ଶ୍ରୀମନ୍ଦିର ସୁରକ୍ଷା ଅଭିଯାନରେ ବୁଦ୍ଧିଜୀବୀ ସଂଗୋଷ୍ଠୀ, ‘ସଂସ୍କୃତି ବିନା ବିକାଶ ଅକଳ୍ପନୀୟ’

ଭୁବନେଶ୍ବର: ସଂସ୍କୃତିକୁ ବାଦ୍‌ ଦେଇ ବିକାଶ ଅସମ୍ଭବ। ୨୦୧୫ ମସିହାରେ ସବୁ ଦେଶ ଜାତିସଂଘରେ ଏହା ସ୍ବୀକାର କରିଛନ୍ତି। କିନ୍ତୁ ଓଡ଼ିଶାରେ ଏହାର ବିଲକ୍ଷଣ ଦେଖିବାକୁ ମିଳୁଛି। ଓଡ଼ିଶାର ସଂସ୍କୃତି, ଐତିହ୍ୟକୁ ବାଦ୍‌ ଦେଇ ବିକାଶ କରିବାକୁ ସରକାର ଅପଚେଷ୍ଟା କରୁଛନ୍ତି। ହଜାର ହଜାର ବର୍ଷ ତଳର ମଠ ସଂସ୍କୃତିକୁ ଭାଙ୍ଗି, ଐତିହ୍ୟପୂର୍ଣ୍ଣ ମନ୍ଦିରକୁ ବିପଦକୁ ଠେଲି ‌ଦେଉଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। ନିଜର ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷା ଦେବା ପ୍ରତି ନାଗରିକଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ। ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ଆଜି ଭାରତୀୟ ବିଦ୍ୟାଭବନରେ ଅନୁଷ୍ଠିତ ‘ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିର ସୁରକ୍ଷା’ ପ୍ରସଙ୍ଗକୁ ନେଇ ଆୟୋଜିତ ବୁଦ୍ଧିଜୀବୀ ସଂଗୋଷ୍ଠୀ‌ରେ ବକ୍ତାମାନେ ଏଭଳି ଆହ୍ବାନ ଦେଇଛନ୍ତି।

ପ୍ରଫେସର ପ୍ରଫୁଲ୍ଲ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଆଗଧାଡ଼ିର ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀମାନେ ଏକାଠି ହୋଇ ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅତିଥି ସାଧୁ ବ୍ରହ୍ମାନନ୍ଦ ସରସ୍ବତୀ କହିଲେ, ମନ୍ଦିର ହେଉଛି ସଂସ୍କୃତିର ପ୍ରାଣକେନ୍ଦ୍ର। ସଂସ୍କୃତି ବଞ୍ଚିଲେ ଆମେ ବଞ୍ଚିବା। ତେଣୁ ମନ୍ଦିର ଓ ମନ୍ଦିର ସହ ଜଡ଼ିତ ପ୍ରତ୍ୟେକ କଥାକୁ ସୁରକ୍ଷା ଦେବାକୁ ପଡ଼ିବ। ଏ ସମ୍ପର୍କରେ ଓଡ଼ିଶାବାସୀ ଏକାଠି ହୋଇ ପୁନର୍ବିଚାର କରନ୍ତୁ। ସରକାରଙ୍କ ଉପରେ ଚାପ ପକାନ୍ତୁ। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଲେ, ଜଗନ୍ନାଥ କେବଳ ଆସ୍ଥାର ପ୍ରତୀକ ନୁହନ୍ତି, ସେ ଓଡ଼ିଶାର ଇତିହାସ ଓ ଐତିହ୍ୟ। ଜଗନ୍ନାଥଙ୍କ ମନ୍ଦିର ସହ ଜଡ଼ିତ, ‌ଜଗନ୍ନାଥଙ୍କ ସେବାପୂଜାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶହଶହ ବର୍ଷର ମଠକୁ ସରକାର ଭାଙ୍ଗିରୁଜି ନଷ୍ଟ କରି‌ଦେଲେ। ଏହାକୁ ଘୋଡ଼ାଇବା ପାଇଁ ଏବେ ପରିକ୍ରମା ପ୍ରକଳ୍ପ କରାଯାଉଛି। ଲଣ୍ଡନରେ କଳଙ୍କି ଲଗା କାରଖାନାକୁ ସାଇତି ରଖାଯାଉଛି ଅଥଚ ସାରା ବିଶ୍ବରେ ପ୍ରସିଦ୍ଧ ମଠକୁ ଭଙ୍ଗା ଯାଉଛି। ହେଲେ ସବୁ ଜାଣି ମଧ୍ୟ ଏଠି ଭାରତୀୟ ପତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ସମେତ ସମସ୍ତେ ଚୁପ୍‌। ଏହି ଭୁଲ୍‌ ପାଇଁ ଭବିଷ୍ୟତରେ ବଡ଼ ବିପଦକୁ ସାମ୍ନା କରିବାକୁ ପଡ଼ିବ ବୋଲି କହିଥିଲେ।

