ଭୁବନେଶ୍ବର: ବର୍ଷା ବେଳେ ରାଜଧାନୀରେ ଥିବା ୧୦ ନମ୍ବର ପ୍ରାକୃତିକ ନାଳ ହିଁ ଜଳବନ୍ଦି ସମସ୍ୟା ଦୂର କରିବାରେ ପ୍ରମୁଖ ଭୂମିକା ତୁଲାଇଥାଏ। ଏହି ପ୍ରାକୃତିକ ନାଳର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରୁ ଏକାଧିକ ଥର ଯୋଜନା ହେଲାଣି। ଲେକ୍ ନ୍ୟୁଟ୍ରାଲ୍ ପ୍ରକଳ୍ପରେ ପୂର୍ଣ୍ଣାଙ୍ଗ ବିକାଶ କରିବେ ଓ ପ୍ରାକୃତିକ ପରିବେଶରେ ଜନସାଧାରଣଙ୍କ ବିଚରଣର ପ୍ରକୃଷ୍ଠ ସ୍ଥାନ ତିଆରିବେ ବୋଲି ସ୍ବପ୍ନ ଦେଖାଇ ଆସୁଛନ୍ତି। ୮ ବର୍ଷ ପରେ ପ୍ରକଳ୍ପ ଆଗଉନି। ଏହା କେବଳ ପ୍ରହେଳିକା ପାଲଟିଛି।

Advertisment

ସେପଟେ ଏହି ପ୍ରମୁଖ ନାଳ ଜବରଦଖଲକାରୀଙ୍କ କବଳକୁ ଚାଲିଗଲାଣି। ଜବରଦଖଲ ଉଚ୍ଛେଦ ହେଉ ନଥିବାରୁ ଏହାର ଜଳ ପ୍ରବାହପଥ ବାଧାପ୍ରାପ୍ତ ହେଉଛି। ବୋଝ ଉପରେ ନଳିତା ବିଡ଼ା ପରି କୁଢ଼କୁଢ଼ ଆବର୍ଜନା ଓ ଅନାବନା ଗଛ। ଲୋକେ ନିର୍ମାଣ ଭଗ୍ନାଂଶ ଓ ଘରୁ ବାହାରୁଥିବା ଆବର୍ଜନା ଏଥିରେ ଫିଙ୍ଗୁଛନ୍ତି। ଯାହା ନାଳକୁ ସଂକୁଚିତ କରିବା ସହ ଜଳପଥକୁ ଅବରୋଧ କରୁଛି। ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟ ସମ୍ମୁଖ ସତ୍ୟକାଳୀ ବସ୍ତି ନିକଟ ଅଞ୍ଚଳ ଏହାର ଜ୍ବଳନ୍ତ ଉଦାହରଣ। ଅନ୍ୟପଟେ ନିୟମିତ ସଫାସୁତରା ହେଉ ନଥିବାରୁ ଅନାବନା ଗଛ, ଲତାବୁଦା ବି ନାଳକୁ ଆବୋରି ନେଲାଣି। ନାଳ ଦୁଇପାର୍ଶ୍ବରେ ଲାଗିଥିବା ଲୁହାର ତାର ବାଡ଼ ବି ଲତାବୁଦାରେ ଲୁଚିଗଲାଣି। ୨୦୧୭ ମସିହାରେ ରାଜ୍ୟ ସରକାର ଭୁବନେଶ୍ବର ସ୍ମାର୍ଟ ସିଟି ଜରିଆରେ ଲେକ୍ ନ୍ୟୁଟ୍ରାଲ୍ ପ୍ରକଳ୍ପ ଜରିଆରେ ୧୦ ନମ୍ବର ପ୍ରାକୃତିକ ନାଳ ସଂଲଗ୍ନ ପ୍ରାୟ ୩୮ ଏକର ଅଞ୍ଚଳର ବିକାଶର ରୂପରେଖ ପ୍ରସ୍ତୁତ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଏ ବାବଦରେ ପ୍ରାୟ ୬୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଥିଲା। ଯେଉଁଥିରେ ୧୦ ନମ୍ବର ପ୍ରାକୃତିକ ନାଳର ବିକାଶ ପ୍ରମୁଖ କାର୍ଯ୍ୟ ଥିଲା।

ଲେକ୍  ନ୍ୟୁଟ୍ରାଲ୍‌ ପ୍ରକଳ୍ପରେ ହୋଇଥାନ୍ତା ବିକାଶ
୮ ବର୍ଷ ବିତିଲା, କାମ ଆରମ୍ଭ ହୋଇନି
ଅନାବନା ଗଛ, ଲତା, ଆବର୍ଜନାରେ ସଂକୁଚିତ ନାଳ

