ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇ ୟୁନିଭର୍ସିଟି ଲ’ କଲେଜର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ପ୍ରିୟଦର୍ଶୀ ମିଶ୍ର। ତାହା ପରେ ରାଜ୍ୟ ରାଜନୀତିରେ ସେ ସକ୍ରିୟ ଅଛନ୍ତି। ପ୍ରଥମେ ଜନତା ଦଳ ଓ ପରେ ବିଜେଡିରେ ବିଭିନ୍ନ ପଦପଦବିରେ ରହିବା ସହ ୨୦୧୪ ମସିହାରେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେପିରେ ଯୋଗ ଦେବା ସହ ଏଥର ବିଜେପି ଟିକେଟରେ ଉତ୍ତରରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
ଥରେ ବିଜେଡି ଟିକେଟରୁ ପ୍ରାର୍ଥୀ ହୋଇ ଜିତିଥିଲେ। ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। କେଉଁ ପ୍ରସଙ୍ଗକୁ ଆପଣ ଅଗ୍ରାଧିକାର ଦେଉଛନ୍ତି?
ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ଗଠନ ହେବା ପରେ ତିନିଟି ନିର୍ବାଚନ ହୋଇଛି। ୨୦୧୪ ନିର୍ବାଚନରେ ମୁଁ ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲି। ସେହି ୫ ବର୍ଷ ମୁଁ ନିଷ୍ଠାର ସହ ଲୋକଙ୍କ ପାଇଁ କାମ କରିଛି। କିନ୍ତୁ କିଛି ଲୋକ ଚକ୍ରାନ୍ତ କରି ୨୦୧୯ରେ ମୋ ଟିକେଟ କାଟିଦେଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ବିଜେପି ମୋ ଉପରେ ଭରସା କରି ଉତ୍ତରରୁ ପ୍ରାର୍ଥୀ କରିଛି। ସ୍ଥାନୀୟ ବାସିନ୍ଦା କିପରି ସ୍ବଚ୍ଛନ୍ଦରେ ଜୀବନଯାପନ କରିପାରିବେ, ମୁଁ ତାହା ଉପରେ ଫୋକସ୍ କରୁଛି। ଏଥି ପାଇଁ ବସ୍ତି, ଆବାସିକ ଅଞ୍ଚଳ ଓ ପଞ୍ଚାୟତ ଅଞ୍ଚଳ ପାଇଁ ସ୍ବତନ୍ତ୍ର ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରାଯିବ।
ଆପଣଙ୍କ ଦୃଷ୍ଟିରେ ଉତ୍ତର ନିର୍ବାଚନମଣ୍ଡଳୀର ବଡ଼ ସମସ୍ୟା କ’ଣ?
ବସ୍ତି ଅଞ୍ଚଳରେ ଲୋକଙ୍କୁ ଜମି ପଟ୍ଟା ମିଳୁନି। ଜାଗା ମିସନ୍ ନାଁରେ ଲୋକଙ୍କୁ ଭୂଆଁ ବୁଲାଯାଉଛି। ବସ୍ତିରେ ବିକାଶମୂଳକ କାର୍ଯ୍ୟ ଆଗେଇନି। ଏବେ ବି ଚନ୍ଦ୍ରଶେଖରପୁର ଓ ପଞ୍ଚାୟତ ଅଞ୍ଚଳର ବହୁ ସ୍ଥାନରେ ପିଇବା ପାଣି ସମସ୍ୟା ରହିଛି। କିଛି ଜାଗାରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଏବେ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପଞ୍ଚାୟତ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇନି। ଉତ୍ତର ଭୁବନେଶ୍ବରକୁ ନୂଆ ରାଜଧାନୀ ବୋଲି କୁହାଯାଉଛି। କିନ୍ତୁ ଗତ ପାଞ୍ଚ ବର୍ଷ ଭିତରେ ସେଠାରେ କିଛି କାମ ହୋଇଛି ବୋଲି ଅନୁଭବ କରିହେଉନି।
ନିର୍ବାଚନମଣ୍ଡଳୀ ଲୋକଙ୍କ ପାଇଁ ଆପଣଙ୍କ ପ୍ରତିଶ୍ରୁତି କ’ଣ ରହିବ?