ଅନ୍ୟତମ ଅତିଥି ଗବେ‌ଷକ ଅନୀଲ୍‌ ଧୀର କହିଲେ, ଜଗନ୍ନାଥଙ୍କ ମନ୍ଦିର ସମେତ ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିର ଅବସ୍ଥା ଭଲ ନାହିଁ ବୋଲି ୨୪ଟି ରିପୋର୍ଟ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଦେଇଛି। ସର୍ଭେ ପାଇଁ ୨ବର୍ଷ ତ‌ଳେ ଜର୍ମାନରୁ ୨କୋଟି ଟଙ୍କାର ମେସିନ୍‌ ଆସିଥିଲା। ମେସିନ୍‌ ଖତ ଖାଇଲା ସିନା ଉଦ୍ଦେଶ୍ୟ ସ‌ାଧିତ ହେଲା ନାହିଁ। ଓଡ଼ିଶାରେ ୧୨ହଜାରରୁ ଅଧିକ ମନ୍ଦିର ରହିଛି। ହେଲେ ସରକାରଙ୍କ ପାଖରେ ତା’ର ତଥ୍ୟ ନାହିଁ। ଯେଉଁ ମନ୍ଦିରର ତଥ୍ୟ ଅଛି ବା ଯେଉଁ ମନ୍ଦିର ସରକାରୀ ସଂସ୍ଥା ହାତରେ ରହିଛି, ତାକୁ ମଧ୍ୟ ବିପଦକୁ ଠେଲି ଦିଆଯାଉଛି ବୋଲି କହିଥିଲେ। ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ଯୋଗଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏହାର ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ। ସେ କହିଲେ ପୁରୀରେ ଆମସାର୍‌ ଆକ୍ଟର ଖୋଲା ଉଲ୍ଲଘଂନ କରାଯାଇଛି। ସୁପ୍ରିମ୍‌କୋର୍ଟରେ ସରକାର ଅସମ୍ପୂର୍ଣ୍ଣ ଓ ମନଗଢ଼ା ତଥ୍ୟ ଦେଇ ମାମଲାକୁ ନିଜ ସପକ୍ଷରେ କରାଇ ନେଇଛନ୍ତି। କିନ୍ତୁ ଏହାପରେ ମଧ୍ୟ ଅନେକ ଦିଗ ରହିଛି, ଯାହାକୁ ନେଇ ଚ୍ୟାଲେଞ୍ଜ କରାଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମକୁ ଅଜୟ ରାଉତ ସଂଯୋଜନା କରିଥିଲେ।

ସରକାରଙ୍କ ୬୦ରୁ ଅଧିକ ମନ୍ତ୍ରୀ, ବିଧାୟକ ଆମକୁ ସହଯୋଗ କରୁଛନ୍ତି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ଲଢ଼ୁଥିବା ବ୍ୟକ୍ତିଙ୍କୁ ସରକାରୀ ଦଳର ‌ମନ୍ତ୍ରୀ ଓ ବିଧାୟକ ସହଯୋଗ କରୁଛନ୍ତି। ଏହି ମନ୍ତ୍ରୀ ଓ ବିଧାୟକଙ୍କ ସଂଖ୍ୟା ୬୦ରୁ ଅଧିକ। ଆଜିର ଏହି କାର୍ଯ୍ୟକ୍ରମରେ ଗବେଷକ ଅନୀଲ୍‌ ଧୀର ଏଭଳି କଥା କହିବା ପରେ ରାଜ‌େନୈତିକ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଶ୍ରୀ ଧୀର୍‌ କହିଥିଲେ ଯେ ସାଧାରଣ ଲୋକ ସବୁଆଡ଼ୁ ନିରାଶ ହେବା ପରେ ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥାଏ। କିନ୍ତୁ ଏ କ୍ଷେତ୍ରରେ ଜନସ୍ବାର୍ଥ ମାମଲା ପାଇଁ ଆମକୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। କିନ୍ତୁ ସରକାର ଯାହା କରୁଛନ୍ତି, ତାଙ୍କ ଦଳର ନେତା, ମନ୍ତ୍ରୀ ମଧ୍ୟ ପସନ୍ଦ କରୁନାହାନ୍ତି। କେବଳ ଚାପରେ ପଡ଼ି ହଁ ରେ ହଁ ଭରୁଛନ୍ତି।

ସମ୍ବନ୍ଧିତ ଖବର