ପ୍ରାୟ ୩ କିଲୋମିଟର ବ୍ୟାପ୍ତ ୧୦ ନମ୍ବର ନାଳର ଦୁଇପାର୍ଶ୍ବକୁ ସୌନ୍ଦର୍ଯ୍ୟୀକରଣ କରି ଜନସାଧାରଣଙ୍କ ବିଚରଣର ଭିତ୍ତିଭୂମି ତିଆରି ହୋଇଥାନ୍ତା। ଯୋଜନା ଅନୁଯାୟୀ, ୧.୫ ମିଟର ଓସାରର ଚଳପ୍ରଚଳ ରାସ୍ତା, ୩ ମିଟର ଓସାର ମେଡିଆନ୍, ୨.୫ ମିଟର ଓସାର ଫୁଟ୍‌ପାଥ୍, ୮ ମିଟର ଓସାରର ଜନସାଧାରଣଙ୍କ ଚଳପ୍ରଚଳ ଓ ଅବସର ବିନୋଦନ ସ୍ଥାନ, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ୫ ମିଟର ଓସାରରେ ଗଛ ଲଗାଯାଇଥାନ୍ତା। ନାଳ ଦୁଇପାର୍ଶ୍ବ ସୁରକ୍ଷା ପ୍ରାଚୀର ବି ଏହି ଯୋଜନା ଅନ୍ତର୍ଭୁକ୍ତ ଥିଲା। ନାଳ ପାଣିକୁ ବିଶୋଧନ ପାଇଁ ଏସ୍‌ଟିପି(ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ବି ହୋଇଥାନ୍ତା। ୨୦୧୭ ମସିହାରେ ଯୋଜନାକୁ ମଞ୍ଜୁରି ମିଳିଥିଲେ ବି ୨୦୨୨ ମସିହାରେ ଏହାର ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ଯୋଜନା ଲେକ୍ ଜୋନ୍-୩ ପ୍ରକଳ୍ପ ଅନ୍ତର୍ଭୁକ୍ତ ଥିଲା। କୋଲ୍‌କାତାର ଏକ ଠିକାସଂସ୍ଥାକୁ ଏହି କାମର ଟେଣ୍ଡର ଦିଆଯାଇଥିଲା। ୬ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ପ୍ରାରମ୍ଭିକ କାର୍ଯ୍ୟ ବି ସେହି ଅନୁସାରେ ଆରମ୍ଭ ହୋଇଥିଲା। କିନ୍ତୁ ବିଭିନ୍ନ କାରଣରୁଏହି ପ୍ରକଳ୍ପ ଝୁଲି ରହିଛି। ପ୍ରାୟ ୩ ବର୍ଷ ପ୍ରକଳ୍ପ ଝୁଲି ରହିବା ପରେ ଚଳିତ ବର୍ଷ ଆରମ୍ଭରେ ବର୍ତ୍ତମାନର ରାଜ୍ୟ ସରକାର ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟରେ ନିକୋ ପାର୍କ ସହ ୧୦ ନମ୍ବର ନାଳର ବିକାଶ କରିବେ ବୋଲି କହିଛନ୍ତି। ପ୍ରଥମେ ନିକୋ ପାର୍କ ଓ ପରେ ୧୦ ନମ୍ବର ନାଳ ବିକାଶ ହେବ ବୋଲି କହିଛନ୍ତି। କିନ୍ତୁ ଏହା ବି ଝୁଲି ରହିଛି। ସମୀକ୍ଷା ପରେ ସମୀକ୍ଷା ଚାଲିଛି, କିନ୍ତୁ ପ୍ରକଳ୍ପ ଯଥା ପୂର୍ବଂ ତଥା ପରଂ।

ସେପଟେ ବିକାଶ ଆଳରେ ଭୁବନେଶ୍ବର ମହାନଗର ନିଗମ ୧୦ ନମ୍ବର ନାଳରେ ଆଦୌ ହାତ ମାରୁନି। ଏଣୁ ନାଳର ଗତିପଥ ସଂକୁଚିତ ହେବା ସହ ଆବର୍ଜନା ଓ ଅନାବନା ଗଛ ନାଳ ଭିତରେ ଉଠିଗଲାଣି। ଯେଉଁଥିରେ ବଡ଼ ବଡ଼ ଡିମିରି, ଗବ ଗଛ ବି ମାଡ଼ିଗଲାଣି। ସତ୍ୟକାଳୀ ବସ୍ତିକୁ ଲାଗି ପାହାଡ଼ ଉଚ୍ଚରେ ନିର୍ମାଣ, ଆବର୍ଜନା ନାଳକୁ ପୋତି ଦେଲାଣି। ଅନ୍ୟ ସ୍ଥାନରେ ବି ନାଳକୁ ଲାଗି ନିର୍ମାଣ ଗଢ଼ି ଉଠିଲାଣି।