‘ରାଜନେତା ସକ୍ରିୟ ନହେଲେ ବିକାଶ ମନ୍ଥର ହେବ’

‘ଅନୁଭବରୁ ଅନୁଭୂତି’ ଲୋକାପର୍ଣ ଉତ୍ସବ

ଭୁବନେଶ୍ବର: ମୁଁ ଲେଖକ କି ସାହିତ୍ୟିକ ନୁହେଁ। ଯାହା ଲେଖିଛି ନିଜ ଅଭିଜ୍ଞତାରୁ ଲେଖିଛି। ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଆହୁରି ଲେଖିବାକୁ ଚେଷ୍ଟା କରିବି। ତେବେ କିଛି ଦିନ ବ୍ୟବଧାନରେ ‘ଗପ ହେଲେ ବି ସତ’ ପୁସ୍ତକ ପ୍ରକାଶ ପାଇବ। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ଆଜି ତାଙ୍କର ପୁସ୍ତକ ‘ଅନୁଭବରୁ ଅନୁଭୂତି’ର ଲୋକାର୍ପଣ ଉତ୍ସବ ଅବସରରେ ଏହି ଘୋଷଣା କରିଛନ୍ତି।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ମାଟି ବଡ଼ ନା ପାର୍ଟି ବଡ଼। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗ ଏକାନ୍ତ ଉପଯୁକ୍ତ ଓ ପ୍ରାସଙ୍ଗିକ। କିନ୍ତୁ ଏହି ବିଷୟକୁ ରାଜନେତାମାନେ ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ସାରା ଓଡ଼ିଶାରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବାକୁ ଯେଉଁ ବିରାଟ ବଡ଼ ଷଡ଼ଯନ୍ତ୍ର ଚାଲିଛି, ତାକୁ ବି ରାଜନେତାମାନେ ମୁଣ୍ଡପାତି ସମର୍ଥନ ଦେଉଛନ୍ତି। ରାଜତନ୍ତ୍ରରୁ ଗଣତନ୍ତ୍ର, ଗଣତନ୍ତ୍ରରୁ ଦଳତନ୍ତ୍ର ଏବଂ ଏବେ ଦଳତନ୍ତ୍ର ଅମଲାତନ୍ତ୍ରରେ ପରିଣତ ହୋଇଗଲାଣି। ବର୍ତ୍ତମାନ ପାର୍ଟି ବଡ଼ କି ମାଟି ବଡ଼ ବିବାଦ ଆଉ ନାହିଁ। ଏବେ ମନ୍ତ୍ରୀ ବଡ଼ କି ସଚିବ ବଡ଼ ବିବାଦ ଚାଲିଛି। ଅମଲାତନ୍ତ୍ରୀମାନେ ଏଭଳି ଭାବରେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ଠାରୁ ଆରମ୍ଭ କରି ରାଜ୍ୟ ଗୁଡ଼ିକରେ କ୍ଷମତାକେନ୍ଦ୍ରକୁ ଉପଭୋଗ କରୁଛନ୍ତି।

