସମୟରେ ଟ୍ର‌ାଫିକ୍‌ ସମସ୍ୟ‌ା ଯନ୍ତ୍ରଣାଦାୟକ ହେଉଛି। ଏକ୍ସ ମିଲିଟାରି କଲୋନି, ପାତ୍ରପଡ଼ା ଗ୍ରାମ, ଭଗବାନପୁର ଗ୍ରାମ, କେ-୯(ଏ), କେ-୯(ବି) ଅଞ୍ଚଳରେ ପାର୍କ କାମ ସରୁ ନାହିଁ। ସ୍ବେରେଜ୍‌ କାମ ସରିନଥିବାରୁ ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି।

ସୂଚନାଯୋଗ୍ୟ ଯେ ୨୦୨୨ କର୍ପୋରେସନ୍‌ ନିର୍ବାଚନରେ ଏହି ୱାର୍ଡ ଫୋକସ୍‌ରେ ଥିଲା। ବିଜେଡି ପ୍ରାର୍ଥୀ ରାଜେଶ ପାତ୍ରଙ୍କୁ ପରାସ୍ତ କରି ସ୍ବାଧୀନ ପ୍ରାର୍ଥୀ ରଶ୍ମିରଞ୍ଜନ ପାଟ୍ଟଶାଣୀ ବିଜୟୀ ହୋଇଥିଲେ। ଏବେ ଶ୍ରୀ ପାଟ୍ଟଶାଣୀ ବିଏମ୍‌ସିର ସମସ୍ତ ବିଭାଗ ସହିତ ହାତ ମିଳାଇ ଅଞ୍ଚଳର ବିକାଶରେ ସାମିଲ ହୋଇଛନ୍ତି। ନିର୍ବାଚନ ସମୟର ତାଙ୍କ ପ୍ରତିଦ୍ବନ୍ଦ୍ବୀ ରାଜେଶ ପାତ୍ରଙ୍କ କହିବା କଥା, କର୍ପୋରେଟର୍‌ ଶ୍ରୀ ପାଟ୍ଟଶାଣୀଙ୍କ ସହଯୋଗରେ ଏବେ ବହୁ ବିକାଶମୂଳକ କାମ ହେଉଛି। ମେୟର ଓ ଖୋଦ୍‌ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହଯୋଗରେ ଆଗକୁ ଏହି ୱାର୍ଡର ସବୁ ସମସ୍ୟାର ସମାଧାନ ହେବ।

ରାସ୍ତା ଓ ଡ୍ରେନ୍‌କୁ ଅଧିକ ଗୁରୁତ୍ବ

କେ-୯(ଏ), ଉଦୟଗିରି ବିହାର ଓ ଅନ୍ୟ ୩ଟି ସ୍ଥାନକୁ ମିଶାଇ ମୋଟ୍‌ ୫ଟି ପାର୍କ ନିର୍ମାଣ ପାଇଁ ନିକଟରେ ଭିତ୍ତିପ୍ରସ୍ତର ପଡ଼ିଛି। କିଛି କାମ ବି ଆରମ୍ଭ ହୋଇଗଲାଣି। ଗାଁ ଭିତରେ ବହୁ ଡ୍ରେନ୍‌ କାମ ସରିଲାଣି। ରାସ୍ତା ନବୀକରରଣ ପାଇଁ ଟେଣ୍ଡର୍‌ ଡକା ହୋଇଛି। ନିକଟରେ ମା’ ନମ୍ରକାନୀ ମନ୍ଦିର ପୋଖରୀ କାମ ସରି ଉଦ୍‌ଘାଟିତ ହୋଇଯାଇଛି। ଗାଁ ଶ୍ମଶାନର ନବୀକରଣ ମଧ୍ୟ ସରିଛି। ହୋଲ୍‌ସେଲ୍‌ ହାଟର ପାଚେରି କାମ ଆରମ୍ଭ ହୋଇଛି। ୫ଟି ମୁଖ୍ୟ ରାସ୍ତା କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ତେବେ ଏହି ଅଞ୍ଚଳର ସମସ୍ତ ଡ୍ରେନ୍‌ ଓ ରାସ୍ତା କାମ ପ୍ରାଥମିକତା ଭିତ୍ତିରେ ଠିକ୍‌ କରିବାକୁ ଲକ୍ଷ୍ୟ ରଖିଛି। କାମ ତ୍ବରାନ୍ବିତ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ଚାଲିଛି। ଏହି ୱାର୍ଡର ବହୁ ବଡ଼ ଅଞ୍ଚଳ ନୂଆ କରି ବିଏମ୍‌ସିରେ ମିଶିଛି। କର୍ପୋରେସନ୍‌କୁ ମାତ୍ର ବର୍ଷେ ହେବାକୁ ଯାଉଛି। ତେଣୁ ୫ ବର୍ଷ ପୂରିବା ବେଳକୁ ଏହି ୱାର୍ଡ ରାଜଧାନୀର ଏକ ବିକଶିତ ୱାର୍ଡ ହୋଇସାରିଥିବ ବୋଲି ମୋର ବିଶ୍ବାସ ରହିଛି।
-ରଶ୍ମିରଞ୍ଜନ ପାଟ୍ଟଶାଣୀ, କର୍ପୋରେଟର୍‌

ସମ୍ବନ୍ଧିତ ଖବର