ରାଜଧାନୀରେ ସବୁ ବର୍ଗର ଲୋକ ଯେପରି ଭଲରେ ରହିବେ, ସେ ଦିଗରେ ମୋର ଯୋଜନା ରହିଛି। ଉଠାଦୋକାନୀଙ୍କ ଥଇଥାନ, ବସ୍ତିବାସିନ୍ଦାଙ୍କୁ ୬୦୦ ବର୍ଗ ଫୁଟ ଜମିର ସ୍ଥାୟୀ ପଟ୍ଟା, ଆବାସିକ କଲୋନିଗୁଡ଼ିକରେ ରାସ୍ତା, ପାଣି ପରି ମୌଳିକ ସୁବିଧା ଦିଆଯିବ। ପଞ୍ଚାୟତରେ ଶୀତଳ ଭଣ୍ଡାର, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖୋଲାଯିବ। ନିର୍ବାଚିତ ହେବାର ମାସକ ଭିତରେ ସୈନିକ ସ୍କୁଲ୍ ନିକଟରୁ କିପରି ଅଳିଆ ଗଦା ସଫା ହେବ, ତାହା ପ୍ରାଥମିକତା ହେବ।
ଉତ୍ତର ବିଜେପିର ସାଂଗଠନିକ ସ୍ଥିତିକୁ ନେଇ କ’ଣ କହିବେ?
ଉତ୍ତରରେ ବିଜେପିର ସାଂଗଠନିକ ସ୍ଥିତି ମଜଭୂତ ଅଛି। ସବୁ କାର୍ଯ୍ୟକର୍ତ୍ତା ଦଳ ପାଇଁ ନିଷ୍ଠାପର ଭାବେ କାମ କରୁଛନ୍ତି। ଗୋଟିଏ ପରିବାର ପରି ଆମେ ନିର୍ବାଚନ ଲଢ଼ୁଛୁ। ଓଡ଼ିଶାରେ ପରିବର୍ତ୍ତନର ସ୍ବର ଶୁଭିଲାଣି। ସାରା ଓଡ଼ିଶାରେ ଏବେ ମୋଦୀ ଲହର ଆସିଛି। ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର କିପରି ଆସିବେ, ସେ ଦିଗରେ ଏଠାକାର ସବୁ କାର୍ଯ୍ୟକର୍ତ୍ତା ଉଦ୍ୟମ ଜାରି ରଖିଛନ୍ତି।
ଲୋକମାନେ ଆପଣଙ୍କୁ କାହିଁକି ନିଜର ପ୍ରତିନିଧି ଭାବେ ମନୋନୀତ କରିବେ ବୋଲି ଭାବୁଛନ୍ତି?
ମୁଁ ବିଧାୟକ ଥିଲା ବେଳେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ କରିଥିଲି। ଏଠାକାର ଲୋକ ମୋତେ ପାଞ୍ଚ ବର୍ଷ ପରଖି ସାରିଛନ୍ତି। ସେମାନଙ୍କ ବ୍ୟକ୍ତିଗତ ଓ ସାମୂହିକ ସମସ୍ୟାର ସମାଧାନ ପାଇଁ ମୁଁ କିପରି ଦିନରାତି କାମ କରିଛି, ତାହା ସେମାନେ ଅନୁଭବ କରିଛନ୍ତି। ଏପରିକି ଗତ ପାଞ୍ଚ ବର୍ଷ ମୁଁ ବିଧାୟକ ନଥାଇ ବି ଲୋକଙ୍କ ପାଖକୁ ଯାଇଛି। ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇଛି। ତେଣୁ ମୋର ବିଶ୍ବାସ ଏଠାକାର ଜନତା ମୋତେ ପ୍ରତିନିଧି ଭାବେ ଆଉ ଥରେ ସୁଯୋଗ ଦେବେ।