ଯାହା ଲେଖିଛି, ଅନୁଭୂତିରୁ ଲେଖିଛି: ଦାମୋଦର ରାଉତ

ସଫଳ ରାଜନେତା ପ୍ରଥମେ ମାଟି କଥା ଚିନ୍ତା କରନ୍ତୁ: ସୌମ୍ୟରଂଜନ

ରାଜନୈତିକ ବ୍ୟକ୍ତିଙ୍କୁ ଛୋଟ କରିବାକୁ ଚେଷ୍ଟା କରୁଛନ୍ତି। ଅମଲାତନ୍ତ୍ରୀମାନେ ଆସି ଯେଭଳି ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ତାହା ଓଡ଼ିଶାର ଭବିଷ୍ୟତ ପାଇଁ ବା ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ। ତେଣୁ ପ୍ରତ୍ୟେକ ସଫଳ ରାଜନେତା ନିଜ କଥା ଚିନ୍ତା କରିବା ପୂର୍ବରୁ ମାଟି କଥା ଚିନ୍ତା କରନ୍ତୁ। ଏଭଳି ସମୟରେ ଦାମ ବାବୁଙ୍କ ପୁସ୍ତକ ପଢ଼ି ଯଦି କିଛି ନେତା ତାଙ୍କ ଭଳି ସାହାସୀ ହେବାକୁ ଚାହିଁବେ, ମନ୍ତ୍ରୀ ପଦ ଯାଉ ପଛେ ଗଣତନ୍ତ୍ର ବଳବତ୍ତର ରହୁ, ଓଡ଼ିଶା ମାଟିରେ ସବୁ କିଛି ମର୍ଯ୍ୟାଦା ସୁରକ୍ଷିତ ରହୁ ବୋଲି ମାନସିକତା ରଖିବେ। ‘ସିନ୍ଧୁଜା’ର ପରିଚାଳନା ନିର୍ଦ୍ଦେଶକ ମାଧବାନନ୍ଦ ବେହୁରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ପଟ୍ଟନାୟକ କହିଲେ, ଦାମବାବୁ ଅଧିକାଂଶ ଲେଖାରେ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନ କଥା କହିଛନ୍ତି। ୫୦ ବର୍ଷ ରାଜନୀତିରେ ଅନେକ ଅକୁହା କଥା ତାଙ୍କ ପାଖରେ ଅଛି। ତେଣୁ ସେ ନିଜର ଆତ୍ମଜୀବନୀ ଲେଖନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର କହିଲେ, ମୁଁ ଚାକିରି ସମୟରେ ଏକାଧିକ ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବାର ସୌଭାଗ୍ୟ ପାଇଥିଲି। ସେମାନେ ଅତ୍ୟନ୍ତ କର୍ମ ତତ୍ପର, ସ୍ପଷ୍ଟବାଦୀ ଏବଂ ସ୍ବାଧୀନ ଭାବେ ମତ ଦେବାର ଅସୀମ ସାହସ ତାଙ୍କ ଭିତରେ ରହୁଥିଲା। କିନ୍ତୁ ସେଭଳି ପରାକାଷ୍ଠା ଏବେ ରାଜନେତାଙ୍କ ଭିତରେ ଆଉ ନାହିଁ। ମାଟି ଓ ଜାତିର ସ୍ବାର୍ଥ ସମ୍ପର୍କରେ ସ୍ବର ଉଠୁନାହିଁ। ସମସ୍ୟା ଓ ଅନ୍ୟାୟ ହେଉଛି ବୋଲି ଅନୁଭବ କଲେବି ଯେପରି ପ୍ରତିବାଦ କରିବା କଥା ତାହା ହେଉନାହିଁ। ଓଡ଼ିଶାର ସ୍ବାର୍ଥ ଚୁଲିକୁ ଗଲେ ବି ରାଜନେତାମାନେ କାହିଁକି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ ପ୍ରଶ୍ନ କରିଥିଲେ। ରାଜନେତା ସକ୍ରିୟ ନହେଲେ ବିକାଶ ଗତି ମନ୍ଥର ହେବ ବୋଲି ସେ ମତ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ସୁରେଶ ରାଉତରାୟ ଯୋଗଦେଇ କହିଲେ, ଦାମୋଦର ରାଉତ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। ତାଙ୍କର ନିର୍ଭୀକ ବାକ୍ୟ ଅନେକଙ୍କୁ ପ୍ରେରଣା ଦେଇ ଆସିଛି। ତାଙ୍କ ଭଳି ଜଣେ ସ୍ପଷ୍ଟବାଦୀ ରାଜନେତା ବିରଳ। ତାଙ୍କ ତୁଣ୍ଡ ପରି ତାଙ୍କ ପୁସ୍ତକରେ ମଧ୍ୟ ସ୍ପଷ୍ଟବାଦିତା ବାରି ହୋଇ ପଡ଼ୁଛି। ତାଙ୍କର ଅନୁଭବ ଓ ଅଭିଜ୍ଞତା ଅତୁଳନୀୟ ବୋଲି ଅତିଥି ଦ୍ବୟ ମତ ରଖିଥିଲେ।
ପୁଅ ବିଧାୟକ ସମ୍ବିତ ରାଉତରାୟ ଏବଂ ଝିଅ ପ୍ରୀତିନନ୍ଦା ରାଉତରାୟ ଗୀତ ଗାଇ ବାପାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିରେ କବି ଅକ୍ଷୟ ସ୍ବାଇଁ ସ୍ବାଗତ ଭାଷଣ ଦେଇଥିବା ବେଳେ ଆଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସିନ୍ଧୁଜା ପ୍ରକାଶନୀର ପୃଷ୍ଠ‌ପୋଷକ ପ୍ରଶାନ୍ତ ଧଳ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶର୍ମିଳା ସାହୁ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଅର୍ପିତା ମିଶ୍ର ଧନ୍ୟବାଦ ଦେଇଥିଲେ। ସିନ୍ଧୁଜା ପ୍ରକାଶନୀ ପକ୍ଷରୁ ଏହି ପୁସ୍ତକ ପ୍ରକାଶିତ ହୋଇଛି।

ସମ୍ବନ୍ଧିତ ଖବର